‘ଦୁଗ୍ଧ ଚାଷୀଙ୍କୁ ପ୍ରୋତ୍ସାହନ ରାଶି ଦେବା ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି’

ଭୁବନେଶ୍ୱର: ରାଜ୍ୟ ସରକାର ପ୍ରାୟ ୧ ଲକ୍ଷ ଓମଫେଡର ଯୋଗ୍ୟ ଦୁଗ୍ଧ ଚାଷୀଙ୍କୁ ୩୧.୧୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଦେଇଛନ୍ତି। ଏହି ଅର୍ଥ ଓମଫେଡ୍ ପକ୍ଷରୁ ଡିବିଟି ମାଧ୍ୟମରେ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି। ସେପ୍ଟେମ୍ବର ୨୦୨୪ରୁ ଫେବ୍ରୁଆରି ୨୦୨୫ ମଧ୍ୟରେ ଯେଉଁ ଚାଷୀ ଯେଉଁ ପରିମାଣର ଦୁଗ୍ଧ ଓମଫେଡକୁ ଦେଇଛନ୍ତି, ସେମାନଙ୍କ ବ୍ୟାଙ୍କ ଖାତାକୁ ସେହି ଅନୁପାତରେ ଏହି ପ୍ରୋତ୍ସାହନ ରାଶି ଯାଇଛି।
ସାଧାରଣତଃ ଗତ ସେପ୍ଟେମ୍ବରରୁ-ଫେବ୍ରୁଆରି ପର୍ଯ୍ୟନ୍ତ ୬ ମାସ ହେଉଛି ଦୁଗ୍ଧର ତିରୋଟ ସମୟ ବା ଦୁଗ୍ଧ ଉତ୍ପାଦନ କମ୍ ହୋଇଥାଏ। ଏହି ସମୟରେ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ତଥା ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଓମଫେଡ୍ ପକ୍ଷରୁ ଲିଟର ପିଛା ୧ ରୁ ୫ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ପୂର୍ବରୁ ଘୋଷଣା କରାଯାଇଥିଲା। ଏଥିପାଇଁ ରାଜ୍ୟ ସରକାର ମଧ୍ୟ ଓମଫେଡକୁ ଆର୍ଥିକ ସହାଯତା ଯୋଗାଇ ଦେଇଥିଲେ।
ସଂପ୍ରତ୍ତି ରାଜ୍ୟରେ ମୋଟ ୧୧ଟି ଜିଲ୍ଲା ଦୁଗ୍ଧ ସମବାୟ ସମିତି ରହିଛି। ଏହି ୧୧ଟି ଜିଲ୍ଲା ଦୁଗ୍ଧ ସମୟବାୟ ସମିତି ମଧ୍ୟରୁ ସର୍ବାଧିକ ୩୩ ହଜାର ଚାଷୀ କଟକ ଜିଲ୍ଲା ଦୁଗ୍ଧ ସମବାୟ ସମିତିରେ ରହିଛନ୍ତି। କଟକ ପଛକୁ ରହିଛି ବାଲେଶ୍ୱର। ଏହି ଜିଲ୍ଲା ଦୁଗ୍ଧ ସମବାୟ ସମିତିରେ ୧୮ ହାଜର ଚାଷୀ ରହିଛନ୍ତି। ସର୍ବନିମ୍ନ ଅର୍ଥାତ୍ ୫୩୧ ଜଣ ଚାଷୀ ରହିଛନ୍ତି ମୟୂରଭଂଜ ଜିଲ୍ଲା ଦୁଗ୍ଧ ସମବାୟ ସମିତିରେ।
କଟକ ଜିଲ୍ଲା ଦୁଗ୍ଧ ସମବାୟ ସମିତି ଅଧିନରେ ଥିବା ଚାଷୀଙ୍କ ଖାତାକୁ ସର୍ବାଧିକ ୧୩ କୋଟି ଟଙ୍କା ଯାଇଥିବା ବେଳେ ବାଲେଶ୍ୱର ଜିଲ୍ଲା ଦୁଗ୍ଧ ସମବାୟ ସମିତି ଚାଷୀଙ୍କ ଖାତାକୁ ଯାଇଛି ୫ କୋଟି। ସେହିପରି ସମ୍ବଲପୁରକୁ ୪.୭୩ କୋଟି, ବଲାଙ୍ଗୀର-କଳାହାଣ୍ଡି-ନୂଆପଡା ଜିଲ୍ଲା ଦୁଗ୍ଧ ସମବାୟ ସମିତ ଅଧିନରେ ଥିବା ଚାଷୀଙ୍କ ଖାତାକୁ ୨.୬୨ କୋଟି, ପୁରୀ ଜିଲ୍ଲାକୁ- ୨.୩୨ କୋଟି ଟଙ୍କା ଯାଇଥିବା ବେଳେ ସର୍ବନିମ୍ନ ପ୍ରୋତ୍ସାହନ ରାଶି ଯାଇଛି ମୟୂରଭଂଜ ଜିଲ୍ଲା ଦୁଗ୍ଧସମବାୟ ସମିତି ଅଧିନରେ ଥିବା ଚାଷୀଙ୍କ ଖାତାକୁ। ମୟୂରଭଞ୍ଜ ଜିଲ୍ଲାକୁ ଯାଇଛି ମାତ୍ର ୨୦ ଲକ୍ଷ ଟଙ୍କା।
ଓମ୍‌ଫେଡ୍‌ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ବର୍ଷରେ ଏହି ପ୍ରୋତ୍ସାହନ ରାଶି ପ୍ରଦାନ ପ୍ରକ୍ରିୟା ଜାରି ରହିବ। କେବଳ ସେତିକି ନୁହେଁ, ବର୍ଷ ସାରା ଓମଫେଡର ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦେବା ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ବୋଲି କହିଛନ୍ତି ଓମଫେଡର ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ।
ଏହି ଅର୍ଥ କୌଣସି ୟୁନିୟନ ମାଧ୍ୟମରେ ଦିଆଯାଇ ନାହିଁ। ଏହା ସିଧାସଳଖ ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଯାଇଛି। ଫଳରେ ଚାଷୀମାନେ ଏହି ପ୍ରୋତ୍ସାହନ ରାଶି ପାଇବା ପରେ ବେଶ ଖୁସି ପ୍ରକଟ କରିବା ସହ ଓମଫେଡ୍ ଏବଂ ରାଜ୍ୟ ସରକାରଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି।

nis-ad
Leave A Reply

Your email address will not be published.