କାଗଜ ଚାଷରେ କୃଷି ବିକାଶ : ଚାଷୀଙ୍କ ପାଖରେ ପହଞ୍ଚୁନି କୃଷି ବିଭାଗ

youtube

ନୟାଗଡ଼: ନୟାଗଡ଼ ଜିଲ୍ଲାରେ କାଗଜ ଚାଷରେ କୃଷି ବିକାଶ । ଚାଷୀ ବିହନ ଠାରୁ ସାର ଚିନ୍ତାରେ ନିଜ ଜମିରେ କଇଁକଇଁ କାନ୍ଦୁଥିବା ବେଳେ କୃଷି ବିଭାଗର ବଡ଼ପଣ୍ଡା ମାନେ ଚାଷୀଙ୍କ ନାମରେ ଆସୁଥିବା ନାନା ସହାୟତା ହାସଲ କରିବାରେ ବ୍ୟସ୍ତ ।ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ କରୁଥିବା ସମସ୍ତ ଯୋଜନା ବାଟବଣା । କୃଷିବିଭାଗ ଓ ଚାଷୀ ମଧ୍ୟରେ ଦୂରତା ଦିନକୁ ଦିନ ବୃଦ୍ଧି ପାଉଛି । କୃଷି ବିଭାଗ ଓ ଚାଷୀ ମଧ୍ୟରେ ସମନ୍ଵୟ ରଖିବା ପାଇଁ ଗ୍ରାମୀଣ କୃଷି କର୍ମଚାରୀ ନିଯୁକ୍ତ ହୋଇଛନ୍ତି ମାତ୍ର ବିଡମ୍ବନା ର ବିଷୟ ଯେ ନୟାଗଡ଼ ଜିଲ୍ଲାର ଅନେକ ଚାଷୀ ସେମାନଙ୍କ ଅଞ୍ଚଳର କିଏ ଗ୍ରାମୀଣ କୃଷି କର୍ମଚାରୀ ବୋଲି ଜାଣୁନାହାନ୍ତି ।କୃଷକ ସାଥୀମାନେ ମଧ୍ୟ ଚାଷୀ ମାନଙ୍କୁ ଅବହେଳା କରୁଛନ୍ତି ।
କୃଷକ ମାନଙ୍କୁ ବିଭିନ୍ନ କୃଷି ଯୋଜନା ବିଷୟରେ ସଚେତନ ଓ ସହଯୋଗ କରିବା ପାଇଁ ପ୍ରତି ପଞ୍ଚାୟତରେ ଜଣେ ଲେଖାଏଁ ଗ୍ରାମୀଣ କୃଷି କର୍ମଚାରୀ ରହିବ ଆବଶ୍ୟକ ।ନୟାଗଡ଼ ଜିଲ୍ଲାରେ ୧୯୪ ଟି ପଞ୍ଚାୟତ ଥିବାବେଳେ ମାତ୍ର ୮ପ୍ରତିଶତ ଭିଏଡବ୍ଲୁ ବା ଗ୍ରାମୀଣ କୃଷି କର୍ମଚାରୀ ଜିଲ୍ଲାରେ କାର୍ଯ୍ୟ କରୁଥିବାର ସୂଚନା ମିଳିଛି ।ଭିଏଡବ୍ଲୁଙ୍କ ଭୂମିକା କୃଷି ଓ କୃଷକ ପାଇଁ ଅନେକ ସହାୟତା ତଥା ଚାଷୀଙ୍କୁ ସୁବିଧାରେ ସାର ଯୋଗାଣ, ବିହନ ଯୋଗାଣ, ପ୍ରଧାନମନ୍ତ୍ରୀ ଫସଲ ବୀମା, ଧାନ ପଞ୍ଜିକରଣ ଫର୍ମ ଯାଞ୍ଚ ଇତ୍ୟାଦି। ମାତ୍ର ନୟାଗଡ଼ ଜିଲ୍ଲାରେ ଏହି ଭିଏଡବ୍ଲୁ ସମସ୍ୟା ଅତ୍ୟନ୍ତ ଗୁରୁତର ।ନୟାଗଡ଼ ଜିଲ୍ଲାରେ ୧୯୪ ପଞ୍ଚାୟତ ଥିବାବେଳେ କୃଷି ବିଭାଗ ଅଧିନରେ ୭୮ଟି ଭିଏଡବ୍ଲୁ ପଦ ରହିଛି। ମାତ୍ର ନୟାଗଡ଼ ଜିଲ୍ଲାରେ ମାତ୍ର ୧୫ ଜଣ ଭିଏଡବ୍ଲୁ କାର୍ଯ୍ୟ କରୁଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁମନ ସିଂ ପଟ୍ଟନାୟକ ସୂଚନା ଦେଇଛନ୍ତି ।ସେହିପରି ୩୧ଜଣ ଓଭରସିଅରଙ୍କ ସ୍ଥାନରେ ୨୬ ଜଣ କାର୍ଯ୍ୟ କରୁଛନ୍ତି ।ଜିଲ୍ଲା ଓ ବ୍ଲକ କୃଷି କାର୍ଯ୍ୟାଳୟ ଗୁଡିକରେ କର୍ମଚାରୀ ସମସ୍ୟା ମଧ୍ୟ ଗତାନୁଗତିକ । ୧୫ ଜଣ ଭିଏଡବ୍ଲୁରେ କିପରି ନୟାଗଡ଼ ଜିଲ୍ଲାର ୧୯୪ ଟି ପଞ୍ଚାୟତର କୃଷି ଓ କୃଷକ ମାନଙ୍କ ଉନ୍ନତି ହେବ ତାହା କାଗଜ ଚାଷରେ କୃଷି ବିକାଶ ସଦୃଶ।

Leave A Reply

Your email address will not be published.