
ହିଞ୍ଜିଳିକାଟୁ, ୯।୬(): ଦୂର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବା ପାଇଁ ରାଜ୍ୟ ସରକାର ଓ ପୁଲିସ ପ୍ରଶାସନ ପକ୍ଷରୁ ଉଦ୍ଧାରକାରୀଙ୍କୁ ପ୍ରଶଂସିତ କରିବା ସହ ୨ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଉଛି। ହେଲେ ଦୂର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସିତ କରିବା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପୁଲିସ ଭର୍ତ୍ତି କରିଥିଲେ ମଧ୍ୟ ନା ଡାକ୍ତର ନା ମେଡିକାଲ କର୍ମଚାରୀ କେହିବି ଆହତଙ୍କୁ ଚିକିତ୍ସା କରିବା ତ ଦୂରର କଥା ଆହତଙ୍କୁ ବେଡ୍ ମଧ୍ୟ ଯୋଗାଇ ଦିଆଯାଇନଥିବା ଜଣାପଡିଛି। ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଦେଖିବାକୁ ମିଳିଛି। ଫଳରେ ଦୀର୍ଘ ୧୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଆହତ ଯୁବକ ଜଣଙ୍କ ମେଡିକାଲ ବାରଣ୍ଡାରେ ପଡି ରହିଥିବା ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିବା ସହ ସଂପୃକ୍ତ ଚିକିତ୍ସାଳୟର ଡାକ୍ତର ଓ କର୍ମଚାରୀଙ୍କ ହୀନ ମାନସିକତାର ଲକ୍ଷଣ ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ପ୍ରକାଶ ଯେ, ରବିବାର ରାତ୍ର ପ୍ରାୟ ୯ ଘଣ୍ଟା ସମୟରେ ୫୯ ନ° ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ମେଡିକାଲ ଛକରେ ସ୍କୁଟି ସହ ବାଇକ୍ ଧକ୍କା ଘଟିଥିଲା। ଦୂର୍ଘଟଣାରେ ଉଭୟ ଗାଡିର ୩ ଜଣ ଗୁରୁତର ଆହତ ହୋଇଥିଲେ। ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିବା ପାଇଁ ଉପସ୍ଥିତ ଡାକ୍ତର ପରାମର୍ଶ ଦେଇଥିଲେ। ସେମାନଙ୍କ ମଧ୍ୟରୁ ହିଞ୍ଜିଳି ଥାନା ମକରଝୋଳ ଗ୍ରାମର ସୁନିଲ ମହାଙ୍କୁଡ ଓ ଜଗନ୍ନାଥପ୍ରସାଦ ଥାନା ବରଗାଁ ଗ୍ରାମର କ୍ରୀଷ୍ଣା ଜେନାଙ୍କ ପରିବାର ଲୋକେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଥିଲେ । ଉଭୟ ପରିବାର ଲୋକେ ସୁନିଲ ଓ କ୍ରୀଷ୍ଣାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ନେଇଥିଲେ। ତେବେ ଗୁରୁତର ଆହତ ଥିବା ବାଇକ୍ ଚାଳକ ଜଗନ୍ନାଥ ପ୍ରସାଦ ଥାନା ବରଗାଁର କଳ୍ପଶ୍ବେର ଭୂୟାଁ ଅତ୍ୟଧିକ ମଦ୍ୟପାନ କରି ସଂଜ୍ଞାହୀନ ଥିବାରୁ ଏବଂ ତାଙ୍କରି କୈାଣସି ସମ୍ପର୍କୀୟ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ନଥିବାରୁ ତାଙ୍କରି ଆବଶ୍ୟକ ଚିକିତ୍ସା କରାଯାଇନଥିବା ଜଣାପଡିଛି। ଏପରିକି ସଂପୃକ୍ତ ଆହତ କଳ୍ପେଶ୍ବରଙ୍କୁ ମେଡିକାଲରେ ବେଡକୁ ମଧ୍ୟ ସିପ୍ଟ କରାଯାଇନଥିବା ଦେଖିବାକୁ ମିଳିଥିଲା। ସୋମବାର ମଧ୍ୟାହ୍ନ ୧୨.୩୦ ପର୍ଯ୍ୟନ୍ତ ସଂପୃକ୍ତ ଆହତ ମେଡିକାଲ ବାରଣ୍ଡାରେ ପଡିରହିଥିବା ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ସମୟରେ ଆହତ କଳ୍ପେଶ୍ବରଙ୍କୁ ମେଡିକାଲ ବାରଣ୍ଡାରେ ଦେଖିବାକୁ ମିଳିନଥିଲା। ଆହତ ଜଣଙ୍କ ନିଜ ଇଛାରେ କେଉଁଆଡେ ଚାଲିଗଲେ ନା ତାଙ୍କର କୈାଣସି ସମ୍ପର୍କୀୟ ତାଙ୍କୁ ଉଦ୍ଧାର କରି ନେଇଥିଲେ ଜଣାପଡ଼ିନାହିଁ। ଘଟଣା ନେଇ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ଶ୍ରୀକାନ୍ତ କୁମାର ସାହୁଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇପାରିନାହିଁ। ପ୍ରକାଶ ଥାଉକି, ବହୁ ସମୟରେ ଦୂର୍ଘଟଣାରେ ଆହତ ଓ କିଛି ଗୁରୁତର ରୋଗୀ ମାନଙ୍କ କୈାଣସି ସମ୍ପର୍କୀୟ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ଆସିନଥିବା ବେଳେ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ସୁଯୋଗ ଯୋଗାଇ ଦିଆଯାଉନଥିବା ଅଭିଯୋଗ ହେଉଛି। ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ପ୍ରଦାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।