
ମାଲକାନଗିରି : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ଟେଲିକମ ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାର ବିଭିନ୍ନ ସ୍ଥାନରେ ମୋବାଇଲ ନେଟୱାର୍କର ଆବଶ୍ୟକତା ରହିଛି । କାରଣ ଯୋଗାଯୋଗ, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଏସବୁର ପୂର୍ଣ୍ଣ ଉପଯୋଗ ହେବ । ଏହି ପରିପ୍ରେକ୍ଷୀରେ ଲୋକସଭା ସାଂସଦ ଇଂ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଟେଲିକମ୍ ସଂସ୍ଥାମାନଙ୍କ ସହ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାର ସବୁ ସ୍ଥାନରେ ମୋବାଇଲ ନେଟୱାର୍କ ନାହିଁ । ସ୍ବାଭିମାନ ଅଞ୍ଚଳ, ବଣ୍ଡାଘାଟି ଓ ପଡିଆ ଭଳି ଅଞ୍ଚଳର ମୋବାଇଲ ନେଟୱାର୍କ ସୁଦୃଢ ନୁହେଁ । ଦୁର୍ଗମ ଅଞ୍ଚଳରେ କିଭଳି ଅବିରତ ମୋବାଇଲ ନେଟୱାର୍କ ସେବା ମିଳିପାରିବ ଏବଂ ଜନସାଧାରଣ ତୁରନ୍ତ ମୋବାଇଲ ନେଟୱାର୍କ ସେବାକୁ ହାତ ପାହାନ୍ତାରେ ପାଇପାରିବେ ତାହା ଉପରେ ସାଂସଦ ବୈଠକରେ ଗୁରୁତ୍ବାରୋପ କରିଛନ୍ତି ।
ଏଥିସହିତ ସ୍ବାଭିମାନ ଅଞ୍ଚଳରେ ଦୁର୍ବଳ ନେଟୱାର୍କର ସୁଦୃଢୀକରଣ ନିମନ୍ତେ ସାଂସଦ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ବିଭିନ୍ନ ଭୂତଳ, ଟେଲିଫୋନ୍ ଭିତ୍ତିଭୂମି ନିର୍ମାଣ ସମୟାନୁଭିତ୍ତିକ ତ୍ବରାନ୍ବିତ ହୋଇପାରିବ ବୋଲି ସାଂସଦ ଆଶା ପ୍ରକାଶ କରିଛନ୍ତି ।
ଏହି ବୈଠକରେ ଜିଲ୍ଲାରେ କିଭଳି ସମସ୍ତ ଗ୍ରାମରେ ମୋବାଇଲ ନେଟୱର୍କ ଉପଲବ୍ଧ ହେବ ସେ ନେଇ ଆଲୋଚନା କରିବା ସହ ଜିଲ୍ଲାରେ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ସ୍ଥାପନ କରୁଥିବା ଜିଓ, ବିଏସଏନଏଲ ମୋବାଇଲ୍ ଟାୱାର ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ମାଲକାନଗିରି ଜିଲ୍ଲାରେ ସରକାରଙ୍କ ପକ୍ଷରୁ ରିଲାଇନ୍ସ ଜିଓକୁ ୨୨୪ ଟାୱାର ଓ ବିଏସଏନଏଲ କୁ ୪୮ ଟି ସ୍ଥାନରେ ଟାୱାର ସ୍ଥାପନ କରିବା ପାଇଁ ଦିଆ ଯାଇଅଛି। ବର୍ତମାନ ସୁଦ୍ଧା ରିଲାଇନ୍ସ ଜିଓ ୧୩୪ ଗୋଟି ସ୍ଥାନରେ ଏବଂ ବିଏସଏନଏଲ ୧୮ ଗୋଟି ସ୍ଥାନରେ ଟାୱାର ସ୍ଥାପନ କରି ସେବା ଯୋଗାଉଥିବା ବେଳେ ବାକି ରହିଥିବା ଟାୱାର ନିର୍ମାଣ କାମ ଆସନ୍ତା ୪ ମାସ ମଧ୍ୟରେ ଉଭୟ ସଂସ୍ଥା ପ୍ରକଳ୍ପ କାମ ଶେଷ କରିବାର ଲକ୍ଷ୍ୟ ରଖିଛନ୍ତି । ସେହିଭଳି ମାଲକାନଗିରି ଜିଲ୍ଲାରେ ଏଲ ଡବ୍ଲୁ ଇ -୧ ପ୍ରକଳ୍ପ ଅଧୀନରେ ନିର୍ମାଣ ହୋଇଥିବା ୨୮ ଗୋଟି ୨ ଜି ବିଏସେନେଲ ଟାୱାରକୁ ଆସନ୍ତା ଦୁଇ ମାସ ମଧ୍ୟରେ 4G ଟାୱାର ରେ ପରିବର୍ତ୍ତନ କରାଯିବ ବୋଲି ସୂଚନା ଦେଇଥିଲା ବିଏସଏନେଲ ।
ଏହି ବୈଠକରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ , ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଗୋବିନ୍ଦ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜ କିଶୋର ଦାସ ମଞ୍ଚାସୀନ ଥିଲେ।ଜିଲ୍ଲା ଇ ଗଭର୍ଣ୍ଣାନ୍ସ ମ୍ୟାନେଜର ଶୁଭାଶିଷ ପଟ୍ଟନାୟକ ଜିଲ୍ଲାରେ ଚାଲିଥିବା ଟେଲିକମ ସେବା ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।