ଜୁନ ୩ରେ କୋଟିଆ କମିଟିର ପ୍ରଥମ ବୈଠକ

add-all

ଭୁବନେଶ୍ବର: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ସୀମାନ୍ତ କୋଟିଆ ଉପରେ ଆନ୍ଧ୍ରପ୍ରଦେଶ ନଜର ପକାଇଛି। ସ୍ଥାନୀୟ ଲୋକଙ୍କୁ ସବୁ ଯୋଜନାର ଲୋଭ ଦେଖାଇ ଆନ୍ଧ୍ର ପକାଇଛି ନଜର। ତେଣୁ କୋଟିଆକୁ ନେଇ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି। ଜୁନ ୩ ତାରିଖରେ କୋଟିଆ କମିଟିର ପ୍ରଥମ ବୈଠକ ବସିବ।
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ କମିଟି ଏକାଠି ବସି ଆଲୋଚନା କରିବେ। ତା ପୂର୍ବରୁ ସୁନ୍ଦରଗଡ଼ରେ ଆଜି ଚାଲିଛି ପ୍ରସ୍ତୁତି ବୈଠକ। ରାଜସ୍ବ ମନ୍ତ୍ରୀ ସୁନ୍ଦରଗଡ଼ ଗସ୍ତରେ ଆସିଥିବା ବେଳେ ଏହି ବୈଠକ କରିଛନ୍ତି।
ପ୍ରାଶାସନିକ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଓଡ଼ିଶା ସରକାର ଦେଉଥିବା ସହାୟତା ଲୋକଙ୍କ ପାଖରେ ଠିକରେ ପହଞ୍ଚିପାରୁନି। କିନ୍ତୁ ସରକାର ବଦଳିଲା ପରେ ନୂଆ ଆଶା ସୃଷ୍ଟି ହୋଇଛି। କମିଟି ଗଠନ କରି କୋଟିଆ ପାଇଁ ଦୀର୍ଘମିଆଦି ଯୋଜନା କାର୍ଯ୍ୟକାରୀ କରାଯିବାକୁ ଚାଲିଛି ଯୋଜନା।
ଆନ୍ଧ୍ର, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସହ ଥିବା ସୀମା ବିବାଦ ନେଇ ବିଧାନସଭା ଗୃହ କମିଟିରେ ଆଜି ମାରାଥନ୍ ଆଲୋଚନା ହୋଇଛି। ବିଶେଷକରି ଫୋକସରେ ରହିଥିଲା କୋଟିଆ ଓ ପୋଲାଭରମ ଭଳି ବିବାଦୀୟ ପ୍ରସଙ୍ଗ। କୋଟିଆରେ କେତେ ପିଲା ପାଠ ପଢୁଥିଲେ, କେତେ ପଢୁଛନ୍ତି ଓ ସେଠାକାର ଲୋକଙ୍କ ଓଡ଼ିଶା ପ୍ରତି କେତେ ଆଗ୍ରହ ରହିଛି? ସେ ସବୁକୁ ନେଇ ଆଲୋଚନା ହୋଇଛି। ଶିକ୍ଷା, ସ୍ଵାସ୍ଥ୍ୟ, ଓଡ଼ିଆ ଭାଷା ପ୍ରତି ଲୋକଙ୍କ ଆଗ୍ରହ ଆସିବା, ସରକାରୀ ସହାୟତାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ବ ଦେଇଛି କମିଟି ।
ସୂଚନାଯୋଗ୍ୟ ଯେ, କୋଟିଆରେ ଆନ୍ଧ୍ରର ଲୋଭନୀୟ ସ୍କିମଙ୍କୁ ମାତ ଦେବାକୁ ସ୍ବତନ୍ତ୍ର ଖସଡ଼ା କରିଛନ୍ତି ରାଜ୍ୟ ସରକାର। ଲୋକଙ୍କ ଭାବାବେଗକୁ ବୁଝି ଲୋକଙ୍କ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଗୃହ କମିଟି ବାସ୍ତବରେ କୋଟିଆ ସମସ୍ୟାର ସମାଧାନ କେତେ କରୁଛି ତା ଉପରେ ସମସ୍ତଙ୍କ ନଜର ରହିଛି।

ad-week
Leave A Reply

Your email address will not be published.