ଛତ୍ରପୁର : ଆଜି କାଳିପଲ୍ଲି ପଞ୍ଚାୟତ ସ୍ଥିତ ବଡପୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଶିକ୍ଷା ଭିତ୍ତିଭୂମିକୁ ଉନ୍ନତ କରିବାର ଲକ୍ଷ୍ୟ ନେଇ ସ୍କୁଲ ଆସବାବ ଉପକରଣ ସାମଗ୍ରୀ ବଣ୍ଟନ କରାଯାଇଛି। ଆଜି ଏକ ସ୍ବତନ୍ତ୍ର କାର୍ଯକ୍ରମ ମାଧ୍ୟମରେ ମୋଟ 60ଟି ଦୁଇ ଆସନ ବିଶିଷ୍ଟ ପାଠ୍ୟ ଟେବୁଲ ସହିତ ଚେୟାର ସ୍କୁଲକୁ ହସ୍ତାନ୍ତର କରାଯାଇଥିଲା । ମୋଟ ୧୨୦ ଛାତ୍ରଛାତ୍ରୀ ଏହାକୁ ବ୍ୟବହାର କରିପାରିବେ ଯାହା ବିଦ୍ୟାଳୟର ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଟେ। ଗୋପାଳପୁର ବନ୍ଦର ବିଜନେସ ମୁଖ୍ୟ ଶ୍ରୀ ସନ୍ଦୀପ ଜୈସୱାଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଛତ୍ରପୁର ବ୍ଲକ ଅତିରିକ୍ତ ବ୍ଲକ ଶିକ୍ଷ୍ୟା ଅଧିକାରୀ ଶ୍ରୀମତୀ ସଂଯୁକ୍ତା ରଥଙ୍କ ଉପସ୍ଥିତିରେ ଏହି ସାମଗ୍ରୀ ଗୁଡିକୁ ବଣ୍ଟନ କରିଥିଲେ, ଯାହାର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ। ଏହା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ ମଧ୍ୟ ବଣ୍ଟନ କରାଯାଇଛି। ଦୀର୍ଘ ଦିନ ହେବ ଏହି ସ୍କୁଲରେ କୌଣସି ବେଞ୍ଚ ଓ ଡ଼େସ୍କ ନଥିବା ହେତୁ ପିଲାମାନେ ଶ୍ରେଣୀ ଗୃହରେ ପାଠ ପଢିବା ପାଇଁ ଅନେକ ସମସ୍ୟାର ସମୁଖୀନ ହେଉଥିଲେ। ବିଦ୍ୟାଳୟ କମିଟି ଓ ସରପଞ୍ଚଙ୍କ ଅନୁରୋଧକ୍ରମେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଏହି ଫର୍ନିଚର ଗୁଡିକୁ ଯୋଗାଇ ଦିଆଯାଇଛି। ଶ୍ରେଣୀଗୃହରେ ନୃତନ ବେଞ୍ଚ ଓ ଡ଼େସ୍କରେ ବସି ପାଠ ପଢିବା ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନେକ ଉତ୍ସାହ ପରିଲିଖିତ ହୋଇଥିଲା ।
ଏହି ଅବସରରେ ଶ୍ରୀ ଜୈସୱାଲ କହିଥିଲେ ଯେ ଶିକ୍ଷା ହେଉଛି ସମୃଦ୍ଧିର ମୂଳଦୁଆ ଏବଂ ଆମର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକୁ ସହଯୋଗ କରି ଆମର ଭବିଷ୍ୟତ ପିଢ଼ି ପାଇଁ ଏକ ଦୃଢ଼ ଭିତ୍ତିଭୂମି ନିର୍ମାଣ କରିବା ଆଦାନୀ ଫାଉଣ୍ଡେସନର ମୂଳ ଲକ୍ଷ୍ୟ ଅଟେ । ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ପାଠ୍ୟ ସୁବିଧା ଯୋଗାଇବା ସହ ସେମାନଙ୍କୁ ସଶକ୍ତ କରିବା ପାଇଁ ଆବଶ୍ୟକ ସମ୍ବଳ ନିଶ୍ଚିତ କରିବା ପ୍ରତି ଆମେ ସର୍ବଦା ବଦ୍ଧପରିକର। ଗୋପାଳପୁର ବନ୍ଦରର ପାର୍ଶ୍ଵବର୍ତୀ ପଞ୍ଚାୟତ ଗୁଡିକରେ ଖୁବ କମ ଦିନ ଭିତରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଅନେକ ସାମାଜିକ ଦାୟିତ୍ୱବୋଧ କାର୍ଯକ୍ରମ ହାତକୁ ନେଇ ଏହାକୁ କାର୍ୟକାରୀ କରିସାରିଛି ଯାହା ଆଦାନୀ ଫାଉଣ୍ଡେସନର ବ୍ୟାପକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
ଛତ୍ରପୁର ବ୍ଲକ ର ଅତିରିକ୍ତ ବ୍ଲକ ଶିକ୍ଷ୍ୟା ଅଧିକାରୀ ଶ୍ରୀମତୀ ସଂଯୁକ୍ତା ରଥ କହିଥିଲେ, ଆଦାନୀ ଫାଉଣ୍ଡେସନ ଦ୍ୱାରା ଯୋଗାଇ ଦିଆଯାଇଥିବା ଫର୍ଣ୍ଣିଚରଗୁଡ଼ିକ ଶ୍ରେଣୀ ଗୃହରେ ପାଠ ପଢିବା ପାଇଁ ଏକ ଉତ୍ତମ ବ୍ୟବସ୍ଥା ଅଟେ। ତେଣୁ ସମସ୍ତ ଛାତ୍ରଛାତ୍ରୀମାନେ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ପାଠ ପଢ଼ନ୍ତୁ ଯାହା ଏହି ବିଦ୍ୟାଳୟକୁ ସହଯୋଗ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଏବଂ ସଂସ୍ଥାକୁ ଆନନ୍ଦିତ କରିବ ।
ବଡପୁଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଜୟଦେବ ବେହେରା କହିଥିଲେ ଯେ ଆଦାନୀ ଫାଉଣ୍ଡେସନର ଏହି ପ୍ରୟାସ ଶ୍ରେଣୀଗୃହର ଶିକ୍ଷା ପରିବେଶକୁ ଉନ୍ନତ କରିବା ସହ ଗ୍ରାମାଞ୍ଚଳରେ ଶିକ୍ଷା ପାଇଁ ଅଧିକ ଅନୁକୂଳ ଏବଂ ଆରାମଦାୟକ ପରିବେଶ ସୃଷ୍ଟି କରିବ। ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଅଧିକ ଆକୃଷ୍ଟ କରିବ ଯାହା ଶ୍ରେଣୀଗୃହ ଉପସ୍ଥାପନା ବୃଦ୍ଧି କରିବାରେ ମଧ୍ୟ ସହାୟକ ହେବ । ଘରୋଇ ସ୍କୁଲରେ ଥିବା ସୁବିଧା ଭଳି ଆଜି ଆମ ସ୍କୁଲରେ ସୁବିଧା ମିଳିଛି ସେଥିପାଇଁ ଆଦାନୀ ଫାଉଣ୍ଡେସନକୁ ଆମେ ସାଧୁବାଦ ଜଣାଉଛୁ।
ଏହି କାର୍ଯକ୍ରମରେ କାଳିପଲ୍ଲି ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଶ୍ରୀ ଚନ୍ଦ୍ରମଣି ପାତ୍ର, , କ୍ରୀଷ୍ଣା ରେଡ୍ଡୀ, ସୋମେୟା ପାତ୍ର, ପି ରଶ୍ମୀତା, ଗୋପାଳପୁର ବନ୍ଦରର ଶିଳ୍ପ ସମ୍ପର୍କ ମୁଖ୍ୟ, ଶ୍ରୀ ଭକ୍ତ ବନ୍ଧୁ ଶତପଥୀ ଏବଂ ସିଏସଆର ବିଭାଗ ମୁଖ୍ୟ ଶ୍ରୀ ଦେବଦତ୍ତ ମିଶ୍ରଙ୍କ ସହ ବହୁ ଶିକ୍ଷକ, ଅଭିଭାବକ ଏବଂ କାଳିପଲ୍ଲି ପଞ୍ଚାୟତର ବହୁ ଭଦ୍ରଲୋକ ଉପସ୍ଥିତ ଥିଲେ।
