
ଓଡ଼ଗାଁ : ଓଡ଼ଗାଁ ବନାଞ୍ଚର ପଞ୍ଚିରିଡା ମାନପୁର ବିଟରେ ଫରେଷ୍ଟର ଭାବେ କାର୍ଯ୍ୟରତ ଥିବା ଶିଶିର ସାହୁଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ତାଙ୍କ ଘରୁ ମିଳିଛି । ଗତକାଲି ରାତିରେ ନୟାଗଡ଼ ବାରମାସୀ ଦଣ୍ଡାରେ ଥିବା ଘର ଭିତରୁ ଶିଶିର ସାହୁଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ମିଳିଥିବା ବେଳେ ତାଙ୍କ ସ୍ତ୍ରୀ ନମିତା ସାମାନ୍ୟ ଆହତ ହୋଇଥିଲେ । ପୁଅ ଅଭିଷେକ କିନ୍ତୁ ସମ୍ପୂର୍ଣ ସୁସ୍ଥ ଅଛନ୍ତି । ଘରେ ଥିବା ଏକ ସ୍କୁଟି ସମ୍ପୂର୍ଣ ପୋଡ଼ି ନଷ୍ଟ ହୋଇଥିବା ବେଳେ ଘରର ବହୁ ଆସବାବପତ୍ର ପୋଡ଼ି ଯାଇଛି । ଘଟଣା ସ୍ଥଳରେ ନୟାଗଡ଼ ଦମକଳ ଅଫିସ ଓ ପୋଲିସ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଅର୍ଦ୍ଧଦଗ୍ଧ ମୃତ ଦେହଟି ଘର ଭିତରେ ଆଜି ଅପରାହ୍ନ ୨ଟା ପର୍ଯ୍ୟନ୍ତ ପଡ଼ି ରହିଥିଲା । ଶିଶିରଙ୍କ ବଡ଼ ଭାଇ ଶରତ ସାହୁ ନୟାଗଡ଼ ଟାଉନ ଥାନାରେ ଏକ ହତ୍ୟା ଅଭିଯୋଗ କରିଥିବା ଜଣାପଡିଛି। ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଶିଶିର ସାହୁଙ୍କ ଦେହରେ ନିଆଁ କେମିତି ଲାଗିଲା, ଏହା ଆତ୍ମହତ୍ୟା ନା ହତ୍ୟା ବୋଲି ସର୍ବସାଧାରଣରେ ଚର୍ଚା ହେଉଥିବା ବେଳେ, ଏହି ଘଟଣା ଉପରୁ ପୋଲିସ କେବେ ସନ୍ଦେହ ଦୂର କରୁଛି ଦେଖିବାକୁ ବାକି ରହିଲା।