ବାଲେଶ୍ବର : କ୍ରିପ୍ଟୋ ଇନଭେଷ୍ଟମେଣ୍ଟ ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ବାଲେଶ୍ୱର ଜିଲ୍ଲା ଅଦାଲତ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଓଡ଼ିଶା ଜମାକାରୀ ସ୍ୱାର୍ଥ ସୁରକ୍ଷା ଆଇନ, ୨୦୧୧ ଅନୁଯାୟୀ ଗଠିତ ନିର୍ଦ୍ଦିଷ୍ଟ ଅଦାଲତ ଦୋଷୀ ନୀଲେଶ କୁମାର କରଙ୍କୁ ୨.୩୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଆଇପିସି ଏବଂ ଆଇଟି ଆଇନର ବିଭିନ୍ନ ଧାରାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୨୦୨୩ ଏପ୍ରିଲ ୫ ତାରିଖରେ ଏହି ମାମଲା ରୁଜୁ କରାଯାଇଥିଲା ଏବଂ ଅଭିଯୁକ୍ତ ନିଲେଶ କରଙ୍କୁ ୨୦୨୩ ଏପ୍ରିଲ ୬ ତାରିଖରେ ବାଲେଶ୍ୱରରୁ ଗିରଫ କରାଯାଇଥିଲା।
ବାଲେଶ୍ୱରର ମହାମାନ୍ୟ ଜେନା ଅଭିଯୋଗ କରିଥିଲେ ଯେ ନିଲେଶ କର ତାଙ୍କୁ ଅତିରିକ୍ତ ଟଙ୍କା ରୋଜଗାର କରିବା ପାଇଁ ଏକ ଆପ୍ /ୱେବସାଇଟରେ ନିବେଶ କରିବାକୁ ପ୍ରୋତ୍ସାହିତ କରିଥିଲେ। ୨୦୨୩ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ସେ ୨,୧୩,୦୩୮ ଟଙ୍କା ନିବେଶ କରିଥିଲେ। ଶ୍ରୀ ଜେନା ଅଭିଯୋଗ କରିଛନ୍ତି ଯେ, ତାଙ୍କ ନିବେଶ ରାଶି ଉପରେ ତାଙ୍କୁ ୫୦ ଲକ୍ଷ ୫୭ ହଜାର ୧୧୭ ଟଙ୍କା ମିଳିବାର ଥିଲା ବେଳେ ହଠାତ୍ ୱେବସାଇଟ୍ କାମ କରିବା ବନ୍ଦ କରିଦେଇଥିଲା ଏବଂ ସେ ଟଙ୍କା ଉଠାଇ ପାରିନଥିଲେ ବୋଲି ଶ୍ରୀ ଜେନା ଅଭିଯୋଗ କରିଛନ୍ତି। ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଚ ଅଧୀନରେ ଥିବା ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ତଦନ୍ତ ବେଳେ ଜାଣିବାକୁ ପାଇଥିଲା ଯେ ଏହି ୱେବସାଇଟ୍ କ୍ରିପ୍ଟୋ କରେନ୍ସି ପାଇଁ କାର୍ଯ୍ୟ କରୁଥିଲା। ୩୭ ଦିନ ପରେ ୧୪୮୭.୨୫ ଟଙ୍କା ରିଟର୍ଣ୍ଣ ପାଇବାକୁ ହେଲେ ସଦସ୍ୟ ହେବା ପାଇଁ ସର୍ବନିମ୍ନ ୬୬୫ ଟଙ୍କା ନିବେଶ କରିବାକୁ ପଡ଼ିବ। ନିବେଶ ରାଶି ଉପରେ ଜଣେ ନିବେଶକ ଦୈନିକ ପ୍ରାୟ ୪୦ ଟଙ୍କା ରୋଜଗାର କରିବେ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।
