
ଉମରକୋଟ /ଝରୀଗାଁ : ପିଡବ୍ଲୁଡି ବିଭାଗ ପକ୍ଷରୁ ଧାମନାଗୁଡା ଠାରୁ ଝରିଗାଁ ପର୍ଯ୍ୟନ୍ତ ରାସ୍ତାର ପିଚୁ କାମ ଦୁଇମାସ ପୂର୍ବେ ନିର୍ମାଣ କାମ ଶେଷ ହୋଇଥିଲା । ପଟ୍ଟା ଜମି ସମସ୍ୟା ଯୋଗୁଁ ଝରିଗାଁ ଠାରୁ ପ୍ରାୟ ଆନୁମାନିକ ଦୁଇ କିଲୋମିଟର ରାସ୍ତା କାମ ନିର୍ମାଣ ହୋଇ ପାରୁ ନ ଥିଲା । କିନ୍ତୁ ଜମି ସମସ୍ୟାର ସମାଧାନ ପରେ ଗତ ଦୁଇ ମାସ ତଳେ କଲଭେଟ ସହ ରାସ୍ତା ନିର୍ମାଣ ହୋଇଥିଲା । ବର୍ତ୍ତମାନ ସାମାନ୍ୟ ବର୍ଷା ଯୋଗୁଁ ମାଟି ଧସିଯିବା ସହ ପିଚୁ ରାସ୍ତା ମଧ୍ୟ ଦବି ଯାଇଥିବା ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ଦେଖିବା ପରେ ରାସ୍ତା କାମର ମାନକୁ ନେଇ ସ୍ଥାନୀୟ ଲୋକ ପ୍ରଶ୍ନ ଉଠାଇଛନ୍ତି ଯେ, ଓଡ଼ିଶା ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି ଅଞ୍ଚଳର ଜଣ ସାଧାରଣ ସହ ଛୋଟ ବଡ଼ ଯାନବାହାନ ଅନାୟାସରେ ଯାଇ ପାରିବ କହି। ସେହି ରାସ୍ତା ନିର୍ମାଣ ହେଲା ପରେ ଦୁଇ ମାସ ନ ପୁରିବା ଭିତରେ ଯଦି ଧସି ଯାଏ ବା ଦବୀ ଯାଏ ତାହା ହେଲେ ଏହି ପୂର୍ତ୍ତ ବିଭାଗ କୁ ” ଗର୍ତ୍ତ ବିଭାଗ “କାହିଁକି କୁହା ଯିବ ନାହିଁ ବୋଲି ଅଞ୍ଚଳରେ ଚର୍ଚ୍ଚା ବେଶ ଜୋର ଧରିଛି।
ଝରିଗାଁ ଠାରୁ ଧାମନାଗୁଡ଼ା ପର୍ଯ୍ୟନ୍ତ ପ୍ରାୟ ୩୦ କିଲୋମିଟର ରାସ୍ତା ପିଡବ୍ଲୁଡି ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ହେଇଛି । ପିଡବ୍ଲୁଡି ପୂର୍ତ୍ତ ବିଭାଗର କାମ ସଠିକ ହୋଇ ନ ଥିବା ଯୋଗୁଁ ସାମାନ୍ୟ ବର୍ଷାରେ ପିଚୁ ରାସ୍ତା ଏବଂ କଲଭେଟ ମଝି ଭାଗରେ ପଡିଥିବା ମାଟି ଉଭୟ ପାର୍ଶ୍ୱ ଦବି ଯାଇଥିବା ଝରୀଗାଁ ଅଞ୍ଚଳବାସୀଙ୍କ ଅଭିଯୋଗ ହୋଇଛି । ମାଟି ଦବି ଯିବା ଯୋଗୁଁ କଲଭେଟ ନିକଟରେ ପିଚୁ ରାସ୍ତାର ଉଭୟ ପାର୍ଶ୍ୱ ମଧ୍ୟ ଦବି ଯାଇଛି।ଫଳରେ ଯେକୌଣସି ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ହୋଇପାରେ କହି ବୁଦ୍ଧିଜୀବୀ ମହଳରେ ମଧ୍ୟ ଆଲୋଚନାର ବିଷୟ । ରାସ୍ତା କାର୍ଯ୍ୟ ସମ୍ପୂର୍ଣ ହେବାର ଦୁଇ ମାସ ଭିତରେ ନଷ୍ଟ ହୋଇ ଯାଇଥିବା ବେଳେ ନିମ୍ନମାନର ରାସ୍ତା କାମ ଜେ.ଇ.ମାନଙ୍କର ସହ ଠିକାଦାରର ମଧୁଚନ୍ଦ୍ରିକା ଥିବାରୁ ଏହି ଭଳି ରାସ୍ତା କାମ କରିଛି କହି ଝରୀଗାଁ ଅଞ୍ଚଳର ଜଣ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି।
ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଏହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରା ନ ଗଲେ ଅଧିକ ବର୍ଷା ହେଲେ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ ହେବାର ଆଶଙ୍କା ଦେଖା ଦେବ। ଏଠାରେ ପ୍ରକାଶ ଥାଉ କି, ଝରିଗାଁ-ଧାମନାଗୁଡା ରାସ୍ତା ନୂତନ ଭାବେ ନିର୍ମାଣ ହେବା ପରେ ଚନ୍ଦାହାଣ୍ଡି ଏବଂ ଝରିଗାଁ ବ୍ଳକର ପ୍ରାୟ ଲୋକ ନବରଙ୍ଗପୁର ଜ଼ିଲ୍ଲା ଯିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି।ଏହି ରାସ୍ତାରେ ଗଲେ ଟ୍ରାଫିକ ସମସ୍ୟା ନଥିବା ସହ କମ୍ ସମୟ ମଧ୍ୟରେ ଡ଼ାବୁଗାଁ ପହଞ୍ଚି ହେଉଛି। ଏହି ରାସ୍ତାରେ ଗାଡି ଚଳାଚଳ ସବୁ ବେଳେ ସବୁ ସମୟରେ ହୋଇଥାଏ, ତେଣୁ ଝରୀଗାଁ ସହ ଚାନ୍ଦାହାଣ୍ଡି ଓ ଆଖ ପାଖର ଜଣ ସାଧାରଣ ଏହି ପରି ପୂର୍ତ୍ତ ବିଭାଗର ନିମ୍ନମାନର ରାସ୍ତା କାମକୁ ଜ଼ିଲ୍ଲା ପ୍ରଶାସନ ତୁରନ୍ତଦୃଷ୍ଟି ଦେଇ ଏହାର ସମାଧାନ ପ୍ରାର୍ଥନା କରିଛନ୍ତି।