ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରାମମୁଣ୍ଡା ଠାରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ସଭାପତି ଦିନାର ସିଂ ଦିଗାଳଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂଘ ସାଧାରଣ ସମ୍ପାଦକ ରମାକାନ୍ତ ଦିଗାଳ ବିବରଣୀ ପାଠ କରିଥିବାବେଳେ ଉପସଭାପତି ସଞ୍ଜୟ କୁମାର ପ୍ରଧାନ ସାଙ୍ଗଠନିକ ପରାମର୍ଶ ଦେଇଥିଲେ । କୋଷାଧ୍ୟକ୍ଷ ଭଗବାନ ପ୍ରଧାନ ଆୟବ୍ୟୟର ବିବରଣୀ ପ୍ରଦାନ କରିବା ସହ ସଂଘର ଜମାଖତା ସ୍ଥାନୀୟ ୟୁକୋ ବ୍ୟାଙ୍କରେ ଖୋଲାଯାଇଥିବା ସୂଚନା ଦେଇଥିଲେ । ସଂଘକୁ ସରକାରୀ ପଞ୍ଜୀକୃତ କରିବା ନିମନ୍ତେ କାର୍ଯ୍ୟନିର୍ବାହୀ ସଦସ୍ୟ ମାନେ ସମସ୍ତ କାର୍ଯ୍ୟ ସଂପାଦନ କରିଥିବାରୁ ସଦସ୍ୟ ତାରିଣୀ ପରିଛା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଆଜିର ବୈଠକରେ ଅଧିକ ରୁ ଅଧିକ ସଦସ୍ୟ ସଂଘରେ ଯୋଗଦେବା ନେଇ ପଦକ୍ଷେପ ନେବା ସହ ମହିଳା ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ନେଇ ଆଲୋଚନା ହୋଇଥିଲା । ମୁଖ୍ୟତଃ ରାଇକିଆ ଅଞ୍ଚଳରେ ପଲଥିନର ବହୁଳ ବ୍ୟବହାରକୁ ପ୍ରଶାସନ ସହ ଆଲୋଚନା କରି ରୋକିବା ନେଇ ପଦକ୍ଷେପ, ବ୍ଲକର ସମସ୍ତ ଗ୍ରାମରେ ଭତ୍ତା ନପାଇ ରହିଯାଉଥିବା ହିତାଧିକାରୀଙ୍କୁ ଭତ୍ତା ଯୋଗେଇଦେବା ନେଇ ପଦକ୍ଷେପ, ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ରୋଗୀକୁ ଭେଟି ସେମାନଙ୍କ ବିଷୟ ବୁଝିବା ସହ ରକ୍ତଦାନ ଶିବିର କରିବା, ମୁଖ୍ୟତଃ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀକୁ ନେଇ ବକ୍ତୃତା ପାଇଁ ଏକ ସ୍ଵତନ୍ତ୍ର ପିରିଅଡ କରାଗଲେ ଛାତ୍ରଛାତ୍ରୀ ମାନେ ଭବିଷ୍ୟତରେ ଭଲ ବକ୍ତା ହେବା ସହ କଥା କହିବାର ଶୈଳୀରେ ପରିବର୍ତ୍ତନ ହୋଇପାରିବ ତେଣୁ ଏ ନେଇ ବିଦ୍ୟାଳୟ ଗୁଡିକୁ ପତ୍ର ଲେଖିବା ପାଇଁ ମତ ପ୍ରକାଶ ପାଇଥିଲା । କର୍ମମୟ ଜୀବନ ବିତିଯାଇଥିବାରୁ ଅବସର କାଳୀନ ଜୀବନ କିପରି ନିରାମୟ ରେ ବିତିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସଂଘ ବର୍ତ୍ତମାନ ଭଡାଘରେ ଚାଲୁ ରହିଥିବାରୁ ସରକାରୀ ଜାଗା ପାଇବା ନିମନ୍ତେ ସ୍ଥାନୀୟ ତହସିଲଦାରଙ୍କୁ ଯୋଗାଯୋଗ କରିବା ନେଇ ସଦସ୍ୟ ଲଲିତ ମୋହନ ଦିଗାଳ ପରାମର୍ଶ ଦେଇଥିଲେ । ସଭା ଶେଷରେ ସଂଘର ସହ ସଂପାଦକ ବିମଲ କିଶୋର ପରିଚ୍ଛା ଧନ୍ୟବାଦ ଦେଇଥିଲେ ।