ଦୋଷୀ ନିଲେଶ କର ବାଲେଶ୍ୱର ଜିଲ୍ଲାର ନକଲି ୱେବସାଇଟର ପରିଚାଳକ ଥିବାରୁ ଜେନାଙ୍କ ସମେତ ଓଡ଼ିଶାର ୪୦୦ରୁ ଅଧିକ ଲୋକଙ୍କୁ ଏହି ୱେବସାଇଟର ସଦସ୍ୟ ହେବାକୁ ପ୍ରୋତ୍ସାହିତ କରିଥିଲେ ବୋଲି ଇଓଡବ୍ଲୁ କହିଛି। ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ଦୋଷୀ ଆରବିଆଇର ନକଲି ଅନୁମତି ପତ୍ର ଦେଖାଇଥିଲା। ଟଙ୍କା ଆଦାୟ କରିବା ପରେ ହଠାତ୍ ୱାଲେଟ ଓ ୱେବସାଇଟ ବନ୍ଦ ହୋଇଯାଇଥିଲା। ବାଲେଶ୍ୱର ଓପିଆଇଡି କୋର୍ଟର ସ୍ବତନ୍ତ୍ର ସରକାରୀ ଓକିଲ କହିଛନ୍ତି ଯେ ଦୋଷୀ ଅନ୍ୟ ଅଭିଯୁକ୍ତଙ୍କ ସହ ମିଶି ନିବେଶକଙ୍କ ଠାରୁ ୧ କୋଟି ୧୩ ଲକ୍ଷ ଟଙ୍କା ଠକେଇ କରିଛନ୍ତି।
ଅଭିଯୁକ୍ତ ନିଲେଶ କର ତାଙ୍କୁ ‘କ୍ଲାଉଡ୍-ଫୁଟ୍’ ନାମକ ଏକ ଆପ୍/ୱେବସାଇଟରେ ଟଙ୍କା ନିବେଶ କରି ଅଧିକ ଟଙ୍କା ରୋଜଗାର କରିବାକୁ ପ୍ରୋତ୍ସାହିତ କରିଥିଲେ। ସେହି ଅନୁଯାୟୀ, ମହାମାନ୍ୟ ୨୦୨୩ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଜମା କରି ସମୁଦାୟ ୨,୧୩,୦୩୮/- ଟଙ୍କା ବିନିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ୫୦,୫୭,୧୧୭/- ଟଙ୍କା ମିଳିବ ବୋଲି କ୍ଲାଉଡ୍-ଫୁଟ୍’ ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ହଠାତ୍ ସମ୍ପୃକ୍ତ ୱେବସାଇଟଟି ବନ୍ଦ ହୋଇଯାଇଥିଲା। ଫଳରେ ମହାମାନ୍ୟ ଟଙ୍କା ଉଠାଇବାରେ ସକ୍ଷମ ହୋଇନଥିଲେ। ପରବର୍ତ୍ତୀ ସମୟରେ ସେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ।
ଅଭିଯୁକ୍ତ ନିଲେଶ କର ବାଲେଶ୍ୱର ଜିଲ୍ଲା ପାଇଁ ଏହି ନକଲି ୱେବସାଇଟର ମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ। ସାରା ରାଜ୍ୟରେ ୪୦୦ରୁ ଅଧିକ ଲୋକଙ୍କୁ ଏହି ୱେବସାଇଟର ସଦସ୍ୟ ହେବାକୁ ପ୍ରୋତ୍ସାହିତ କରିଥିଲେ ବୋଲି ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା।
ଜମାକାରୀଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ନୀଲେଶ ଆରବିଆଇର ନକଲି ଅନୁମୋଦନ ପତ୍ର ଏବଂ ‘କ୍ଲାଉଡ୍-ଫୁଟ୍’ର ନିଯୁକ୍ତି ପତ୍ର ମଧ୍ୟ ଦେଖାଇଥିଲେ। ଫଳରେ ସାରା ରାଜ୍ୟର ଜମାକାରୀମାନେ କୋଟି କୋଟି ଟଙ୍କା ପୁଞ୍ଜି ନିବେଶ କରିଥିଲେ। ଅନୁସନ୍ଧାନରୁ ଜଣାପଡିଛି ଯେ, ସାରା ଦେଶରେ ନକଲି ୱେବସାଇଟ୍ ‘କ୍ଲାଉଡ୍-ଫୁଟ୍’କୁ କ୍ରିପ୍ଟୋ ନିବେଶ ନାମରେ ଦେଶବ୍ୟାପୀ ନିବେଶକମାନଙ୍କୁ ଠକିବା ପାଇଁ ବ୍ୟବହାର କରାଯାଉଥିଲା।
ବାଲେଶ୍ୱର ଓପିଆଇଡି କୋର୍ଟର ସ୍ୱତନ୍ତ୍ର ସରକାରୀ ଓକିଲ ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ। ଇନ୍ସପେକ୍ଟର ତାପସ ରଞ୍ଜନ ସାହୁ ଏହି ମାମଲାର ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ୱ ନେଇଥିଲେ।
