କୋର୍ଟରେ ସାକ୍ଷ୍ୟ ପ୍ରଦାନକୁ କେନ୍ଦ୍ର କରି ୨ ପରିବାର ହାତାହାତି, ୩ ଆହତ

youtube

ହିଞ୍ଜିଳିକାଟୁ : ଏକ ଗଣ୍ଡଗୋଳ ମାମଲାରେ ସାକ୍ଷ୍ୟ ପ୍ରଦାନକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଛି । ଉଭୟ ପରିବାରଙ୍କ ଆକ୍ରମଣ ଓ ପ୍ରତି ଆକ୍ରମଣରେ ଉଭୟ ପରିବାରର ୩ ଜଣ ଆହତ ହୋଇଛନ୍ତି। ଏଭଳି ଏକ ଘଟଣା ମଙ୍ଗଳବାର ଅପରାହ୍ନରେ ହିଞ୍ଜିଳି ଥାନା ପିତଳ ଗ୍ରାମରେ ଘଟିଛି। ଆହତ ମାନେ ହେଲେ ସୌରେନ୍ଦ୍ରୀ ସାହୁ (୪୮), ସ୍ବାମୀ ଶଙ୍କର ସାହୁ (୫୫) ଓ ଅପର ପରିବାରର ପର୍ଶୁରାମ ସାହୁ (୬୦) ।‌ ଘଟଣା ନେଇ ଉଭୟ ପରିବାରଙ୍କ ପକ୍ଷରୁ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ହିଞ୍ଜିଳି ପୁଲିସ ୨ଟି ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ।
ପୁଲିସ ସୂଚନା ପ୍ରକାରେ, ହିଞ୍ଜିଳି ଥାନା ପିତଳ ଗ୍ରାମର ପର୍ଶୁରାମ ସାହୁଙ୍କ ସହ ପଡୋଶୀଙ୍କ ମଧ୍ୟରେ ପୂର୍ବରୁ ଏକ ଗଣ୍ଡଗୋଳ ମାମଲା ରହିଛି। ସଂପୃକ୍ତ ମାମଲାରେ ଶଙ୍କର ସାହୁ ସାକ୍ଷୀ ରହିଥିଲେ। ଗତ କିଛି ଦିନ ପୂର୍ବେ ସଂପୃକ୍ତ ମାମଲାରେ ଶଙ୍କର ସାକ୍ଷ୍ୟ ପ୍ରଦାନ କରିବାକୁ କୋର୍ଟକୁ ଯାଇଥିଲେ। ମଙ୍ଗଳବାର ଅପରାହ୍ନରେ ଶଙ୍କରଙ୍କ ସ୍ତ୍ରୀ ସୌରେନ୍ଦ୍ରୀ ଘର ବାରଣ୍ଡାରେ ବସିଥିବା ବେଳେ ପର୍ଶୁରାମଙ୍କ ସମେତ ତାଙ୍କର ୨ ପୁଅ ଜୟ ସାହୁ (୪୦) ଓ ବାବୁ ସାହୁ (୩୦) ଶଙ୍କରଙ୍କ ଘର ସମ୍ମୁଖରେ ପହଞ୍ଚି କୋର୍ଟରେ କାହିଁକି ସାକ୍ଷ୍ୟ ପ୍ରଦାନ କରିବାକୁ ଗଲ ବୋଲି କହିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଘର ବାହାରେ ପାଟି ଶୁଣି ଶଙ୍କର ବାହାରକୁ ଆସି ପ୍ରତିବାଦ କରିବାରୁ ପର୍ଶୁରାମଙ୍କ ସହ। ତାଙ୍କର ୨ ପୁଅ ମିଶି ଶଙ୍କର ଓ ସ୍ତ୍ରୀ ସୌରେନ୍ଦ୍ରୀଙ୍କୁ ଏକ ଠେଙ୍ଗାରେ ଆକ୍ରମଣ କରିଥିଲେ। ପରବର୍ତ୍ତୀ ସମୟରେ ଯଦି ପୁର୍ନବାର କେବେ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିବାକୁ ଗଲେ ହତ୍ୟା କରିବାକୁ ଧମକ ଦେଇଥିଲେ।‌ ଆକ୍ରମଣରେ ଉଭୟ ସ୍ବାମୀ – ସ୍ତ୍ରୀ ଆହତ ହୋଇ ତଳେ ପଡିଯିବାରୁ ଆକ୍ରମଣକାରୀ ବାପା ଓ ୨ ପୁଅ ଘଟଣା ସ୍ଥଳରୁ ଦୌଡ଼ି ପଳାଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ପରେ ଘଟଣା ନେଇ ସୌରେନ୍ଦ୍ରୀ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନମ୍ବର -୩୯୧/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ଅନ୍ୟପକ୍ଷରେ ମଙ୍ଗଳବାର ଅପରାହ୍ନରେ ପର୍ଶୁରାମ ଗ୍ରାମ ଛକରେ ଚାହା ପିଉଥିବା ସମୟରେ ଶଙ୍କର ଓ ତାଙ୍କ ପୁଅ ଦେବାଶିଷ ସାହୁ ମିଶି ମୁଥ ମାରିବା ସହ ନିକଟରେ ଥିବା ଏକ ଇଟାଗଦାକୁ ଠେଲି ଦେବାରୁ ସେ ଆହତ ହୋଇଥିଲେ ବୋଲି ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନମ୍ବର -୩୯୨/୨୫ ରେ ଆଉ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି।

Leave A Reply

Your email address will not be published.