ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ହିଞ୍ଜିଳି ସାନ ସାହିରେ ବିଦ୍ୟୁତ୍ ମରାମତି କରୁଥିବା ବେଳେ ଲାଇନମ୍ୟାନ ଉପରେ ବିଦ୍ୟୁତ୍ ଖୁଣ୍ଟ ପଡି ଲାଇନମ୍ୟାନ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହିଞ୍ଜିଳିକାଟୁ ଟିପିଏସଡିଏଲ ବିଭାଗରେ କାର୍ଯ୍ୟରତ ଲାଇନମ୍ୟାନ ତଥା ଜରଡ ଥାନା ଅଞ୍ଚଳର ଜଗଦିଶ ସାହୁ ବୋଲି ଜଣାପଡିଛି। ଉପସ୍ଥିତ ବିଦ୍ୟୁତ୍ କର୍ମଚାରୀ ମାନେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ପରେ ବ୍ରହ୍ମପୁର ଓ ବିଶାଖାପାଟଣା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଆହତ ଲାଇନମ୍ୟାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି।
ପ୍ରକାଶ ଯେ, ସୋମବାର ଅପରାହ୍ନରେ ହିଞ୍ଜିଳିକାଟୁ ପୈାରାଞ୍ଚଳ ହିଞ୍ଜିଳି ଗ୍ରାମ ସାନସାହିର ବିଦ୍ୟୁତ୍ ମରାମତି କାର୍ଯ୍ୟ ଚାଲିଥିଲା। ଲାଇନମ୍ୟାନ ଜଗଦିଶ ବିଦ୍ୟୁତ୍ ଖୁଣ୍ଟ ଉପରେ ଚଢି କେବୁଲ ତାର ମରାମତି କରୁଥିବା ବେଳେ ହଠାତ୍ ବିଦ୍ୟୁତ୍ ଖୁଣ୍ଟଟି ଉପୁଡି ତଳେ ପଡ଼ିଯାଇଥିଲା। ଲାଇନମ୍ୟାନ ଜଣଙ୍କ ବିଦ୍ୟୁତ୍ ଖୁଣ୍ଟରୁ ତଳକୁ ଖସି ତଳେ ପଡିଯିବାରୁ ବିଦ୍ୟୁତ୍ ଖୁଣ୍ଟଟି ଲାଇନମ୍ୟାନ ଉପରେ ପଡ଼ିଥିବାରୁ ଜଗଦିଶ ଗୁରୁତର ଆହତ ହୋଇଥିଲେ। ନିକଟରେ ଉପସ୍ଥିତ ବିଦ୍ୟୁତ୍ କର୍ମଚାରୀ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଓ ପରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ମରାମତି କରାଯାଉଥିବା ବିଦ୍ୟୁତ୍ ଖୁଣ୍ଟ ମୂଳ ଅଂଶ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲା। କିଭଳି ଭାବେ ବିପଦପୂର୍ଣ୍ଣ ଭାବେ ରହିଥିବା ବିଦ୍ୟୁତ ଖୁଣ୍ଟରେ ଚଢି ମରାମତି କରାଯାଉଥିଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ଟିପିଏସଡିଏଲ ହିଞ୍ଜିଳିକାଟୁ ଉପଖଣ୍ଡ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଇ°. ଗୋପାଳ କୃଷ୍ଣ ପଣ୍ଡାଙ୍କୁ ପଚାରିବାରୁ ସେ କୁହନ୍ତି, ସଂପୃକ୍ତ ବିଦ୍ୟୁତ୍ ଖୁଣ୍ଟ ମୂଳ ନଷ୍ଟ ହୋଇଯାଇଥିଲା। ହେଲେ ଖୁଣ୍ଟ ମୂଳ ଅଂଶରେ ସିମେଣ୍ଟ କଂକ୍ରିଟ ପ୍ରଲେପ ଦିଆଯାଇଥିବାରୁ ବିଦ୍ୟୁତ୍ ଖୁଣ୍ଟ ଅସୁରକ୍ଷିତ ଅବସ୍ଥାରେ ରହିଥିବା ଜଣାପଡିନଥିଲା। ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ବିଦ୍ୟୁତ୍ ଖୁଣ୍ଟ ଉପରେ ଚଢି ମରାମରି କରୁଥିବା ବେଳେ ଖୁଣ୍ଟଟି ମୂଳ ଅଂଶରୁ ଉପୁଡି ପଡିଥିବା ଏଭଳି ଦୂର୍ଘଟଣା ଘଟିଛି। ଗୁରୁତର ଲାଇନମ୍ୟାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି। ସଂପୃକ୍ତ ଲାଇନମ୍ୟାନ ଠିକା ଭାବେ କାର୍ଯ୍ୟ କରିଆସୁଛନ୍ତି।
