
ମାଲକାନଗିରି, ୨୬।୫ : ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ । କାହିଁ କେଉଁ ଆବହମାନ କାଳରୁ ଓଡ଼ିଆ ପରମ୍ପରା ଅନୁଯାୟୀ ଏହି ବ୍ରତ ପାଳନ ହେଉଥିବା ବେଳେ ସଧବା ମାନେ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାରାଦିନ ଉପବାସ ରହି ଓ ପୂଜାର୍ଚନା କରନ୍ତି । ପୁରାଣ ଅନୁଯାୟୀ ଆଜିର ଦିନରେ ଯମରାଜଙ୍କ କବଳରୁ ମୃତ ସ୍ଵାମୀ ସତ୍ୟବାନଙ୍କୁ ଫେରାଇ ଆଣିଥିଲେ ପତ୍ନୀ ସାବିତ୍ରୀ । ଏହି ପୌରାଣିକ କଥାକୁ ପାଥେୟ କରି ଆଜିର ଦିନରେ ସଧବା ମହିଳା ମାନେ ହର୍ଷ ଉଲ୍ଲାସର ସହ ପାଳନ କରିଥାନ୍ତି ସାବିତ୍ରୀ ବ୍ରତ ।
ଚାରିଆଡେ ହିନ୍ଦୁ ଧର୍ମର ମହିଳା ମାନେ ଏହି ବ୍ରତ ପାଳନ କରୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ମହିଳା ମାନେ ଏହି ବ୍ରତ ପାଳନ କରିଛନ୍ତି । ଜିଲ୍ଲା ସଦରରେ ଥିବା ଅନେକ ମନ୍ଦିର କିମ୍ବା ଚଉଁରା ମୂଳ ଓ ଅନେକ ମହିଳା ନିଜ ଘରେ ମଧ୍ୟରେ ପୂଜାର୍ଚ୍ଚନା କରି ବ୍ରତ ପାଳିଛନ୍ତି । ଏହି ଅବସରରେ ସତ୍ୟବାନ ଓ ସାବିତ୍ରୀଙ୍କ ପ୍ରତିମୂର୍ତ୍ତି କରି ଚଉଁରା ମୂଳେ ବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରିବା ସହ ନୂଆ ପୋଷାକ ଧାରଣ କରି ଫଳ ଆହାର କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ସାବିତ୍ରୀ ବ୍ରତକୁ ନେଇ ଫଳ ବଜାରରେ ବେସ ଚହଳ ଖେଳି ଯାଇଥିଲା । ଫଳ ଗୁଡିକର ଦରଦାମ ଆକାଶ ଛୁଆଁ ହୋଇଥିବା ବେଳେ ବ୍ୟବସାୟୀ ମାନେ ବେସ ଭଲ ଦୁଇ ପଇସା ରୋଜଗାର କରିଥିବା ଦେଖିବାକୁ ମିଳିଛି ।