
ରାୟଗଡ଼ା : ରାୟଗଡ଼ା ବିଜେଡି ପରାଜୟର ବର୍ଷ ପରେ ରାଜ୍ୟ ନେତୃତ୍ୱ ରୁ ରାୟଗଡା ଜିଲ୍ଲା ରେ ଗୋଷ୍ଟି କନ୍ଦଳକୁ ପ୍ୟାଚ ପକାଇବା ପାଇଁ ଆଜି ରାୟଗଡା ଜିଲ୍ଲା ବିଜେଡି ଶିବିରରେ ଦଳର ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲିକ ଏବଂ ବରିଷ୍ଠ ନେତା ପଦ୍ମନାଭ ବେହେରା ପଂହଁଚିଛନ୍ତି। ଦଳରେ ମତାନ୍ତର ମନାନ୍ତର କୁ ଭୁଲି କରି ଆଗାମୀ ଦିନ ପାଇଁ ଏବେଠାରୁ ପ୍ରସ୍ତୁତ ହୁଅନ୍ତୁ। ଜିଲ୍ଲା ବିଜେଡ଼ି ଭିତରେ ରହିଥିବା ବିବାଦ ତୁଟାଇବା ପାଇଁ ଆସିଥିବା ବିଜେଡି ବରିଷ୍ଠ ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ ଓ ପଦ୍ମନାଭ ବେହେରା ଏହା କହିଛନ୍ତି ଦଳୀୟ ନେତାଙ୍କୁ। ଦୁଇଟି ପର୍ଯ୍ୟାୟରେ ରାୟଗଡ଼ା ଓ ଦୁର୍ଗୀରେ ଅନୁଷ୍ଠିତ ବୈଠକରେ ସମାନ କଥା କହିଥିଲେ। ଆଜି ସ୍ଥାନୀୟ ଏକ ହୋଟେଲରେ ରାୟଗଡ଼ା ନିର୍ବାଚନ ମଣ୍ଡଳୀ ବୈଠକ ଅନୁଷ୍ଠିତ ଇଥିଲା। ଏଥିରେ ପ୍ରମିଳା ଓ ପଦ୍ମନାଭଙ୍କ ସମେତ ଜିଲ୍ଲା ବିଜେଡ଼ି ସଭାପତି ଏନ୍. ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମରିକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ପରାଜିତ ବିଧାୟିକା ପ୍ରାର୍ଥୀ ତଥା ବରିଷ୍ଠ ନେତ୍ରୀ ଅନୁସୟା ମାଝୀ ମଞ୍ଚାସୀନ ଥିଲେ। ଦୁର୍ଗୀ ଠାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ସାଧାରଣ ସମ୍ପାଦକ ଜଗନ୍ନାଥ ସାରକା, ବରିଷ୍ଠ ନେତା ସୁଧୀର ଦାସ ମଞ୍ଚାସୀନ ଥିଲେ।
ଦଳର ସଭାପତି ନବୀନ ପଟ୍ଟନାୟକ ରାୟଗଡ଼ା ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ପୂର୍ବରୁ ଦଳର ଜିଲ୍ଲା ନେତାଙ୍କ ମତାମତ ସଂଗ୍ରହ କରିଥିଲେ ପ୍ରମିଳା ଓ ପଦ୍ମନାଭ। ବୈଠକରେ ଜିଲ୍ଲା ସଭାପତି ଚୟନ ସମ୍ବନ୍ଧରେ ମତ ରଖି କହିଥିଲେ ଯେ, ସଂଗଠନ କରି ଯିଏ ଦଳକୁ ସୁଦୃଢ କରିଥିଲା ତାଙ୍କୁ ଗତ ୫ ବର୍ଷ ଅଣଦେଖା କରାଗଲା। କଂଗ୍ରେସ ହାତରୁ ଛଡ଼ାଇ ବିଜେଡ଼ି ବିଜୟର ପଥ ନିର୍ମାଣ କରିଥିବା ବ୍ୟକ୍ତିଙ୍କୁ କୋଣଠେସା କରାଗଲା। ଏଭଳିକି ନିର୍ବାଚନ ସମୟରେ ପ୍ରାର୍ଥୀମାନେ ୱାର୍ଡ ଓ ପଞ୍ଚାୟତ କର୍ମୀଙ୍କ ସହିତ ପଦେ କଥା ହେଲେନି। ସେହିଭଳି ସ୍ଥିତିରେ ଦଳ ହାରିବା ନାହିଁ କି ବୋଲି ପ୍ରଶ୍ନ କରିଥିଲେ। ତେବେ ବର୍ତ୍ତମାନ ଯାହାକୁ ସଭାପତି କରିବେ ସେହି ବ୍ୟକ୍ତି ସମସ୍ତଙ୍କୁ ସାଥିରେ ନେଇ ଯିବାଭଳି ଦକ୍ଷତା ରହିବା ଆବଶ୍ୟକ। ସବୁ ପଦବୀ ଗୋଟିଏ ନିର୍ବାଚନ ମଣ୍ଡଳୀକୁ ନଦେବା ପାଇଁ ଦାବି କରିଥିଲେ। ପ୍ରମିଳା ଓ ପଦ୍ମନାଭ ମତ ସଂଗ୍ରହ କରିବା ପରେ ଏହା ଆମେ ନବୀନ ପଟ୍ଟନାୟକଙ୍କୁ ଜଣାଇବୁ ବୋଲି ସୂଚନା ଦେଇଥିଲେ। ତେବେ ବର୍ତ୍ତମାନ ଆମ ପାଇଁ ସମୟ ଅଛି ମତାନ୍ତର ଭୁଲି ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଭଲ ପ୍ରଦର୍ଶନ କରିବାପାଇଁ କହିଥିଲେ। ତେବେ ଏହାପରେ ଦଳୀୟ ନେତା ମଧ୍ୟରେ ଛକାପଞ୍ଝା ବଢ଼ିଥିବା ପରିଲିକ୍ଷିତ ହୋଇଛି। ଜିଲ୍ଲା ସଭାପତି ପଦବୀ ପାଇଁ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓ ଏବଂ ବରିଷ୍ଠ ନେତା ସୁଧୀର ଦାସ ପ୍ରମୁଖ ଦାବିଦାର ଅଛନ୍ତି। ଏଥିସହ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମରିକା, ବରିଷ୍ଠ ନେତା ଅମୀୟ ସ୍ବାଇଁ ଓ ବାବୁରାଓ ପଟ୍ଟନାୟକଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଭାସ୍କର ଓ ସୁଧୀର ମଧ୍ୟରେ ରହିଥିବା ଫାଟ ବନ୍ଦ କରିବା ପାଇଁ ଏହା ଏକପ୍ରକାର ଉଦ୍ୟମ ବୋଲି ମଧ୍ୟ ଦଳରେ ଆଲୋଚନା ହେଉଛି। କାରଣ ଗୋଷ୍ଠୀ କନ୍ଦଳ ଯୋଗୁଁ ଜିଲ୍ଲା ସଭାପତି ନାମ ଘୋଷଣା ବିଳମ୍ବ ଘଟିଛି। ଏନ୍. ଭାସ୍କର ରାଓ ଏବଂ ସୁଧୀର ଦାସଙ୍କ ସହିତ ପ୍ରମିଳା ଓ ପଦ୍ମନାଭଙ୍କ କବାଟ କିଳା ଆଲୋଚନା ହୋଇଥିଲା। ଅଳ୍ପ ଦିନରେ ଜିଲ୍ଲା ବିଜେଡ଼ି ସଭାପତିଙ୍କ ନାମରେ ନବୀନ ମୋହର ଲଗାଇବାକୁ ଯାଉଥିବା ଜଣାପଡିଛି। ଗତ ସାଧାରଣ ନିର୍ବାଚନରେ ଜିଲ୍ଲାରେ ବିଜେଡ଼ି ସମସ୍ତ ତିନିଟି ବିଧାନସଭା ଆସନରେ ହାରିବା ସହିତ କୋରାପୁଟ ଲୋକସଭା ପୁଣି ଥରେ ହାରିଥିଲା। ଏଣେ ରାଜ୍ୟରେ ୨୪ ବର୍ଷ ସରକାର କରିଥିବା ବିଜେଡ଼ି ଏଥର ବିରୋଧୀଦଳ ରୂପରେ ପରିଗଣିତ ହେଉଛି। ପରାଜୟର କାରଣ ଦଳ ଭିତରେ ଗୋଷ୍ଠୀ ବିବାଦ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି। କିନ୍ତୁ ବର୍ତମାନ ବିଜେଡ଼ି ପୁଣି ଥରେ ଅଣ୍ଟା ଭିଡ଼ିଛି ସଂଗଠନ ସଜାଡ଼ିବାକୁ। ସାଧାରଣ ନିର୍ବାଚନର ଏକବର୍ଷ ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। କାରଣ ଆଗକୁ ରହିଛି ପଞ୍ଚାୟତ ଓ ପୌର ନିର୍ବାଚନ। ପୂର୍ବରୁ ପଞ୍ଚାୟତ ଓ ପୌର ପରିଷଦ ବିଜେଡ଼ି ଦଖଲରେ ରହିଛି। ଆଗାମୀ ନିର୍ବାଚନ ପାଇଁ ଦଳ ଯଦି ଏବେଠାରୁ ସଂଗଠିତ ନହୁଏ ତେବେ ସାଧାରଣ ନିର୍ବାଚନର ଫଳାଫଳ ପୁନରାବୃତ୍ତି ହେବା ସମ୍ଭାବନା ଏଡାଇ ହୋଇପାରୁନାହିଁ। ପଞ୍ଚାୟତ ଓ ପୌର ପରିଷଦରେ ପରାଜିତ ହେବାର ଭୟ ରହିବା ଯୋଗୁଁ ରାଜ୍ୟ ନେତୃବୃନ୍ଦ ଏବେ ଦଳର ସଂଗଠନ ସଜାଡ଼ିବାରେ ଲାଗିଛନ୍ତି। ବର୍ତମାନ ପରିସ୍ଥିତିରେ ଜିଲ୍ଲାସ୍ତରରେ ସୁଦୃଢ଼ ସଂଗଠନ କରିଥିବା ନେତାଙ୍କୁ ଦଳ ଦାୟିତ୍ୱ ଦେବା ନେଇ ସ୍ଥିର କରିଥିବା ଜଣାପଡ଼ିଛି। ତେଣୁ ପ୍ରମିଳା ଓ ପଦ୍ମନାଭ ଜିଲ୍ଲା ନେତାମାନଙ୍କ ମତ ସଂଗ୍ରହ କରିଥିଲେ।
ଆଜି ରାୟଗଡ଼ା ଓ ବିଷମକଟକ ନିର୍ବାଚନ ମଣ୍ଡଳୀ ବୈଠକ ସରିଥିବା ବେଳେ ଆସନ୍ତାକାଲି ଗୁଣପୁର ନିର୍ବାଚନ ମଣ୍ଡଳୀ ବୈଠକ ଅନୁଷ୍ଠିତ ହେବ। ରାୟଗଡ଼ା ଜିଲ୍ଲାରୁ ବର୍ତମାନ ଦଳ ଭଲ ନେତା ସନ୍ଧାନରେ ଥିବା ପରିଲିକ୍ଷିତ ହୋଇଛି। ଯାହାର ରାଜନୈତିକ ଓ ସାଙ୍ଗଠନିକ ଦକ୍ଷତା ରହିଥିବ ତାକୁ ସଭାପତି କରାଯିବା ନେଇ ଆକଳନ ଚାଲିଛି। ପୂର୍ବତନ ସାଂସଦ ଏନ.ଭାସ୍କର ରାଓ ବର୍ତମାନ ଜିଲ୍ଲା ସଭାପତି ରହିଛନ୍ତି। ତେବେ ଦେଖିବାକୁ ରହିଲା କଳି କେବେ ତୁଟୁଛି ଓ ରାଜ୍ୟ ନେତୃବୃନ୍ଦ କାହାକୁ ଏହି ଦାୟିତ୍ୱ ଦେଉଛନ୍ତି।