
ହିଞ୍ଜିଳିକାଟୁ : ଗତ ପ୍ରାୟ ୨ ମାସ ଧରି ହିଞ୍ଜିଳି ଥାନା ସିକିରି ନିକଟରେ ଥିବା ଋଷିକୁଲ୍ୟା ନଦୀ ଗର୍ଭକୁ ଆଖିବୁଜି ବିଦାରି ଚାଲିଛନ୍ତି ଖରିଡ଼ା ଓ ଶିକିରି ଗ୍ରାମର ପେଶାଦାର ବାଲି ମାଫିଆ। ବାଲି ମାଫିଆଙ୍କ ଦ୍ବାରା ଟ୍ରାକ୍ଟରରେ ଦୈନିକ ପ୍ରାୟ ଶହେରୁ ଦୁଇଶହ ଟ୍ରିପ ଚୋରା ବାଲି ହିଞ୍ଜିଳିକାଟୁ ସହର ଓ ନିକଟସ୍ଥ ଗାଁ କୁ ନିର୍ବିଘ୍ଣରେ ପରିବହନ ହେଉଥିବା ସୂଚନା ମିଳିଛି। ହିଞ୍ଜିଳି ଥାନା ଅଞ୍ଚଳ ଦେଇ ଟ୍ରାକ୍ଟର ଗୁଡ଼ିକରେ ଖୋଲାଖୋଲି ଭାବେ ବାଲି ଚୋରା ଚାଲାଣ ହେଉଥିବା ବେଳେ ପୁଲିସ୍ କିମ୍ବା ପରିବହନ ବିଭାଗ ପକ୍ଷରୁ ଟ୍ରାକ୍ଟର ଗୁଡ଼ିକର ଆବଶ୍ୟକ କାଗଜପତ୍ର ଯାଞ୍ଚ ହେଉ ନ ଥିବା ଜଣାପଡିଛି। ଏପରିକି ଲଘୁ ଖଣିଜ ବିଭାଗର ଅଧିକାରୀ କିମ୍ବା ହିଞ୍ଜିଳି ଥାନା ପୋଲିସକୁ ମାଫିଆ ଗୋଷ୍ଠୀଙ୍କ ଆଦୌ ଖାତିର କି ଭୟ ନ ଥିଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଣୁ ମାଫିଆ ଗୋଷ୍ଠୀ ବାଲି ଖାଦାନକୁ କବଜା କରିବା ପରେ ମନଭରି ବାଲି ଲୁଟ୍ କରି ବେଧଡକ ଭାବେ ଅନ୍ୟତ୍ର ଚାଲାଣ କରୁଥିବା ନିତିଦିନିଆ ଘଟଣା ପାଲଟିଛି। ପୁର୍ବରୁ ରାଜସ୍ବ ବିଭାଗ ଅଧିକାରୀ ଓ ପୋଲିସ ପକ୍ଷରୁ ବେଆଇନ ବାଲି ପରିବହନ ଉପରେ ଚଢାଉ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ। ରାତ୍ର କାଳୀନ ପାଟ୍ରୋଲିଂ ବେଳେ ହିଞ୍ଜିଳି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରୁ ଚୋରା ଚାଲାଣରେ ଲିପ୍ତ ଥିବା ଗାଡ଼ି ଗୁଡ଼ିକ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲା। ପୋଲିସ ବେଆଇନ ବାଲି ଓ ଗାଡ଼ି ଗୁଡ଼ିକର କାଗଜପତ୍ର ଯାଞ୍ଚ ମଧ୍ଯ କରୁଥିଲା। ଆବଶ୍ୟକ ସଂଖ୍ୟକ କର୍ମଚାରୀ ନ ଥିବା କାରଣରୁ ଚଢାଉ କରିବା ସକ୍ଷମ ହେଉନାହିଁ ବୋଲି ଖଣି ବିଭାଗ ଅଧିକାରୀ କହୁଛନ୍ତି। ଏପରି ସ୍ଥଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣୀତ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ଜଳ ସମ୍ପଦ ବିଭାଗର ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ ଓ ଅବମାନନା