ନବଜୀବନ “ବସନ୍ତ ମହୋତ୍ସବ”ର ପ୍ରଥମ ଦିବସ

ସୁନ୍ଦରଗଡ : ସୁନ୍ଦରଗଡର ଅନ୍ୟତମ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ନବଜୀବନ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ କରିଛି ସୁନାମଧନ୍ୟ ନାଟ୍ୟକାର, ନିର୍ଦ୍ଦେଶକ, ପ୍ରଯୋଜକ ସ୍ବର୍ଗତ ପ୍ରଦୀପ ଭୋଳଙ୍କ ମାନସପୁତ୍ର “ବସନ୍ତ ମହୋତ୍ସବ”। ଦୀର୍ଘ ପଚିଶି ବର୍ଷ ତଳେ ଏହି ମହୋତ୍ସବର ବୀଜବପନ କରିଥିଲେ ଅନୁଷ୍ଠାନର ପୂର୍ବତନ ସଭାପତି ତଥା ସୁନାମଧନ୍ୟ ନାଟ୍ୟକାର, ନିର୍ଦ୍ଦେଶକ, ପ୍ରଯୋଜକ ସ୍ବର୍ଗତ ପ୍ରଦୀପ ଭୋଳ। ସୁନ୍ଦରଗଡର ସାଂସ୍କୃତିକ ଚେତନା ଓ କଳାର ଅଭିବୃଦ୍ଧି ପାଇଁ ସ୍ବର୍ଗତ ଭୋଳଙ୍କ ଏହି ଅଭିନବ ପ୍ରୟାସକୁ ତାଙ୍କ ବର୍ତ୍ତମାନର ଆଗକୁ ବଢ଼ାଇବା କାମ କରୁଛି ନବଜୀବନ। ଏହି ପରିପ୍ରେକ୍ଷୀରେ ଗତ କାଲି ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଧୀରେନ୍ଦ୍ର ସେଠୀ, ଡ଼ିଆଇପିଆରଓ ନନ୍ଦିନୀ ମୁଣ୍ଡାରୀ, ବରିଷ୍ଠ ବିଜେପି ନେତା ସନ୍ତୋଷ ଅମାତ, ବରିଷ୍ଠ ନାଗରିକ ବେଣୁ ମାଧବ ତ୍ରିପାଠୀଙ୍କ ଉପସ୍ଥିତିରେ ଉଦ୍ଘାଟିତ ହୋଇ ଯାଇଛି ଏହି ମହୋତ୍ସବ। ଦୀପ ପ୍ରଜ୍ବଳନ ତଥା ମାଲ୍ୟାର୍ପଣ ପରେ ଉପସ୍ଥିତ ଅତିଥିବୃନ୍ଦ ସ୍ବର୍ଗତ ଭୋଳଙ୍କ ସ୍ମୃତିଚାରଣ କରି ସୁନ୍ଦରଗଡ କଳା ଓ ସଂସ୍କୃତିକୁ ଏକ ନବ ଦିଗନ୍ତରେ ପହଞ୍ଚାଇବାରେ ତାଙ୍କ ଅକଥନୀୟ ପ୍ରୟାସର ଭୂୟସୀ ପ୍ରଶଂସା କରିଥିଲେ।

