ଭାରତକୁ ବନ୍ଧୁ ଦରକାର, ଉପଦେଶ ଦେଉଥିବା ରାଷ୍ଟ୍ର ନୁହେଁ: ଜୟଶଙ୍କର

ଭାରତ ପାଇଁ ବନ୍ଧୁର ଆବଶ୍ୟକତା ରହିଛି। ଉପଦେଶ ଦେଉଥିବା ଦେଶର ଆବଶ୍ୟକତା ନାହିଁ। ୟୁରୋପ ଉଦ୍ଦେଶ୍ୟରେ ଏଭଳି କଠୋର ମନ୍ତବ୍ୟ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ରବିବାର ଆର୍କଟିକ୍‌ ସର୍କଲ ଇଣ୍ଡିଆ ଫୋରମ ୨୦୨୫ରେ ଯୋଗଦେଇ ଜୟଶଙ୍କର କହିଛନ୍ତି, ଭାରତ ସହିତ ନିବିଡ଼ ସମ୍ପର୍କ ରଖିବାକୁ ହେଲେ ୟୁରୋପକୁ କିଛି ସମ୍ବେଦନଶୀଳତା ଏବଂ ପରସ୍ପରର ହିତ ସାଧନ ହେଲା ଭଳି ମନୋଭାବ ପ୍ରଦର୍ଶନ କରିବାକୁ ହେବ। ବର୍ତ୍ତମାନ ସମୟରେ ନୂଆଦିଲ୍ଲୀ ବନ୍ଧୁ ଖୋଜୁଛି, ଉପଦେଶ ଦେଉଥିବା ଦେଶ ନୁହେଁ।

ଫୋରମର ଏକ ଅଧିବେଶନକୁ ସମ୍ବୋଧିତ କରି ଜୟଶଙ୍କର କହିଥିଲେ, ଭାରତ ସର୍ବଦା ରୁଷର ଯଥାର୍ଥବାଦକୁ ପ୍ରଶଂସା କରିଛି। ଭାରତ ଏବଂ ରୁଷ ମଧ୍ୟରେ ମହତ୍ଵପୂର୍ଣ୍ଣ ସାମଞ୍ଜସ୍ୟ ରହିଛି। ଦୁଇ ଦେଶ ପରସ୍ପରର ହିତ ଦିଗରେ କାର୍ଯ୍ୟ କରନ୍ତି।

ସେ ଆହୁରି କହିଥିଲେ, ଯେଉଁଭଳି ଭାବେ ମୁଁ ରୁଷର ଯଥାର୍ଥବାଦର ସମର୍ଥକ, ସେପରି ଭାବେ ଆମେରିକାର ଯଥାର୍ଥବାଦର ବି ସମର୍ଥକ। ଆଜିର ଆମେରିକା ସହିତ ଯୋଡ଼ିହେବାର ସବୁଠୁ ଉତ୍ତମ ମାଧ୍ୟମ ହେଉଛି ଦୁଇ ଦେଶ ପରସ୍ପରର ହିତ ସାଧନ ଦିଗରେ କାର୍ଯ୍ୟ କରିବା। ବୈଚାରିକ ମତଭେଦ ରଖି ଆଗକୁ ବଢ଼ିଲେ ପରସ୍ପରର ହିତ ଦିଗରେ କାର୍ଯ୍ୟ କରିବାର ସମ୍ଭାବନା ନଷ୍ଟ ହୋଇଯିବ ବୋଲି ସେ କହିଥିଲେ।

ୟୁରୋପଠାରୁ ଭାରତ କ’ଣ ଚାହୁଁଛି ବୋଲି ଏକ ପ୍ରଶ୍ନର ଉତ୍ତରରେ ଜୟଶଙ୍କର କହିଥିଲେ, ୟୁରୋପ ଅନ୍ୟ ଉପଦେଶ ଦେବା ଅଭ୍ୟାସ ଛାଡ଼ି ପରସ୍ପରର ହିତ ସାଧନ ଦିଗରେ କାର୍ଯ୍ୟ କରିବାକୁ ହେବ। ଯେତେବେଳେ ଆମେ ଦୁନିଆକୁ ଦେଖୁଛୁ, ସେତେବେଳେ ଆମେ ସହଭାଗୀଙ୍କୁ ଖୋଜୁଛୁ। ପ୍ରଚାରକ ଖୋଜୁନାହୁଁ। ବିଶେଷକରି ଏମିତି ପ୍ରଚାରକ ଯେଉଁମାନେ ବିଦେଶକୁ ଯାଇ ଉପଦେଶ ଦିଅନ୍ତି, କିନ୍ତୁ ତାହାକୁ ନିଜ ଦେଶରେ ଲାଗୁ କରନ୍ତି ନାହିଁ। ୟୁରୋପର କିଛି ଅଂଶ ଏବେ ବି ଏହି ସମସ୍ୟା ଭିତରେ ରହିଛନ୍ତି। ଆଉ କିଛି ଅଂଶରେ ପରିବର୍ତ୍ତନ ଆସିଛି।

nis-ad
Leave A Reply

Your email address will not be published.