ବିନା ମନ୍ତ୍ର ଓ ପୁରୋହିତରେ ସମ୍ପନ୍ନ ହେଲା ଆଦର୍ଶ ବିବାହ: ସମ୍ବିଧାନକୁ ସାକ୍ଷୀ ରଖି ଏକାଠି ହେଲେ ଭାନୁତେଜା ଓ ପ୍ରୀତିପନ୍ନା

youtube


ବ୍ରହ୍ମପୁର : ବିବାହ କେବଳ ଟଙ୍କା ପଇସାର ଖେଳ କିମ୍ବା ଯୌତୁକର କାରବାର ନୁହେଁ, ବରଂ ଏହା ହେଉଛି ଦୁଇଟି ମନର ପବିତ୍ର ମିଳନ। ବର୍ତ୍ତମାନ ସମୟରେ ବିବାହ ନାଁରେ ଚାଲିଥିବା ‘ମେଗା ସେଲିବ୍ରେସନ’ ଓ ଆଡମ୍ବରପୂର୍ଣ୍ଣ ଖର୍ଚ୍ଚରୁ ଦୂରେଇ ରହି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଦୁଇ ଉଚ୍ଚଶିକ୍ଷିତ ଯୁବକ ଯୁବତୀ। ଏଭଳି ଏକ ଆଦର୍ଶ ତଥା ବାସ୍ତବବାଦୀ ବିବାହର ଚିତ୍ର ଦେଖିବାକୁ ମିଳିଛି ସ୍ଥାନୀୟ ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ୍ ପରିସରରେ। ବର ଭାନୁତେଜା ଓ କନ୍ୟା ପ୍ରୀତିପନ୍ନା କୌଣସି ପୁରୋହିତ, ମନ୍ତ୍ର କିମ୍ବା ହୋମ ନିଆଁ ବଦଳରେ କେବଳ ଭାରତୀୟ ସମ୍ବିଧାନକୁ ସାକ୍ଷୀ ରଖି ଜୀବନ ସାଥୀ ଭାବେ ଶପଥ ଗ୍ରହଣ କରିଛନ୍ତି।
ବର ଭାନୁତେଜା ଓ କନ୍ୟା ପ୍ରୀତିପନ୍ନା ହାଇଦ୍ରାବାଦରେ ଏକାଠି କାମ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟଙ୍କର ଜାତି ଓ ଭାଷା ଭିନ୍ନ ଥିଲେ ମଧ୍ୟ ସେମାନଙ୍କର ମନର ମିଳନ ହୋଇଥିଲା। ଖୁସିର କଥା ହେଲା, ଉଭୟଙ୍କ ପରିବାର ଏହି ସମ୍ପର୍କକୁ ସ୍ୱୀକୃତି ଦେବା ସହ ଏହି ଆଦର୍ଶ ବିବାହକୁ ସମର୍ଥନ ଜଣାଇଥିଲେ।
ଏହି ବିବାହରେ ନଥିଲା ବରଯାତ୍ରୀଙ୍କ ପଟୁଆର, ନଥିଲା ବାଜା ବାଣର ଶବ୍ଦ କିମ୍ବା ଭୋଜିଭାତର ଅଯଥା ଖର୍ଚ୍ଚ। ହେତୁବାଦୀ ସଙ୍ଗଠନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବର-କନ୍ୟା ପରସ୍ପରକୁ ଫୁଲମାଳ ଦେଇ ଓ ଜୀବନସାରା ସାଥୀ ହୋଇ ରହିବାର ପ୍ରତିଶୃତି ଦେଇ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବହୁ ହେତୁବାଦୀ କର୍ମକର୍ତ୍ତା ଏଥିରେ ଯୋଗଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।
ଆଜିକାଲି ମଧ୍ୟମବିତ୍ତ ପରିବାର ପାଇଁ ବିବାହ ଏକ ଉତ୍ସବ କମ ଓ ଚିନ୍ତାର କାରଣ ଅଧିକ ପାଲଟିଛି। ଲୋକଦେଖାଣିଆ ପରମ୍ପରା ପାଇଁ ଅନେକ ପରିବାର ଋଣବୋଝରେ ଦବି ଯାଉଛନ୍ତି। ଏଭଳି ସ୍ଥିତିରେ ଜାତି, ଯୌତୁକ ଓ କର୍ମକାଣ୍ଡମୁକ୍ତ ଏହି ବିବାହ ସମାଜ ପାଇଁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.