ପାକିସ୍ତାନକୁ ଚେନାବ ନଦୀ ପାଣି ବନ୍ଦ କଲା ଭାରତ

add-all

ପହଲଗାଓଁ ଆକ୍ରମଣ ପରେ ପାକିସ୍ତାନକୁ କୂଟନୈତିକ ସ୍ତରରେ ଆଉ ଏକ ବଡ଼ ଝଟକା ଦେଇଛି ଭାରତ। ସିନ୍ଧୁ ନଦୀ ଜଳ ଚୁକ୍ତିକୁ ଭାରତ ରଦ୍ଦ କରିବା ପରେ ଏବେ ଚେନାବ ନଦୀ ଜଳକୁ ବନ୍ଦ କରିଦେଇଛି। ଚେନାବ ନଦୀର ବଗଲିହାର ଡ୍ୟାମରୁ ପାକିସ୍ତାନକୁ ଯାଉଥିବା ପାଣିକୁ ଭାରତ ଅଟକାଇଦେଇଛି। ଏହା ସହିତ କିଶନଗଙ୍ଗା ଡ୍ୟାମରୁ ବି ପାକିସ୍ତାନକୁ ଜଳ ବନ୍ଦ କରିବା ଦିଗରେ ପଦକ୍ଷେପ ନେବାକୁ ଯୋଜନା ଚାଲିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଜାମ୍ମୁର ରାମବନଠାରେ ବଗଲିହାର ଏବଂ ଉତ୍ତର କାଶ୍ମୀରର କିଶନଗଙ୍ଗା ଜଳବିଦ୍ୟୁତ ଡ୍ୟାମ ଜରିଆରେ ଭାରତ ନିଜ ଆଡୁ ପାଣି ଛାଡ଼ିବାର ସମୟକୁ ନିୟନ୍ତ୍ରଣ କରିପାରିବ। ଅର୍ଥାତ ଏହି ଡ୍ୟାମ ଜରିଆରେ ପାକିସ୍ତାନକୁ ଛଡ଼ାଯାଉଥିବା ଜଳ ବିନା କୌଣସି ପୂର୍ବ ସୂଚନା ଦେଇ ରୋକାଯାଇ ପାରିବ ଏବଂ ମାତ୍ରାଧିକ ଜଳ ଛଡ଼ାଯାଇ ପାରିବ।

ବିଶ୍ଵ ବ୍ୟାଙ୍କର ମଧ୍ୟସ୍ଥତାରେ ଭାରତ-ପାକିସ୍ତାନ ମଧ୍ୟରେ ୧୯୬୦ରେ ସିନ୍ଧୁ ଜଳ ଚୁକ୍ତି କରାଯାଇଥିଲା। ଏହା ଅଧୀନରେ ସିନ୍ଧୁ ନଦୀ ଏବଂ ଏହାର ଉପନଦୀଗୁଡ଼ିକର ପାଣିକୁ ଦୁଇ ଦେଶ ମଧ୍ୟରେ ଆବଣ୍ଟନ କରିବାକୁ ନିଷ୍ପତ୍ତି ହୋଇଥିଲା। ଚେନାବ ନଦୀରେ ତିଆରି ହୋଇଥିବା ବଗଲିହାର ଡ୍ୟାମକୁ ନେଇ ବି ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଦୀର୍ଘ ସମୟରୁ ବିବାଦ ରହିଆସିଥିଲା। ପାକିସ୍ତାନ ପୂର୍ବରୁ ବିଶ୍ଵବ୍ୟାଙ୍କକୁ ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଦାବି କରିଥିଲା।

ad-week
Leave A Reply

Your email address will not be published.