
ଛତ୍ରପୁର : ଓଡିଶା ବିଧାନ ସଭା ୫ମ ଷ୍ଟାଣ୍ଡିଂ କମିଟି ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ କରି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରି ଶୁକ୍ରବାର ଅପରାହ୍ନରେ ବ୍ରହ୍ମପୁର ସ୍ଥିତ ସର୍କିଟ ହାଉସ୍ ଠାରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି କେତେକ ଗୁରୁତ୍ବପୂର୍ଣ୍ଣ ବିଭାଗର ସମୀକ୍ଷା କରିଥିଲେ ଏବଂ ଶନିବାର ମା ତାରାତାରିଣୀଙ୍କ ପୀଠରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡିକ ତଦାରଖ କରି ଆଜି ଫେରିଛନ୍ତି । ଶୁକ୍ରବାର ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାରେ ଚାଲିଥିବା ଶିଶୁ ଓ ମାତୃ ସୁରକ୍ଷା ଯୋଜନା, ମିଶନ୍ ଶକ୍ତି, ସ୍ବାସ୍ଥ୍ୟ ବିଭାଗ, ଆଇନ୍ ଓ ଶୃଙ୍ଖଳା ପରିସ୍ଥିତି ଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ । ପରଜଙ୍ଗ ବିଧାୟକ ତଥା ଷ୍ଟାଣ୍ଡିଂ ସମିଟି ଅଧ୍ୟକ୍ଷ ବିଭୂତି ଭୂଷଣ ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ ପୂର୍ବକ ଷ୍ଟାଣ୍ଡିଂ କମିଟିର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇ ଜଣାଇଥିଲେ ଯେ, ଜିଲ୍ଲାର ଭଲ କାର୍ଯ୍ୟକୁ ପ୍ରୋତ୍ସାହନ କରିବା ସହିତ ସରକାରୀ ଯୋଜନା ଗୁଡିକରୁ ଜନସାଧାରଣ ଯେଭଳି ଉପକୃତ ହୋଇପାରିବେ ସେହି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରବର୍ତ୍ତାଇ ଥିଲେ । ଭିନ୍ନକ୍ଷମ ବ୍ୟକ୍ତିଗଣ ଆୟୁଷ୍ମାନ ଭାରତରେ ନାମ ପଞ୍ଜିକରଣ କଲାବେଳେ ଦେଖାଯାଉଥିବା ସମସ୍ୟା ଗୁଡିକର ସମାଧାନ ସକାଶେ ପଥ ପରିଷ୍କାର କିଭଳି ହେବ ତାହା ଆଲୋଚନା କରିଥିଲେ । ମିଶନ୍ ଶକ୍ତି ଦ୍ବାରା ପ୍ରସ୍ତୁତ ସାମଗ୍ରୀ ଗୁଡିକର ବିକ୍ରିବଟା ନିମନ୍ତେ ଯୋଗାଇ ଦିଆଯାଉଥିବା ଦୋକାନ ଗୁଡିକ ବଜାର ଥିବା ଅଞ୍ଚଳରେ ଯୋଗାଇ ଦିଆଗଲେ ସାମଗ୍ରୀ ବିକ୍ରି ସକାଶେ ସମସ୍ୟା ରହିବ ନାହିଁ ବୋଲି କମିଟି ଅଧ୍ୟକ୍ଷ ମତବ୍ୟକ୍ତ କରିଥିଲେ । ମହିଳା ଓ ଶିଶୁ ମାନଙ୍କ ସୁରକ୍ଷା ଦିଗରେ ଦେଖାଯାଉଥିବା ସମସ୍ୟା ସମାଧାନ କରାଗଲେ ଲୋକେ ଉପକୃତ ହେବେ । ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଅନେକ ସମସ୍ୟା ରହିଛି । ଯାହାବି ମାନବ ସମ୍ବଳ ରହିଛି ସେଗୁଡିକର କିଭଳି ପରିଚାଳନା କରାଯାଇ ସମସ୍ୟାର ସମାଧାନ ହେବ ତାହା ପଚାରି ବୁଝିଥିଲେ । ସେହି ଅନୁସାରେ ସରକାରଙ୍କ ଠାରେ ପ୍ରସ୍ତାବ ରଖିବେ ବୋଲି ମତ ଦେଇଥିଲେ । ଗଞ୍ଜାମ ଜିଲ୍ଲାରେ ସମୁଦାୟ ୫୨ ପ୍ରତିଶତ ପଦବୀ ଖାଲି ପଡିଥିବା ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ମ୍ୟାନେଜର ଅବଗତ କରାଇଥିଲେ । ଜିଲ୍ଲାରେ ଚାଲିଥିବା ନୀରିକ୍ଷଣ କାର୍ଯ୍ୟକ୍ରମକୁ କମିଟି ଉଚ୍ଚ ପ୍ରଶଂସା କରିବା ସହ ଏହି ଯୋଜନା କିଭଳି ରାଜ୍ୟର ଅନ୍ୟ ଜିଲ୍ଲା ମାନଙ୍କରେ କାର୍ଯ୍ୟକାରୀ ହେବ ସେ ଦିଗରେ ସରକାରଙ୍କ ଠାରେ ପ୍ରସ୍ତାବ ରଖିବା ନିମନ୍ତେ କମିଟି ସ୍ଥିର କରିଥିଲେ । ଦକ୍ଷିଣାଞ୍ଚଳ ନିମନ୍ତେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ଏକ ସୁପର ସ୍ପେସାଲିଷ୍ଟ ଚିକିତ୍ସାଳୟ ଆବଶ୍ୟକତା ସମ୍ପର୍କରେ ଚିକିତ୍ସା ବିଭାଗ ଠାରୁ ପ୍ରସ୍ତାବ ରଖାଯାଇଥିଲା । ଜିଲ୍ଲା ସ୍ବାସ୍ଥ୍ୟ ଭବନ ନିର୍ମାଣ, ହିଞ୍ଜିଳି ଠାରେ ଥିବା ଉପଖଣ୍ଡ ଚିକିତ୍ସାଳୟରେ ରହିଥିବା ୧୬ ଗୋଟି ଶଯ୍ୟାରୁ ୮୦ ଗୋଟି ଶଯ୍ୟାରେ ପରିଣତ କରିବା ନିମିତ୍ତ ପ୍ରସ୍ତାବମାନ ଦିଆଯାଇଥିଲା । ଅଲଟ୍ରାସାଉଣ୍ଡ ପରୀକ୍ଷା ସକାଶେ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ନେଇ ଆଲୋଚନା ହୋଇଥିଲା ।
ଜିଲ୍ଲାରେ ଶିଶୁ ସୁରକ୍ଷା ଦିଗରେ ବିଭିନ୍ନ ଆବାସ କେନ୍ଦ୍ର, ସେମାନଙ୍କ ଶିକ୍ଷା ପଦ୍ଧତି ଶିଶୁ ଶ୍ରମିକ ଉଦ୍ଧାର କରାଯାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନେଇ କରାଯାଉ ଥିବା ପଦକ୍ଷେପ ସମ୍ପର୍କରେ କମିଟିକୁ ଅବଗତ କରାଯାଇଥିଲା । ମିଶନ ଶକ୍ତି ସକାଶେ ୪୯୭ ଗ୍ରାମ ପଞ୍ଚାୟତରେ ନିଜସ୍ବ କୋଠା ନିର୍ମାଣ କରାଯାଇ ହସ୍ତାନ୍ତର ହୋଇଥିବା ଜଣା ଯାଇଥିଲା। ଜିଲ୍ଲାରେ ଅର୍କିଟ ଫୁଲ ଚାଷ କରି ମହିଳା ଗଣ ଅଧିକ ଲାଭବାନ ହୋଇଥିବା ହେତୁ ଏହି ଚାଷକୁ ସମ୍ପ୍ରସାରଣ କରିବାକୁ କମିଟି ପ୍ରସ୍ତାବ ଦେଇଥିଲେ।
ଗଞ୍ଜାମ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆରକ୍ଷୀ ଅଧିକ୍ଷକ ବ୍ରହ୍ମପୁର ଏବଂ ଛତ୍ରପୁର କିଭଳି ପରିଚାଳନା କରୁଛନ୍ତି ତାହା ଅବଗତ କରାଇଥିଲେ । ଗଞ୍ଜାମ ଜିଲ୍ଲାର ଜାତୀୟ ରାଜ ପଥରେ ଅଧିକ ଦୁର୍ଘଟଣା ଘଟୁଛି ,ଯାହାକି ରାଜ୍ୟର ଅନ୍ୟ ଜିଲ୍ଲା ଠାରୁ ଅଧିକା । ଜାତୀୟ ରାଜ ପଥରେ ଅଧିକ ଦୁର୍ଘଟଣା ହେଉଥିବା ହେତୁ ଆଠ ଗୋଟି ବ୍ଲାକ ସ୍ପଟ ଚିହ୍ନଟ କରାଯାଇ ଅସ୍ଥାୟୀ ବାରିକେଡ ନିର୍ମାଣ କରି ଦୁର୍ଘଟଣାକୁ କମ କରାଯାଇଛି । ଏହାଦ୍ବାରା ବିଗତ ବର୍ଷ ତୁଳନାରେ କମ ଦୁର୍ଘଟଣା ହେଉଥିବା ଲକ୍ଷ୍ୟ କରାଯାଇଛି । ଫ୍ଲାଏ ଓଭର ବ୍ରିଜ ନିର୍ମାଣର ଆବଶ୍ୟକତା ରହିଛି ବୋଲି ଉଭୟ ଆରକ୍ଷୀ ଅଧିକ୍ଷକ ମତବ୍ୟକ୍ତ କରିଥିଲେ।
ବୈଠକରେ ମାନ୍ୟବର ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ , ମାନ୍ୟବର ସାଲେପୁର ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରା, ମାନ୍ୟବର ଫୁଲବାଣୀ ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ , ମାନ୍ୟବର ଭୋଗରାଇ ବିଧାୟକ ଶ୍ରୀ ଗୌତମ ବୁଦ୍ଧ ଦାସ, ମାନ୍ୟବର ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୂପେଶ କୁମାର ପାଣିଗ୍ରାହୀ, ମାନ୍ୟବର ଗୁଣପୁର ବିଧାୟକ ଶ୍ରୀ ସତ୍ୟଜିତ ଗୋମାଙ୍ଗ, ସଦସ୍ୟ ପ୍ରମୁଖ ଉପସ୍ଥିତ ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି ସ୍ବାଗତ ଏବଂ ଧନ୍ୟବାଦ ଅର୍ପଣ କରି ସମୀକ୍ଷା ବୈଠକ ପରିଚାଳନା କରିଥିଲେ। ଆରକ୍ଷୀ ଅଧୀକ୍ଷକ ବ୍ରହ୍ମପୁର ଏମ୍. ଶ୍ରାବଣା ବିବେକ, ଛତ୍ରପୁର ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର ,ଉପଜିଲ୍ଲାପାଳ ବ୍ରହ୍ମପୁର ଦୀନା ଦସ୍ତଗୀର ,ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।