ଦେବାଳୟ ଓ ଐତିହ୍ୟସ୍ଥଳୀର ସ୍ଵଚ୍ଛତା ଅଭିଯାନ ନେଇ ମଲିକେଶ୍ୱର ଶୈବ ପୀଠରେ ସଫେଇ କାର୍ଯ୍ୟକ୍ରମ

add-all

ମାଲକାନଗିରି : ଓଡ଼ିଆ ପକ୍ଷ ପାଳନର ଷଷ୍ଠ ଦିବସରେ ଦେବାଳୟ ଓ ଐତିହ୍ୟ ସ୍ଥଳୀ ଗୁଡିକର ସ୍ଵଚ୍ଛତା ଅଭିଯାନ ନେଇ ମାଲକାନଗିରି ଜିଲ୍ଲା ସଦରମହକୁମା ସ୍ଥିତ ମଲିକେଶ୍ୱର ଶୈବ ପୀଠ ଠାରେ ଜିଲ୍ଲା ପ୍ରଶାସନ ଦ୍ଵାରା ସାମୁହିକ ସଫେଇ କାର୍ଯ୍ୟକ୍ରମ କରାଯାଇଛି । ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ, ଗୃହ ଏବଂ ନଗର ଉନ୍ନୟନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସ୍ଵଚ୍ଛତା ଅଭିଯାନ କରାଯାଇଥିଲା। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଶୈବ ପୀଠ ଠାରେ ଆୟୋଜିତ ସ୍ବଚ୍ଛତା ଅଭିଯାନରେ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଛନ୍ତି ଯେ ଦେଶର ଦାୟିତ୍ବବାନ ନାଗରିକ ଭାବେ ନିଜ ପରିବେଶକୁ ସ୍ୱଚ୍ଛ ରଖିବା ସମସ୍ତଙ୍କର ଦାୟିତ୍ଵ ହେବା ଉଚିତ୍। ଦେବାଳୟ ଓ ଐତିହ୍ୟ ସ୍ଥଳୀ ଗୁଡିକ ସବୁ ଦିଗରୁ ବିଶେଷ ଗୁରୁତ୍ବ ବହନ କରେ। ତେଣୁ ପର୍ଯ୍ୟଟନ ସ୍ଥଳୀ ଭାବେ ହେଉ କିମ୍ବା ଗୌରବମୟ ଇତିହାସ ପାଇଁ ଦେବାଳୟ ଓ ଐତିହ୍ୟ ସ୍ଥଳୀ ଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବାର ଆବଶ୍ୟକତା ରହିଛି।

ସରକାରଙ୍କ ଏହି ପଦକ୍ଷେପ ନିଶ୍ଚିତ ରୂପେ ଗୌରବମୟ କୀର୍ତ୍ତିରାଜିର ମୁକସାକ୍ଷୀ ସାଜିଥିବା ଐତିହ୍ୟ ସ୍ଥଳୀ ଗୁଡିକୁ ସ୍ୱଚ୍ଛ କରି ରଖିବା ପାଇଁ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ମଲିକେଶ୍ୱର ଶୈବ ପୀଠ ଉପରକୁ ଯାଇ ମନ୍ଦିର ପରିବେଶର ସଫେଇ କରିଛନ୍ତି। ସକାଳ ୭ ଟାରୁ ଆରମ୍ଭ ହୋଇଥିବା ଏହି ସଫେଇ କାର୍ଯ୍ୟକ୍ରମରେ ପୌର ପରିଷଦର ସମସ୍ତ କର୍ମଚାରୀ ଓ ସଫେଇ କର୍ମଚାରୀ ସାମିଲ ହୋଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଅଶୋକ ଚକ୍ରବର୍ତ୍ତି, ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସମେତ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ ଏହି ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ। ଅନୁରୂପ ଭାବେ ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ମଧ୍ୟ ବିଭିନ୍ନ ଦେବାଳୟ ଠାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ad-week
Leave A Reply

Your email address will not be published.