ଚୈତ୍ର ଶେଷ ମଙ୍ଗଳବାର : ମା’ ଶ୍ୟାମଳାଇ ଓ କରେଇଶୁଣୀଙ୍କ ଚୈତ୍ର ଯାତ୍ରା ଉଦଯାପିତ

ହିଞ୍ଜିଳିକାଟୁ : ଚୈତ୍ର ମାସ ଚତୁର୍ଥ ପାଳି ମଙ୍ଗଳବାର ଉପଲକ୍ଷେ ହିଞ୍ଜିଳିକାଟୁ ବ୍ଳକ ନୂଆଁ ବୁରୁପଡା ନିକଟସ୍ଥ ତଥା ସ୍ଥାନୀୟ ଅଞ୍ଚଳର ଇଷ୍ଟଦେବୀ ମା’ ଶ୍ୟାମଳାଇ ଓ ଖରିଡା ସ୍ଥିତ ମା’ କରେଇଶୁଣୀଙ୍କ ପୀଠରେ ସହସ୍ରାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ମଙ୍ଗଳବାର ଭୋରରୁ ମା’ଙ୍କ ମଙ୍ଗଳ ଆଳତି, ମଇଲମ, ସୂର୍ଯ୍ୟପୁଜା, ଚଇପତି ଲାଗି, ବାଳଭୋଗ ସମେତ ସମସ୍ତ ଦେବିନୀତି ସମାପନ ପରେ ଭକ୍ତ ମାନଙ୍କୁ ମା’ ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ସକାଶେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଇଥିଲା । ଭକ୍ତ ମାନେ ମା’ ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ ବହୁ ସମୟ ଧରି ଲମ୍ବା ଲାଇନରେ ଅପେକ୍ଷା କରି ରହିଥିଲେ । ମାନସିକ ଧାରୀ ମାନେ ନିଜ ନିଜ ଶିଶୁଙ୍କ ମୁଣ୍ଡନ କରାଇଥିଲେ । ବହୁ ଦୁର ଦୂରାନ୍ତରରୁ ଭକ୍ତ ମାନେ ସୋମବାର ରାତିରୁ ଆସି ମନ୍ଦିର ପରିସରରେ ଭିଡ ଜମାଇଥିଲେ । ମନ୍ଦିର ଚର୍ତୁପ୍ୱାଶ୍ୱର୍ରେ ଭକ୍ତ ମାନେ ନିଜ ନିଜର ପରିବାର ବନ୍ଧୁବର୍ଗଙ୍କ ସହ ଭୋଜିଭାତର ଆୟୋଜନ କରିଥିଲେ । ମନ୍ଦିର ଚର୍ତୁପ୍ୱାର୍ଶରେ ବିଭିନ୍ନ ରକମର ଖେଳଣା, ବାରମଜା, ଗୃହ ଉପକରଣ, ସାଜସଜ୍ଜା, ଥଣ୍ଡାପାନୀୟ ଦୋକାନ ଭଳି ବିଭିନ୍ନ ରକମର ଅସ୍ଥାୟୀ ଦୋକାନ ବଜାର ମାନ ଗଢି ଉଠିଥିଲା । ମନ୍ଦିର ନିକଟରେ ଛାଗବଳି ନିଷେଧ ହୋଇଥିଲେ ମଧ୍ୟ ବହୁ ଭକ୍ତ ନିଜ ନିଜର ବନ୍ଧୁ ବାନ୍ଧବ ଓ ପରିବାର ବର୍ଗଙ୍କ ସହ ମିଶି ମନ୍ଦିର ନିକଟରେ ଛାଗବଳି ଦେଉଥିବାର ଦୃଶ୍ୟ ବହୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଭାବ ସୃଷ୍ଟି କରିଥିଲା । ପାଗ ଅନୁକୂଳ ରହିଥିବାରୁ ଭକ୍ତ ମାନେ ମନ୍ଦିର ଚାରିପାଖରେ ଭିଡ ଜମାଇଥିଲେ ।

ଶ୍ୟାମଳାଇ ଛକ ତଥା ୫୯ ନଂ ଜାତୀୟ ରାଜପଥର ଉଭୟ ପ୍ୱାଶ୍ୱର୍ରେ ଦୁରଦୁରାନ୍ତରରୁ ଆସିଥିବା ଗାଡି ମୋଟର ଗୁଡ଼ିକ ଲମ୍ବା ଲାଇନରେ ରହିଥିବାର ଦେଖିବାକୁ ମିଳିଥିଲା । ଭକ୍ତ ମାନଙ୍କ ଭିଡକୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ନିର୍ଦ୍ଦେଶରେ ଶ୍ୟାମଳାଇ ଓ କରେଇଶୁଣୀ ମନ୍ଦିର ପରିସରରେ ପୁଲିସ ବାହୀନି ମୃତୟନ କରାଯାଇଥିଲା । ଅନୁରୂପ ଭାବେ ହିଞ୍ଜିଳି ଥାନା ଖରିଡା ଗ୍ରାମ ମା କରେଇଶୁଣୀଙ୍କ ପୀଠରେ ସହସ୍ରାଧିକ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଭକ୍ତ ମାନେ ନିଜ ନିଜ ମାନସିକଧାରୀ ଶିଶୁଙ୍କ ମୁଣ୍ଡନ କରାଇବା ସହ ମା’ଙ୍କ ପୂଜାର୍ଚ୍ଚନା କରି ପରିବାର ଓ ବନ୍ଧୁବର୍ଗଙ୍କ ସହିତ ଭୋଜିଭାତର ଆୟୋଜନ କରିଥିବା ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ଭକ୍ତ ମାନେ ନିଜ ନିଜର କାର୍ଯ୍ୟ ସମାପନ କରି ଆନନ୍ଦ ଚିତ୍ତରେ ଘରକୁ ପ୍ରର୍ତ୍ତ୍ୟାଗମନ କରିଥିଲେ । ସନ୍ଧ୍ୟାରେ ମନ୍ଦିର ପରିସର ଖାଁ ଖାଁ ଲାଗୁଥିଲା । ଏଥି ସହିତ ମା’ ଶ୍ୟାମଳାଇ ଓ କରେଇଶୁଣୀଙ୍କ ଚୈତ୍ରପର୍ବ ଶେଷ ହୋଇଛି ।

nis-ad
Leave A Reply

Your email address will not be published.