ହୋଲି ପାଇଁ ଚଳଚଞ୍ଚଳ ହିଞ୍ଜିଳିକାଟୁ

youtube

ହିଞ୍ଜିିଳିକାଟୁ : ଆସନ୍ତା ଶୁକ୍ରବାର ଦିନ ଦୋଳପୁର୍ଣ୍ଣିମା ଓ ତା ପର ଦିନ ଅର୍ଥାତ ଶନିବାର ଦିନ ରଙ୍ଗର ପର୍ବ ହୋଲି । ରଙ୍ଗର ପର୍ବ ହୋଲିକୁ ଆନନ୍ଦ ଉଲ୍ଲାସର ପାଳନ କରିବାକୁ ବର୍ତ୍ତମାନ ଠାରୁ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳ ଗୁଡିକ ଚଳଚଞ୍ଚଳ ହୋଇପଡିଛି । ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରମାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ସାହି ବସ୍ତିରେ ଖୋଲିବାରେ ଲାଗିଛି ରଙ୍ଗ ବେରଙ୍ଗର ରଙ୍ଗଦୋକାନ । ହୋଲି ଦିନଟିକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଅଞ୍ଚଳର ଯୁବଗୋଷ୍ଠୀ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି ।
ସହରର ବିଭିନ୍ନ ସ୍ଥାନରେ ଖୋଲିଥିବା ରଙ୍ଗ ଦୋକାନ ଗୁଡିକରେ ବିଭିନ୍ନ ଭେରାଇଟିର ରଙ୍ଗ, ପିଚିକାରୀ, ଟୋପି, ଚଷମା ଉପଲବ୍ଧ ହେଉଛି । ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପ୍ରାୟ ସବୁ ରଙ୍ଗ ସାମଗ୍ରୀର ଦର ଆଶାତୀତ ଭାବେ ବୃଦ୍ଧି ପାଇଥିଲେ ସୁଦ୍ଧା ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ବେପାର ଜୋରସୋରରେ ଚାଲିଥିବା ଦେଖିବାକୁ ମିଳିଛି । ହିଞ୍ଜିଳିକାଟୁ ସହରରେ ଥିବା ଲକ୍ଷ୍ମୀ ବଜାରର ବିଭିନ୍ନ ରଙ୍ଗ ଦୋକାନ ଗୁଡିକରେ ବେପାର ଚାଲିଥିବା ବେଳେ ଆଗାମୀ ଦିନରେ ବେପାର ନିଶ୍ଚିତ ଭାବେ ଭଲ ବ୍ୟବସାୟ ହେବାର ସମ୍ଭାବନା ରହିଛି ବୋଲି ବହୁ ରଙ୍ଗ ବ୍ୟବସାୟୀ ଆଶା ରଖିଛନ୍ତି । ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବିଭିନ୍ନ ରଙ୍ଗ ଦୋକାନରେ ଗ୍ରାହକଙ୍କ ସଂଖ୍ୟା ଜମୁଥିବା ବେଳେ ଶୁକ୍ରବାର ଓ ଶନିବାର ୨ ଦିନ ଆହୁରି ଅନେକ ଅସ୍ଥାୟୀ ରଙ୍ଗ ଦୋକାନ ଖୋଲିବାର ସମ୍ଭାବନା ରହିଛି । ଛୋଟ ଛୋଟ ପିଲାଙ୍କ ହୋଲି ଖେଳିବା ପାଇଁ ଆବଶ୍ୟକ ପଡୁଥିବା ପିଚିକାରୀ ଓ ଅନ୍ୟାନ ସାମଗ୍ରୀ ଗୁଡିକର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଙ୍ଗର ପର୍ବ ହୋଲିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଯୁବଗୋଷ୍ଠୀ ସଜବାଜ ହେଉଥିବା ଦେଖିବାକୁ ମିଳିଛି । ଅପର ପକ୍ଷରେ ଫଗୁ ଦଶମୀ ତିଥି ଠାରୁ ହିଞ୍ଜିଳିକାଟୁ ଏବଂ ଏହାର ଆଖପାଖ ଅଞ୍ଚଳରେ ଦୋଳଯାତ୍ରା ଆରମ୍ଭ ହୋଇଛି । ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୂଦନ, ରଥରେ ବାମନରୂପୀ ଭଗବାନଙ୍କୁ ଦର୍ଶନ କଲେ ସାଂସାରିକ ମୋହ ମାୟା କବଳରୁ ମୁକ୍ତି ମିଳିଥାଏ ବୋଲି ଲୋକପ୍ରଥା ପ୍ରଚଳିତ ହୋଇଆସୁଛି । ସଂସ୍କୃତି ସମ୍ପନ୍ନ ହିଞ୍ଜିଳିକାଟୁ ସହରର ରାଧାକୃଷ୍ଣ ମନ୍ଦିର, ବଇଁଛବଣିଆ ପାବନ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର, ହୋଲସେଲ ପରିବା ବଜାର ସ୍ଥିତ ରାଧାକୃଷ୍ଣ ମନ୍ଦିର , ହିଞ୍ଜିଳି ଗୋପିନାଥ ମନ୍ଦିର ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ଦୋଳପୂର୍ଣ୍ଣିମା ଓ ହୋଲିର ମାହୋଲ ଜମିବାରେ ଲାଗିଛି ।

Leave A Reply

Your email address will not be published.