ଚିକିଟୀ : ଏହି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଧାନଘର ସ୍ଥିତ ଓଁ ଶ୍ରୀଗୁରୁ ଆଦିବାସୀ ଆବାସିକ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ପୂର୍ବତନ ଗୋଷ୍ଟୀ ଶିକ୍ଷା ଅଧିକାରୀ ତଥା ବର୍ତ୍ତମାନର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡା, ଗୋଷ୍ଟୀ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ସୋରଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶାନ୍ତୁନୁ ମହାପାତ୍ର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀମାନଙ୍କ ତରଫରୁ ବହୁ ଆଡମ୍ବର ସହକାରେ ପ୍ରଦାନ କରାଯାଇଛି l ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମୁଖ୍ୟ ଅତିଥି, ଗୋଷ୍ଟୀ ଶିକ୍ଷା ଅଧିକାରୀ, ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ନିଗମାନନ୍ଦ ପଣ୍ଡା ସମ୍ମାନନୀୟ ଅତିଥିଭାବେ ଯୋଗ ଦେଇଥିଲେ l
ଅତିଥିମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇ ସଭା ସ୍ଥଳକୁ ପାଛୋଟି ନିଆଯାଇ ଅତିଥିମାନଙ୍କ ଦ୍ଵାରା ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା l ସୁଦୀପ୍ତ କୁମାର ପଟ୍ଟନାୟକ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଅତିଥିମାନଙ୍କୁ ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦ୍ଵାରା ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା l ବି. ଇ. ଓ ପନ୍ନଗ ଭୂଷଣ ମାଝୀ,ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଳା ପାଣିଗ୍ରାହୀ, ଭାନୁମତି ଜେନା, ପ୍ରଧାନଶିକ୍ଷକ ସରୋଜ କୁମାର ମହାନ୍ତି ପ୍ରମୁଖ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ସମର୍ପିତ ଭାବ,କାର୍ଯ୍ୟ ଦକ୍ଷତା, ସମୟାନୁବର୍ତ୍ତୀତା, ସରଳ ଅମାୟିକ ବ୍ୟବହାର, ସାହାଯ୍ୟକାରୀ ମନୋବୃତ୍ତିର ଅନୁଭୂତିକୁ ପ୍ରକାଶ କରିଥିଲେ ଓ ସମ୍ମାନିତ ଅତିଥି ମହାପାତ୍ରଙ୍କ ସରଳ ନିଷ୍କପଟ ଓ ଛାତ୍ର ଛାତ୍ରୀଙ୍କ ଉନ୍ନତି କଳ୍ପେ ରହିଥିବା ଚିନ୍ତାଧାରା ସମ୍ପର୍କରେ ଆଲୋକପାତ କରିଥିଲେ l ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟିତ୍ରୀ ଉପସ୍ଥିତ ରହିଥିବାବେଳେ ବିଦ୍ୟାଳୟର ଶିକ୍ଷକ କର୍ମଚାରୀମାନେ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ l
