ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଅପରାଧୀ ଓ ଅପରାଧ ନିୟନ୍ତ୍ରଣ ପାଇଁ ନିଆଯାଉଥିବା ପଦକ୍ଷେପ ଯଥେଷ୍ଟ ହେଉନାହିଁ ।ଚଳିତ ବିଧାନସଭା ରେ ମୁଖ୍ୟମନ୍ତ୍ରୀ ଦେଇଥିବା ସମସ୍ତ ଜିଲ୍ଲାର ଥାନା ଗୁଡିକରେ ରୁଜୁ ହୋଇଥିବା ଅପରାଧିକ ମାମଲାର ତଥ୍ୟରୁ ଜଣାପଡିଛି ଯେ ନୟାଗଡ଼ ଜିଲ୍ଲାରେ ଅପରାଧ ଗ୍ରାଫ ଉପରମୁଂହା । ଗତ ୬ ମାସରେ ୧୦ ଟି ବଡ଼ବଡ଼ ବିଭାଗରେ ମୋଟ ୨୧୯୧ ଟି ମାମଲା ରୁଜୁ ହୋଇଛି । ସେଥିରୁ ୧୩ ହତ୍ୟା, ୩ ଟି ଡକାୟତି, ୨୨ଟି ରାହାଜାନୀ, ୫୭ ଟି ଲୁଟ, ୧୨୧ ଟି ଚୋରି, ୪୧ଟି ଦୁଷ୍କର୍ମ ମାମଲା ରହିଛି । ନୟାଗଡ଼ ଜିଲ୍ଲାରୁ ଚୋରମାନେ ୮୯ ଲକ୍ଷ ୨୬ ହଜାର୩୩୬ ଟଙ୍କାର ଧନସମ୍ପତି ଲୁଟ କରିଥିବା ବେଳେ ସେଥିରୁ ୩୨ ଲକ୍ଷ ୩୨ ହଜାର ୨୦୦ ଟଙ୍କାର ସମ୍ପତି ଜବତ ସହିତ ଏହି ମାମଲା ଗୁଡିକୁ ତଦନ୍ତ କରି ୪୫୭ ଜଣକୁ ଗିରଫ କରାଯାଇଛି । ସେଥିମଧ୍ୟରୁ ୪୩୯ ପୁରୁଷ ଥିବା ବେଳେ ୧୮ ଜଣ ମହିଳା ଅଛନ୍ତି ।ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ବୋଲି ପୋଲିସ ପକ୍ଷରୁ ପ୍ରକାଶ ପାଇଛି।
ନୟାଗଡ଼ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ହଠାତ୍ ଚୋରି ବୃଦ୍ଧି ପାଇବା ଯୋଗୁଁ ପୋଲିସ ଅଡ଼ୁଆରେ ପଡିଛି । ବିଭିନ୍ନ ମନ୍ଦିରରୁ କ୍ରମାଗତ ଭାବେ ଚୋରି, ସ୍ପଷ୍ଟ ଦିବାଲୋକରେ ନିୟମିତ ଚୋରି ପୋଲିସ ର ଚିନ୍ତାର କାରଣ ହୋଇଛି। ଏହି ଚୋରି ରୁ ସମ୍ବଲପୁର ଜିଲ୍ଲାରେ କାର୍ଯ୍ୟରତ ଜଣେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଘର ବି ବାଦ ପଡ଼ିନାହିଁ । ସହରରେ ସିସିଟିଭି ର ସଠିକ୍ କାର୍ଯ୍ୟକାରୀ ତଥା ପୋଲିସ ବିଭାଗର ନିୟମିତ ପାଟ୍ରୋଲିଂ, ଦୋଷୀ ମାନଙ୍କୁ କଠୋର ଦଣ୍ଡ ବିଧାନ ଦ୍ଵାରା ଜିଲ୍ଲାର ଅପରାଧିକ ଗ୍ରାଫ୍ ତଳକୁ ଆସିବ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।
