ଯାତ୍ରୀବାହୀ ଅଟୋ ପଛକୁ ଧକ୍କା ଦେଲା ମୋ ବସ୍, ଅଟୋଚାଳକ ସମେତ ୪ ଗୁରୁତର

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଆଲପୁର ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଯାତ୍ରୀବାହୀ ଅଟୋ (ଓଡି୦୭କେ ୬୯୮୧) ପଛକୁ ମୋ ବସ୍ (ଓଡି୩୨କେ ୧୯୫୭) ଧକ୍କା ଦେଇଛି। ଦୂର୍ଘଟଣାରେ ଅଟୋ ଚାଳକ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଅଟୋ ଚାଳକ ରଘୁନାଥପୁର ଗ୍ରାମର ଜି. ଆନନ୍ଦ ପାତ୍ର (୩୫), ଅଟୋରେ ଯାତ୍ରା କରୁଥିବା ରଘୁନାଥପୁର ଗ୍ରାମର ଆର. ଜଗନ୍ନାଥ ପାତ୍ର (୩୨), କେ. ସାନ୍ତାମା (୫୫) ଓ ଇଚ୍ଛାପୁର ଅଞ୍ଚଳର ଏ. ଲକ୍ଷ୍ମୀ (୩୫) । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ କୈାଣସି ଅଭିଯୋଗ ହୋଇନଥିବା ଥାନା ସୂତ୍ରରୁ ପ୍ରକାଶ। ପ୍ରକାଶ ଥାଉକି, ବୁଧବାର ଅପରାହ୍ନରେ ଗୋପାଳପୁର ଥାନା ଗାଗନାପୁର ଅଞ୍ଚଳରୁ ଏକ ଯାତ୍ରୀବାହୀ ଅଟୋ ହିଞ୍ଜିଳିକାଟୁ ଅଭିମୁଖେ ଯାଉଥିଲା। ସେହି ସମୟରେ ପୁରୁଷୋତ୍ତମପୁର ଠାରୁ ଅନ୍ତରିଗାଁ ଅଭିମୁଖେ ଯାଉଥିବା ମୋ ବସ୍ ଆଲପୁର ଗ୍ରାମ କାଳୀ ମନ୍ଦିର ନିକଟରେ ଯାତ୍ରୀବାହୀ ଅଟୋକୁ ଅତିକ୍ରମ କରୁଥିବା ବେଳେ ହଠାତ୍ ଯାତ୍ରୀବାହୀ ଅଟୋ ପଛକୁ ଧକ୍କା ଦେଇଥିଲା। ଦୂର୍ଘଟଣାରେ ଅଟୋ ଚାଳକ ଓ ୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ।

nis-ad
Leave A Reply

Your email address will not be published.