ଡିସେମ୍ବର ୮ରୁ ରାଜସୁନାଖଳା ମହୋତ୍ସବ ‘କାଉଁରୀ-୨୦୨୫’: ନେପାଳର ‘ମାରୁଣୀ’ ନୃତ୍ୟ ହେବ ମୁଖ୍ୟ ଆକର୍ଷଣ

youtube

ନୟାଗଡ଼, ୨୮/୧୧ (ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରାଜସୁନାଖଳା ପଞ୍ଚାୟତର ଗୌରବ ବହନ କରୁଥିବା ‘ରାଜସୁନାଖଳା ମହୋତ୍ସବ କାଉଁରୀ-୨୦୨୫’ ଚଳିତ ବର୍ଷ ସପ୍ତମ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ଏନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ କମିଟିର ସଭାପତି ତଥା ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଏବଂ ସମ୍ପାଦକ ଜୟେନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ଆୟୋଜିତ ଏହି ବୈଠକରେ ଚଳିତ ବର୍ଷ ମହୋତ୍ସବକୁ ଅଧିକ ବ୍ୟାପକ ଓ ଆକର୍ଷଣୀୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଡିସେମ୍ବର ୮ରୁ ୧୨ ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ:
ଆସନ୍ତା ଡିସେମ୍ବର ୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସିଟି ସ୍କୁଲ ପଡ଼ିଆରେ ଏହି ମହୋତ୍ସବ ଅନୁଷ୍ଠିତ ହେବ। ଚଳିତ ବର୍ଷ ମହୋତ୍ସବକୁ ‘ସିନେ ଉତ୍ସବ’ ଶୈଳୀରେ ଏକ ନୂଆ ରୂପ ଓ ଢଙ୍ଗରେ ଆୟୋଜନ କରାଯିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ତଥା ଜିଲ୍ଲା ପ୍ରଶାସନର ସହଯୋଗରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କଳା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦିଆଯାଇଛି।

ନେପାଳର ‘ମାରୁଣୀ’ ନୃତ୍ୟ ଓ ସାଂସ୍କୃତିକ ସନ୍ଧ୍ୟା:
ଚଳିତ ବର୍ଷ ମହୋତ୍ସବର ମୁଖ୍ୟ ଆକର୍ଷଣ ସାଜିବ ନେପାଳ ତଥା ପୂର୍ବ ଭାରତର ପ୍ରସିଦ୍ଧ ଲୋକନୃତ୍ୟ ‘ମାରୁଣୀ ଡ୍ୟାନ୍ସ’। ପଡ଼ୋଶୀ ଦେଶର ଏହି ନିଆରା ନୃତ୍ୟ ଦର୍ଶକଙ୍କ ମନ ମୋହିବ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରତିଷ୍ଠିତ କଳାକାର ଓ ସିନେ ଷ୍ଟାରମାନେ ଯୋଗଦେଇ ମଞ୍ଚ ଦୁଲୁକାଇବେ।

ଅତିଥି ଓ ବିଶିଷ୍ଟ ବ୍ୟକ୍ତି:
ମହୋତ୍ସବର ଉଦଘାଟନୀ ଉତ୍ସବରେ ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ପୂର୍ବ ପରମ୍ପରା ବଜାୟ ରଖି ଚଳିତ ବର୍ଷ ମଧ୍ୟ ମହାମହିମ ରାଜ୍ୟପାଳ ଉଦଯାପନୀ ଉତ୍ସବରେ ଯୋଗଦେବାର ସମ୍ଭାବନା ରହିଛି, ଯେଉଁଥିପାଇଁ କମିଟି ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ପ୍ରତି ସନ୍ଧ୍ୟାରେ ମନ୍ତ୍ରୀ, ପ୍ରଶାସକ, ସାମ୍ବାଦିକ ଓ ସାହିତ୍ୟିକମାନେ ଅତିଥି ଭାବେ ଯୋଗଦେବେ।

ମୀନା ବଜାର ଓ ପ୍ରତିଭା ଅନ୍ୱେଷଣ:
ମହୋତ୍ସବ ପରିସରରେ ମୀନା ବଜାର, ରାମ ଦୋଳି ସାଙ୍ଗକୁ ଏସଏଚଜି (SHG) ମହିଳାମାନଙ୍କ ବ୍ୟବସାୟ ପାଇଁ ସ୍ୱତନ୍ତ୍ର ଷ୍ଟଲର ବ୍ୟବସ୍ଥା କରାଯିବ। ସ୍ଥାନୀୟ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଛି ଏବଂ କୃତି ପ୍ରତିଯୋଗୀଙ୍କୁ ମହୋତ୍ସବ ମଞ୍ଚରେ ପୁରସ୍କୃତ କରାଯିବ।

ଏହି ପ୍ରସ୍ତୁତି ବୈଠକରେ ଉପସଭାପତି ପ୍ରସନ୍ନ କୁମାର ପ୍ରଧାନ, ମନୋଜ କୁମାର ମହାପାତ୍ର, ଜିତେନ୍ଦ୍ର ସାହୁ, ଧର୍ମେନ୍ଦ୍ର ସାହୁ, ସୂର୍ଯ୍ୟକାନ୍ତ ମିଶ୍ର, ସିଲୁ କାଳସୀ, ନିରଞ୍ଜନ ପ୍ରଧାନ, ସମିତି ସଭ୍ୟ ତପନ କୁମାର ପ୍ରଧାନ, ସନ୍ତୋଷ କୁମାର ପୃଷ୍ଟି, ସୁଶାନ୍ତ କୁମାର ନାୟକଙ୍କ ସମେତ ଉପଦେଷ୍ଟା ମଣ୍ଡଳୀ ଓ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.