ଏହି ଅବସରରେ ସ୍ଥାନୀୟ ମାଦ୍ରୀ କାଲୋ ଭବନର ନାଟ୍ୟ ମଞ୍ଚକୁ ସ୍ବର୍ଗତ ପ୍ରଦୀପ ଭୋଳଙ୍କ ନାମରେ ଉତ୍ସର୍ଗ କରିବା ସହିତ ନାରୀ କଲ୍ୟାଣ କେନ୍ଦ୍ର ଠାରେ ଯାହାକି ତାଙ୍କର ନାଟ୍ୟ ଜୀବନର କେନ୍ଦ୍ରବିନ୍ଦୁ ଥିଲା,ସେଠାରେ ଏକ ସ୍ମାରକୀ ତୋରଣ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନକୁ ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରସ୍ତାବ ଆଗତ କରାଯାଇଥିଲା। ଏହା ପରେ ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶିକା ତଥା ଗୁରୁ ସୁଶ୍ରୀ ରୀତା ସାହୁ ଏହି ମହୋତ୍ସବର ଯାତ୍ରା ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଏହାପରେ କଣ୍ଠଶିଳ୍ପୀ ସୁଜାତା ପରିଡ଼ା ଏକ ସୁନ୍ଦର ଜଗନ୍ନାଥ ଜଣାଣ ଗାନ କରି ଏକ ମଧୁର ପରିବେଶ ସୃଷ୍ଟି କରିଥିଲେ। ସ୍ବର୍ଗତ ପ୍ରଦୀପ ଭୋଳଙ୍କ ଆଦୃତ ପରମ୍ପରାକୁ ପାଥେୟ କରି ସ୍ଥାନୀୟ କଳାକାରମାନଙ୍କ କଳାନୈପୁଣ୍ୟକୁ ପ୍ରଦର୍ଶିତ ଓ ପ୍ରୋତ୍ସାହିତ କରିବା ଦିଗରେ ବିଭାପା ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅମରେଶ ସାମଲଙ୍କ ସୁନ୍ଦର ଭାଓଲିନ ବାଦନ ଓ ଆୟୁଶ୍ରୀ ତ୍ରିପାଠୀଙ୍କ ସୁଲଳିତ ହିନ୍ଦୀ ସଙ୍ଗୀତ ପରିବେଷଣରେ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ ଉପସ୍ଥିତ ଦର୍ଶକ। ତତ୍ ପଶ୍ଚାତ ନୃତ୍ୟ ନିର୍ଦ୍ଦେଶକ ବିଭୁ ରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଅଙ୍କିତା ମୁଣ୍ଡା, ପ୍ରତ୍ୟାଶା ପଣ୍ଡା, ଇଚ୍ଛା ବାସନ୍ତୀ ସାହୁ, ସ୍ମୃତିଶ୍ରୀ ପଟ୍ଟନାୟକ, ମଧୁସ୍ମିତା ନାୟକ, ସୋନାଲ ଅମାତ, ଆଦିତି ଦାଶ, ସୁଦୀକ୍ଷା ନାଏକ, ବିନିତା ଓରାମ ଓ ରିଦ୍ଧିଶା ପଟ୍ଟନାୟକ ସ୍ୱର ସାମ୍ରାଜ୍ଞୀ ସ୍ବର୍ଗତା ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପରିବେଷଣ କରିଥିଲେ “ସ୍ୱରାଗିନୀ”- ଏକ ନୃତ୍ୟ । ଏହା ପରେ ଆରମ୍ଭ ହୋଇଥିଲା ସମ୍ବଲପୁରର ସାଂସ୍କୃତିକ ଅନୁଷ୍ଠାନ ‘ କଖଗ ‘ ଦ୍ଵାରା “ଅର୍ଥାତ୍” ନାଟକ। ବିଖ୍ୟାତ ଲେଖକ,ନିର୍ଦ୍ଦେଶକ ତଥା ସଙ୍ଗୀତକାର ବ୍ରଜେନ୍ଦ୍ର ନାୟକଙ୍କ ନେତୃତ୍ବରେ ଏହି ନାଟକରେ ମନୋଜ ବେହେରା, ସୌମେନ୍ଦ୍ର ପୂଜାରୀ, ସନ୍ତୋଷ ମିଶ୍ର, ସୁଶିଲ ଦାସ, ମହେଶ ତ୍ରିପାଠୀ, ସଞ୍ଜୟ ମିଶ୍ର, ହୃଦାନନ୍ଦ ଗଡତିଆ, ବାଲଗୋପାଳ ହୋତା, ରାଜୁ ବାଗ, ପ୍ରଭାସ ଦାସ, ବ୍ରଜେନ୍ଦ୍ର ନାଏକ, ବିଭୂରଞ୍ଜନ ମହାନ୍ତି, ମହମ୍ମଦ କାସିମ୍, କମଳ କୁମାର ରାଉତ, ସଂଯୁକ୍ତା ପଣ୍ଡା, ମିନାକ୍ଷୀ ସୂପକାର, ପ୍ରୀତିନନ୍ଦା ମିଶ୍ର ପ୍ରମୁଖ ତାଙ୍କ ଅଭିନୟରେ ସମସ୍ତଙ୍କୁ ବିମୋହିତ କରିଥିଲେ। ବଙ୍ଗାଳୀ ଡାକ୍ତର ଭୂମିକାରେ ଅଭିନୟ କରିଥିବା ମହେଶ ତ୍ରିପାଠୀଙ୍କ ବଳିଷ୍ଠ ତଥା ଜୀବନ୍ତ ଅଭିନୟ ଦର୍ଶକଙ୍କ ମନକୁ ବେଶ୍ ଛୁଇଁ ପାରିଥିଲା। ନବଜୀବନ ସଭାପତି ପ୍ରଭାତ କୁମାର ଭୋଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁଣନିଧି ମହାନ୍ତି, ରାଜକିଶୋର ମହାରଣା, ଅଜୟ ବହିଦାର, ଚନ୍ଦ୍ରମଣି ମିଶ୍ର, ଶ୍ୟାମ ନନ୍ଦନ ସହାୟ, ଗୋପକୃଷ୍ଣ ନାୟକ, ଦେବେନ ଅମାତ, ଲତିକା ପଟ୍ଟନାୟକ,କୁମୁଦ ପଣ୍ଡା, ବୃନ୍ଦାବନ ଦାଶ, ବିଜୁ ମହାରଣା, ସିଦ୍ଧାନ୍ତ ପଣ୍ଡା, ଲକ୍ଷ୍ମୀପ୍ରଭା ପତି ଓ ଚିରବ୍ରତ ଦତ୍ତ ତଥା ଅନ୍ୟାନ୍ୟ ସଦସ୍ୟ ପ୍ରମୁଖ ସହଯୋଗ କରିଥିଲେ। ବିଶ୍ବରଞ୍ଜନ ହୋତା ସଭା ସଞ୍ଚାଳନ କରିଥିଲେ।ଏହି ମହୋତ୍ସବରେ ନାଲକୋ, ଦାମନଯୋଡି ପଞ୍ଚାପଟ୍ଟମାଳୀ ନାଟ୍ୟ ଉତ୍ସବର ନାଟକ “କଳା ମଲ୍ଲୀ” ଓ ନବଜୀବନର ନାଟକ ” କାଉଁର ” ଅନୁଷ୍ଠିତ ହେବାର ସୂଚନା ସଭାପତି ଶ୍ରୀ ଭୋଳ ପ୍ରଦାନ କରିଛନ୍ତି।

nis-ad
Leave A Reply

Your email address will not be published.