ଶୀତଳଷଷ୍ଠୀ ଯାତ୍ରା ଓ ଶିବ ବିବାହ ସମ୍ପନ୍ନ

youtube

ହିଞ୍ଜିଳିକାଟୁ : ଶୀତଳ ଷଷ୍ଠୀ ଯାତ୍ରା ଉପଲକ୍ଷେ ହିଞ୍ଜିଳିକାଟୁ ସହର ସମେତ ଆଖ ପାଖ ନିକଟବର୍ତ୍ତୀ ଅଞ୍ଚଳ ଉତ୍ସବ ମୁଖର ହୋଇପଡ଼ିଛି । ହିଞ୍ଜିଳିକାଟୁ ପୌରାଞ୍ଚଳ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିର ପରିସରରେ ଦେବ ଦମ୍ପତି ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ମହାଆଡମ୍ଭର ସହ ଅନୁଷ୍ଠିତ ହୋଇଛି। ବରପିତା ଭାବେ କିଶୋର ଚନ୍ଦ୍ର ପାଠୀ ଓ କନ୍ୟାପିତା ଭାବେ ପବିତ୍ର ମୋହନ ପାଢି ଓ ଧର୍ମପତ୍ନୀ ମମତା ପାଢି ଉପସ୍ଥିତ ଥିଲେ । ପ୍ରଥମ ଦିବସ ଶନିବାର ଦିନ ମା’ ପାର୍ବତୀଙ୍କୁ ବରଣ କରିବା ସକାଶେ ସୁସଜ୍ଜିତ ରଥରେ କନ୍ୟା ପିତାଙ୍କ ଘରକୁ ଯାଇଥିଲେ ବରପିତା । ନିରାଡମ୍ବର ସହକାରେ କନ୍ୟାପିତା ଘରେ ପହଞ୍ଚିବା ପରେ କନ୍ୟା ବରଣ ଲୁଗା ଓ କଳସକୁ ମହିଳା ମାନେ ବନ୍ଦାପନା କରି ଘର ମଧ୍ୟକୁ ପାଛୋଟି ନେଇଥିଲେ । ବରଯାତ୍ରୀଙ୍କ ପକ୍ଷରୁ କନ୍ୟାବରଣ କାର୍ଯ୍ୟକ୍ରମ ସରିଥିଲା । କନ୍ୟା ଘର ପକ୍ଷରୁ ରଖାଯାଇଥିବା ଆସବାବ ପତ୍ର ଯଥା ଲୁଗାପଟା, ଧାନ ଚାଉଳ, ମୁଗ, ବିରି ଓ କଂସାବାସନ ସହ ଅନ୍ୟାନ୍ୟ ସାମଗ୍ରୀକୁ ବରପକ୍ଷ ଦେଖିଥିଲେ। କନ୍ୟାପିତାଙ୍କ ସପରିବାର ଏବଂ ବନ୍ଧୁକୁଟୁମ୍ବ ଉପସ୍ଥିତ ରହି ବରଯାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପରେ ସମସ୍ତ ଯୌତୁକ ସାମଗ୍ରୀ ସହ ବରକନ୍ୟାକୁ ମନ୍ଦିର ପରିସରକୁ ନିଆଯାଇ ବିବାହ ସମ୍ପାଦନା କରାଯାଇଥିଲା । ବନ୍ଦାପନା ଓ ହୁଳହୁଳିରେ ମନ୍ଦିର ପରିସର କମ୍ପି ଉଠିଥିଲା । ରବିବାର ରାତିରେ ଦେବ ଦମ୍ପତିଙ୍କୁ ବିଭିନ୍ନ ବାଦ୍ୟବାଜଣା,ବାଣ ପଟୁଆର, ଘଣ୍ଟ, ମହୁରି, ତୂରୀର ତାଳେ ତାଳେ ଶୋଭାଯାତ୍ରାରେ ମନ୍ଦିର ବେଢା ପରିକ୍ରମା କରାଯିବା ସହ ନଗର ପରିକ୍ରମା କରାଯାଇଥିଲା ।

ମନ୍ଦିର ପରିଚାଳନା କମିଟିର ପବିତ୍ର ନାୟକ, ସନାତନ ନାହାକ. ଦିନବନ୍ଧୁ ବେହେରା, ପ୍ରସନ୍ନ ନାହାକ, ନବୀନ ସେନାପତି, ସନ୍ତୋଷ ପ୍ରଧାନ, ଚନ୍ଦ୍ରଶେଖର ସାହୁ, ପ୍ରତାପ କୁମାର ସାହୁ, ଭୀମସେନ ସାହୁ, ଗୋପାଳକୃଷ୍ଣ ପଟ୍ଟନାୟକ, ଶଙ୍କର ବାସୁଦେବ ବେହେରା, ରଞ୍ଜନ କୁମାର ସାହୁ, ସୀମାଞ୍ଚଳ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନୁରୂପ ଭାବେ ହିଞ୍ଜିଳିକାଟୁ ପୌରାଞ୍ଚଳ ନୂଆଁଗଡ ବାଲୁଙ୍କେଶ୍ୱର, ହିଞ୍ଜିଳି ସ୍ବପ୍ନେଶ୍ବର, ଆଙ୍କୋରଡା କପିଳେଶ୍ୱର, ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ର ସ୍ଥିତ ପଶ୍ଚିମାଭିମୁଖୀ କାଶିବିଶ୍ବନାଥ, ସ୍ଥାନୀୟ ବ୍ଳକ ଶ୍ୟାମଳାଇ ସ୍ଥିତ ମୁଦୁକେଶ୍ବର, ଚାନ୍ଦୁଲି ସ୍ଥିତ ଲଡୁକେଶ୍ୱର, ଅନ୍ତରିଗାଁ ସ୍ଥିତ ଗୁପ୍ତେଶ୍ୱର, ବେଲଗାଁର ବେଲେଶ୍ୱର, ଆଡ଼ପଡ଼ାର ଇଶାଣେଶ୍ୱର, ସାରୁ ସ୍ବପ୍ନେଶ୍ବର, ଶାସନଆମ୍ବଗାଁ ରାମେଶ୍ବର, ପୋଚିଲିମା ବାଲୁଙ୍କେଶ୍ୱର, କଞ୍ଚୁରୁ ସ୍ବପ୍ନେଶ୍ବର ସମେତ ନିକଟବର୍ତ୍ତୀ ଚାନ୍ଦୁଲି, ମକରଝୋଳ, ସମରଝୋଳ, ଭେଙ୍କେଟରାୟପଲ୍ଲୀ, ସିଙ୍ଗିପୁର,କଞ୍ଚୁରୁ, ଦୁର୍ବନ୍ଧ, ସିକିରି, ରାଳବ,ଗିରିଆ, ପୁଟିଆପଦର, ବାଳକୃଷ୍ଣପୁର, ଭାବନ୍ଧ ଆଦି ଗ୍ରାମରେ ଥିବା ଶୈବପୀଠ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳ ଗୁଡ଼ିକରେ ଅବସ୍ଥାପିତ ବିଭିନ୍ନ ଶୈବପୀଠ ଗୁଡ଼ିକରେ ମହାଆଡ଼ମ୍ବର ସହକାରେ ଶୀତଳ ଷଷ୍ଠୀ ଯାତ୍ରା ଓ ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି ।

Leave A Reply

Your email address will not be published.