
ଉମରକୋଟ /ରାଇଘର : ଲୋ ଭୋଲ୍ଟେଜ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗତ ୨୧ ତାରିଖଦିନ ୪୦ ନଂ ଜାତୀୟ ରାଜପଥ ଉମରକୋଟ ଓ ରାଇଘର ରାସ୍ତା ଅବରୋଧ କରି ଅଖ ଚଖ ବନ୍ଦ କରିଥିଲେ | କିନ୍ତୁ ଗୋଟିଏ ସପ୍ତାହ ନ ପୁରିନୁ ପୁଣି ଆଜି ପାଞ୍ଚୋଟି ପଂଚାୟତର ଚାଷୀକୁଳ ଆନ୍ଦୋଳନକୁ ଓଲ୍ଲେଇ ଉମରକୋଟ ରୁ ଛତିଶଗଡ ୪0 ନମ୍ବର ରାଜ୍ୟ ରାଜ ପଥର ମୁଖ୍ୟ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଛେଲଡ଼ଙ୍ଗରୀ ପଂଚାୟତରୁ। ମିଳିଥିବା ସୂଚନା ମୁତାବକ ରାଇଘର ବ୍ଲକର ଛେଲଡଙ୍ଗରୀ, କୁମୁଲୀ, କଚରା଼ପାରା ପାରୁଆ ଓ ମହାଣ୍ଡ ଗ୍ରାମ ପଂଚାୟତର ଶତାଧିକ ଚାଷୀ ଚାଷ କରିବା ଉଦେଶ୍ୟରେ ନିଜ ନିଜ ଜମି ମାନଙ୍କରେ ବୋରୱେଲ ସବୁ ଖୋଲି ଚାଷକାର୍ଯ୍ୟ ଆରମ୍ଭ କରିଥିଲେ,ହେଲେ ଅନବରତ ବିଦ୍ୟୁତ କାଟ ସହ ଲୋ ଭୋଲ୍ଟେଜ ସମସ୍ୟା ଲାଗି ରହିଥିବା ଯୋଗୁଁ ଚାଷ କାର୍ଯ୍ୟ ଚାଷୀଙ୍କ ବାଧାପ୍ରାପ୍ତ ହେବା ସହିତ ମୂଳ ବୁଡିଯିବା ଚିନ୍ତାରେ ଚାଷୀମାନେ ରାସ୍ତା ଅବରୋଧ କରି ଆନ୍ଦୋଳନ କରୁଛନ୍ତି। ଲୋ ଭୋଲଟେଜ ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ବାରମ୍ବାର ଜଣେଇ ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଚାଷୀଙ୍କ ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଚାଷୀକୁଳ ତୀବ୍ର ଅଭିଯୋଗ କରିଛନ୍ତି। ଗୋଟେ ପଟେ ସରକାର ଚାଷୀମାନଙ୍କ ପାଇଁ ମାଗଣା ବୋରୱେଲ ଯୋଗେଇ ଦେବାର ବ୍ୟବସ୍ଥା କରୁଥିବା ବେଳେ ଅନ୍ୟପଟେ ଯେଉଁ ଚାଷୀମାନେ ନିଜସ୍ୱ ଖର୍ଚ୍ଚରେ ବୋରୱେଲ ଖୋଲିଛନ୍ତି ସେମାନଙ୍କୁ ବିଦ୍ୟୁତ ଯୋଗେଇ ଦେବାକୁ ଅସମର୍ଥ।ଏଭଳି ପରିସ୍ଥିତିରେ ସରକାରଙ୍କ ଉଠା ଜଳସେଚନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ ବୋଲି ରାଇଘର ବ୍ଲକର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ତମାନ ଦେଖିବାକୁ ବାକି ରହିଲା ପ୍ରଶାସନ ଚାଷୀମାନଙ୍କର ଏହି ଲୋଭୋଲ୍ଟେଜ ସମସ୍ୟାର ସମାଧାନ ପାଇଁ କଣ ପଦକ୍ଷେପ ନେଉଛନ୍ତି ।