ଚିକିତ୍ସା ଅବହେଳାରୁ ମା ଓ ଗର୍ଭସ୍ଥ ଶିଶୁ ମୃତ୍ୟୁ ଘଟଣା: ବିବାଦୀୟ ଡାକ୍ତର ରବୀନ୍ଦ୍ର ନାଥ ସାହୁ ନିଲମ୍ବିତ…

youtube


ନୟାଗଡ଼: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ମା ଓ ଗର୍ଭସ୍ଥ ଶିଶୁ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ତଦନ୍ତ କରି ସଂପୃକ୍ତ ଡାକ୍ତର ରବୀନ୍ଦ୍ର ନାଥ ସାହୁଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଭାବେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତା ୦୪.୦୬.୨୫ ରିଖ ଚିଠି ନମ୍ବର ୧୬୪୩୬ ଅନୁସାରେ ତାଙ୍କୁ ନିଲମ୍ବନ କରାଯାଇଛି । ଏହି ନିଲମ୍ବନ ସମୟରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ କରିବା ସହିତ ବିନା ଅନୁମତିରେ ଜିଲ୍ଲା ମୁଖ୍ୟାଳୟ ଛାଡ଼ିପାରେବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।
ଗତ ମେ ୩୧ ତାରିଖ ରାତିରେ ନୟାଗଡ଼ ସଦର ଥାନା ଅନ୍ତର୍ଗତ ବାଲୁଗାଁ ର ସଞ୍ଜୟ ନାୟକଙ୍କ ପତ୍ନୀ ପ୍ରସବ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ।ମାତ୍ର ଡ୍ୟୁଟି ରେ ଥିବା ଡ଼ାକ୍ତର ରବୀନ୍ଦ୍ର ନାଥ ସାହୁଙ୍କୁ ସଞ୍ଜୟ ବିଭିନ୍ନ କର୍ମଚାରୀ ମାଧ୍ୟମରେ ଓ ବ୍ୟକ୍ତିଗତ ଭାବେ ଚିକିତ୍ସା ପାଇଁ ଅନୁରୋଧ କରିଥିଲେ।ମାତ୍ର ଡାକ୍ତର ଶ୍ରୀ ସାହୁ ଏହାକୁ କର୍ଣ୍ଣପାତ ନକରି ଅସ୍ତ୍ରୋପଚାର କରିବାପାଇଁ ୩୦ ହଜାର ଟଙ୍କା ଦାବି କରିଥିଲେ ।ସଞ୍ଜୟ ଟଙ୍କା ଦେବାକୁ ରାଜି ହେବା ସହିତ ଟଙ୍କା ସଂଗ୍ରହ ପାଇଁ ଚାଲିଯାଇଥିଲେ ।କିନ୍ତୁ ଡାକ୍ତର ଚିକିତ୍ସା ନକରିବାରୁ ପ୍ରସବ ବେଦନା ରେ ସଞ୍ଜୟଙ୍କ ପତ୍ନୀ ମମତା ସ୍ୱାଇଁଙ୍କ ଭୋର୍ ୩.୪୫ ରେ ମୃତ୍ୟୁ ହୋଇଥିଲା ।ଏହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଶହ ଶହ ଲୋକ ରୁଣ୍ଡ ହୋଇ ଡାକ୍ତରଙ୍କ ଗିରଫ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏପରିକି ନୟାଗଡ଼ ଜିଲ୍ଲା ବିଜେପି ସଭାପତି ତାପସ କୁମାର ମାର୍ଥାଙ୍କ ସହିତ ବହୁ ନେତା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆସିଥିଲେ ।ଏହି ଦିନ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବନମାଳୀ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜନ କରାଯାଇ ଡାକ୍ତର ରବୀନ୍ଦ୍ର ନାଥ ସାହୁଙ୍କୁ ଭାପୁର ବ୍ଲକକୁ ବଦଳି କରାଯାଇଥିଲା ।ପୁରୀ ସାଂସଦ ସମ୍ବିତ ପାତ୍ର ଏବଂ ଜିଲ୍ଲା ବିଜେପି ସଭାପତି ତାପସ କୁମାର ମାର୍ଥା ସଞ୍ଜୟଙ୍କ ପରିବାରକୁ ଭେଟିଥିଲେ ।
ସଞ୍ଜୟଙ୍କ ଅଭିଯୋଗ ଆଧାରରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ନୟାଗଡ଼ ଆସି ତଦନ୍ତ କରିଥିଲେ ।ଏହି ତଦନ୍ତ ଆଧାରରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଡାକ୍ତର ଶ୍ରୀ ସାହୁଙ୍କୁ ନିଲମ୍ବନ କରାଯାଇଛି।ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଅନେକ ଡାକ୍ତର ବ୍ୟକ୍ତିଗତ କ୍ଲିନିକ୍ କୁ ଅଧିକ ଗୁରୁତ୍ଵ ଦେବା ସହିତ ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ଯୋଗାଇବାରେ ଅବହେଳା କରୁଛନ୍ତି ।କେତେକ ଡାକ୍ତର ଏହାକୁ ବ୍ୟବସାୟରେ ପରିଣତ କରିଛନ୍ତି ।ରାଜ୍ୟ ସରକାରଙ୍କ ଭିଜିଲାନ୍ସ ବିଭାଗ ଦ୍ଵାରା କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀ ବିରୋଧରେ ତଦନ୍ତ କରିବାର ଆବଶ୍ୟକତା ରହିଛି ବୋଲି ଦାବି ହେଉଛି।

Leave A Reply

Your email address will not be published.