କରି ଶିକିରି ନିକଟ ଋଷିକୁଲ୍ୟା ନଦୀ ଗର୍ଭରୁ ବେଧଡକ ଭାବେ ବେଆଇନ ବାଲି ପରିବହନ ଓ ଉତ୍ତୋଳନ ହେଉଥିବା ଦେଖା ଯାଇଛି। ଏପରିକି ରାତି ୧୨ଟା ପରେ ଓ ଭୋର ସମୟ ପର୍ଯ୍ୟନ୍ତ ଟ୍ରାକ୍ଟର ଗୁଡିକରେ ସହର ଓ ଗାଁ ର ଗଳି କନ୍ଦିରେ ଚଢ଼ା ଦରରେ ଚୋରା ବାଲି ବିକ୍ରି ହେଉଥିବା ଦେଖା ଯାଇଛି। ରାଜ୍ୟରେ ଏବେ ନୂଆଁ ସରକାରଙ୍କ ଶାସନ ଆରମ୍ଭ ହୋଇଛି। ରାଜ୍ୟ ଖଣିଜ ଓ ପରିବହନ ମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟକୁ ମଧ୍ଯ ସ୍ଥାନୀୟ ଅଞ୍ଚଳର ବାଲି ମାଫିଆଙ୍କ ତିଳେ ମାତ୍ର ଖାତିର ନାହିଁ।
ଶିକିରି ନିକଟ ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ନେଇ ବହୁ ସମୟରେ ଅଭିଯୋଗ ଉଠିଥିଲା । ନିର୍ଦ୍ଧିଷ୍ଟ ରାଜନୈତିକ ଦଳର କିଛି କୁଜି ନେତାଙ୍କ ଛାତ୍ର ଛାୟା ତଳେ ରହି ଖରିଡା ଓ ଶିକିରି ଗ୍ରାମର ବାଲି ମାଫିଆ ଶିକିରି ନିକଟ ଶ୍ମଶାନ ରାସ୍ତା ଦେଇ ବେଧଡକ ବାଲି ଚୋରା ଚାଲାଣ ହେଉଥିବା ନେଇ ହିଞ୍ଜିଳି ପୁଲିସକୁ ବିଶେଷ ସୁଚନା ମିଳିଥିଲା। କାଳ ବିଳମ୍ବ ନ କରି ହିଞ୍ଜିଳି ପୁଲିସ ବୁଧବାର ଭୋର ସମୟରେ ନଦୀ ନିକଟରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୭ଟି ବାଲି ବୋଝେଇ ଟ୍ରାକ୍ଟର (ଓଡି୦୭ବି ୦୬୨୩, ଓଡି୦୭ ଓ୍ବାଇ ୦୪୯୧, ଓଡି୦୭ଏଜି ୨୯୨୭, ଓଡି୦୭ଏପି ୦୭୦୩, ଓଡି୦୭ ଜେ ୧୫୩୬, ଓଡି୩୨ଏ ୭୯୬୭, ଓଡି୦୭ବି ୯୬୭୨)ଜବତ କରିଥିବା ବେଳେ ୪ ଜଣ ଚାଳକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଏ ନେଇ ହିଞ୍ଜିଳି ଥାନାରେ ୭ଟି ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ନିର୍ଦ୍ଦେଶରେ ଥାନା ଏସଆଇ ସୁରେଶ କୁମାର ସାହୁ, ରଶ୍ମିରଞ୍ଜନ ସାମଲ, ଏଏସଆଇ ସୁବାଷ ମିଶ୍ର, ଅନନ୍ତ ଶବର, କନେଷ୍ଟବଳ ବସନ୍ତ ଉପାଧ୍ୟାୟ, କୈଳାଶ ମଲିକ, ଦଣ୍ଡପାଣି ମଲ୍ଲିକ, ଗିରିଶ ଚନ୍ଦ୍ର ସାହୁ, ବିକ୍ରମ ବିଶ୍ବାଳ ପ୍ରମୁଖ ଚଢ଼ାଉରେ ଅଂଶ ଗ୍ରହଣ କରିଥିଲେ। ଆଗାମୀ ଦିନରେ ବେଆଇନ ବାଲି ଚାଲାଣ ହେଉଥିବା ଯାନବାହାନ ଉପରେ ଚଢାଉ ଜାରୀ ରହିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି।