ପ୍ରଶାସନର ନିୟମ କୁ ଫୁ…!
ହିଞ୍ଜିଳିକାଟୁ : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ରାଜ୍ୟ ଶ୍ରମବିଭାଗ ପକ୍ଷରୁ ପୂର୍ବାହ୍ନ ୧୧ଟା ପରେ ଶ୍ରମିକମାନଙ୍କୁ କାମ କରିବା ପାଇଁ ବାରଣ କରାଯାଇଛି। ଏଥିପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସକାଳ ସମୟରେ କରାଯାଉଛି। ଯେଉଁଠି ଶ୍ରମିକମାନେ ମାନୁନାହାନ୍ତି କିମ୍ବା ଠିକାଦାରମାନେ ନିୟମ ଉଲ୍ଲଂଘନ କରୁଛନ୍ତି ଜିଲା ଶ୍ରମ ବିଭାଗର କର୍ମଚାରୀମାନେ ତାଗିଦ୍ କରିବା ସହ ସଚେତନତା ସୃଷ୍ଟି କରିଛନ୍ତି। ଅନ୍ୟପକ୍ଷରେ କମ୍ପାନୀ କିମ୍ବା ଠିକାଦାରଙ୍କୁ ଆର୍ଥିକ ଦଣ୍ଡ ଦେବା ସହ ସେମାନଙ୍କୁ ଅନୁମତି ମୂଳକ ପତ୍ର (ଲାଇସେନ୍ସ) କେତେକାଂଶରେ ରଦ୍ଦ କରୁଛନ୍ତି। ହିଞ୍ଜିଳିକାଟୁ ସହରରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଥିବା ଶ୍ରମିକ ଏବଂ ଠିକାଦାରଙ୍କ ପାଇଁ ବିଭାଗୀୟ ଅଧିକାରୀମାନେ ପାତରଅନ୍ତର ନୀତି ଆପଣାଇଥିବା ଦେଖିବାକୁ ମିଳିଛି। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରୀ ରହିଛି।ଖରା ତ ନୁହେଁ ଆକାଶ ରୁ ନିଆଁ ବର୍ଷୁଛି।
ପୂର୍ବାହ୍ନ ସାଢେ ୧୧ଟା ପରେ ହିଞ୍ଜିଳିକାଟୁ ସ୍ୱୟଂ ସାସିତ ମହାବିଦ୍ୟାଳୟରେ ପୁରୁଣା ହୋଷ୍ଟେଲ କୋଠା ଭଙ୍ଗା ଚାଲିଛି । । ଶ୍ରମିକମାନେ ପ୍ରାୟ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଡହ ଡହ ଖରାରେ ଛାତ ଉପରେ ଲୁହା ରଡ୍ ଉପରେ ଚଢ଼ି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଗ୍ରୀଷ୍ମପ୍ରବାହରୁ ଶ୍ରମିକଙ୍କ ଧନଜୀବନ ରକ୍ଷା ପାଇଁ ସମୟ ଧାର୍ଯ୍ୟ ହୋଇଛି। ନିର୍ଦ୍ଦିଷ୍ଟ ସମୟରେ ଶ୍ରମିକମାନଙ୍କୁ କାର୍ଯ୍ୟ କରିବା ପାଇଁ ସୁଯୋଗ ଦିଆଯାଇଛି। ଖରାରେ ଖଟୁଛନ୍ତି ଶ୍ରମିକ । ନିୟମକୁ ଖାତିର ନକରି ପ୍ରଚଣ୍ଡ ଖରାରେ ଚାଲିଛି ନିର୍ମାଣ କାମ ଓ ସରକାରୀ ନିୟମକୁ ଖୋଲାଖୋଲି ଉଲଂଘନ କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ମତ ପ୍ରକାଶ କରିଛନ୍ତି।
