ଅନୁସୂଚିତ ଜାତି, ଜନଜାତିଙ୍କ ଜମି କମ୍ପାନୀକୁ ଦେବା ଷଡଯନ୍ତ୍ର ବନ୍ଦ କର : ମାନବ ଅଧିକାର ସୁରକ୍ଷା ମଞ୍ଚ

youtube

ବ୍ରହ୍ମପୁର : ଅନୁସୂଚିତ ଜାତି, ଜନଜାତିଙ୍କ ଜମିକୁ ସରକାର କିଣିବେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନୂତନ ପ୍ରସ୍ତାବିତ ଘୋଷଣାକୁ ଏକ ଷଡଯନ୍ତ୍ରମୂଳକ ଯୋଜନା ବୋଲି କହିଛି ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ l ଆଦିବାସୀ ଓ ଅନୁସୂଚିତ ଜାତି ବର୍ଗର ଲୋକଙ୍କୁ ସବୁଦିନ ପାଇଁ ଭୂମି ହୀନ କରିଦେଇ କମ୍ପାନୀ ହାତକୁ ସେମାନଙ୍କ ଜମିକୁ ଟେକିଦେବାର ଏହି ଘୃଣ୍ୟ ଷଡଯନ୍ତ୍ରକୁ ପ୍ରତ୍ୟାହାର କରିବା ପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଅବନୀ ଗୟା ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଦାବି କରିଛନ୍ତି l

ସୂଚନା ଯେ, ଅନୁସୂଚିତ ଜାତି, ଜନଜାତି ବର୍ଗର ଲୋକେ ସେମାନଙ୍କ ଝିଅ ବିବାହ, ସ୍ୱାସ୍ଥ୍ୟ ଚିକିତ୍ସା ଓ ପିଲାଙ୍କ ଉଚ୍ଚ ଶିକ୍ଷା ଆଦି ଜରୁରୀ ଆବଶ୍ୟକତା ବେଳେ ସରକାରଙ୍କୁ ସେମାନଙ୍କ ଜମି ବିକ୍ରି କରିବେ ଓ ଦୁଇ ତିନି ବର୍ଷରେ ସେମାନେ ସରକାରଙ୍କ ଠାରୁ ସେହି ଜମି ମୁକୁଳାଇପାରିବେ l ଉକ୍ତ ସମୟରେ ଯଦି ସେହି ଲୋକ ନିଜ ଜମିକୁ ମୁକୁଳାଇବେ ନାହିଁ, ତାହେଲେ ନିଲାମ ମାଧ୍ୟମରେ ସେହି ବର୍ଗର ଲୋକଙ୍କୁ ବିକ୍ରି କରିଦିଆଯିବ l ଏହି ଯୋଜନା ବାହାରକୁ ସୁନ୍ଦର ସୁବିଧା ଯୋଗ୍ୟ ଭଳି ମନେହେଉଥିଲେ ବି ଏହା ଦ୍ୱାରା ଆର୍ଥିକ ସ୍ୱଚ୍ଛଳ ନ ଥିବା ନିରୀହ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଟି ସବୁଦିନ ପାଇଁ ତାଙ୍କ ନିଜ ଜମିରୁ ବେଦଖଲ ହେବେ ଓ ଟିକିଏ ଅଧିକ ଜମି ଥିବା ଆଦିବାସୀ ବା ଅନୁସୂଚିତ ଜାତିର ଲୋକଙ୍କ ମାଧ୍ୟମରେ ନିଲାମ କରି ସରକାରୀ ଅନୁମତିକ୍ରମେ ସବର୍ଣ୍ଣ ଓ କମ୍ପାନୀ ମାଲିକ ମାନେ ହିଁ ଜମିକୁ ହାତେଇବେ l ଅନ୍ୟ ଭାଷାରେ କହିଲେ କମ୍ପାନୀ ମାଲିକଙ୍କୁ ତଥା ଜମି ମାଫିଆଙ୍କୁ ସରକାର ଏହି ନୂତନ ଯୋଜନା ମାଧ୍ୟମରେ ଜମି ଗୁଡିକ ହସ୍ତାନ୍ତର କରିବେ l

ଅନ୍ୟ ପକ୍ଷରେ ଝିଅ ବିବାହ, ସ୍ୱାସ୍ଥ୍ୟ ଚିକିତ୍ସା, ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ଜଣେ ନିରୀହ ଆଦିବାସୀ ବା ଅନୁସୂଚିତ ବର୍ଗର ଲୋକଟି ନିଜର ପୁରୁଷାନୁକ୍ରମେ ଭରଣପୋଷଣ ପାଉଥିବା ମାଟି ମା ସମାନ ଜମି ଟିକୁ ବିକ୍ରି କରିବା ଅତ୍ୟନ୍ତ ସ୍ପର୍ଶକାତର ବିଷୟ l ସ୍ୱାଧୀନ ଭାରତରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ବିବାହ ପାଇଁ ଜମି ବିକ୍ରି ନିହାତି ଭାବେ ଶାସନାଧୀନ ସରକାର ପ୍ରତି ଏକ ଶକ୍ତ ଧକ୍କା ଓ ଲଜ୍ଜା ଜନିତ ଘଟଣା l ଏହା ଦ୍ୱାରା ଓଡିଶା ରାଜ୍ୟ ସରକାର ଲୋକଙ୍କୁ ସ୍ୱାସ୍ଥ୍ୟ ଚିକିତ୍ସା ଓ ଉଚ୍ଚ ଶିକ୍ଷା ପ୍ରଦାନ କ୍ଷେତ୍ରରେ କେତେ ପଛୁଆ! ପ୍ରମାଣିତ ହେଉଛି l ବର୍ତମାନର ଦରଦାମ ବୃଦ୍ଧିର ସଙ୍କଟ ବେଳେ ନିରୀହ ଲୋକଟିର ଜରୁରୀ ଆବଶ୍ୟକତା ମେଣ୍ଟାଇବାପାଇଁ ନିଜର ଏକ ମାତ୍ର ଜମିଟି ବିକ୍ରି କରିସାରିବା ପରେ ଦୁଇ ବର୍ଷରେ ସେ ପୁଣି ନିଜ ଜମି ସରକାରଙ୍କ ଠାରୁ ମୁକୁଳାଇବା ଆଦୌ ସମ୍ଭବପର ନୁହଁ l ଏଣୁ ବୁଲା ବାଟ ଦେଇ ଅନୁସୂଚିତ ଜାତି, ଜନଜାତିଙ୍କ ଜମିକୁ ଛଡାଇ କମ୍ପାନୀ ହାତକୁ ଟେକି ଦେବାପାଇଁ ଏହି ଯୋଜନା ଘୋଷଣା ହୋଇଛି ବୋଲି ମଞ୍ଚ ଆବାହକ ଆଇନଜୀବୀ ଅବନୀ ଗୟା ଦୃଢ଼ ଅଭିଯୋଗ କରିଛନ୍ତି ଓ ସରକାରଙ୍କ ଏହି ଘୃଣ୍ୟ ଷଡଯନ୍ତ୍ରକୁ ସମସ୍ତ ଅନୁସୂଚିତ ଜାତି, ଜନଜାତି ବର୍ଗ ବିରୋଧ କରିବାକୁ ଶ୍ରୀ ଗୟା ନିବେଦନ କରିଛନ୍ତି l

Leave A Reply

Your email address will not be published.