
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଗୁଡାରି ସହରର ପ୍ରବେଶ ପଥ ମରଣଯନ୍ତା ପାଲଟିଛି । ଗୁଡାରି ର ବଂଶଧାରା ନଦୀ ପୋଲ ଠାରୁ ବାଦିଗୁଡା ଛକ ପର୍ଯ୍ୟନ୍ତ ରାସ୍ତା ର ଦୂରତା ମାତ୍ର ୧ କିଲୋମିଟର ବି ହେବନି। ଏହି ରାସ୍ତା ର ଅବସ୍ଥା ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ। ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥ ଏହି ରାସ୍ତା ରେ ପ୍ରତିଦିନ ପିଲାମାନେ ହାଇସ୍କୁଲ, କଲେଜ ଆଉ ବିଦ୍ୟାଳୟ ଯାଆସ କରିଥାନ୍ତି। ଏହାଛଡ଼ା ନଦୀର ଅପରପାର୍ଶ୍ୱରେ ଥିବା ୪ ଗୋଟି ଗ୍ରାମପଞ୍ଚାୟତ ବାସୀ ଦୈନନ୍ଦିନ କାର୍ଯ୍ୟ ପାଇଁ ଗୁଡାରି ସହର ଉପରେ ନିର୍ଭର କରିଥାନ୍ତି। ଏହି ରାସ୍ତା ଦେଇ ପ୍ରତିଦିନ ବସ, ଟ୍ରକ, ଆମ୍ବୁଲାନ୍ସ ଆଦି ଯାତାୟତ କରିଥାଏ। ଏହି ରାସ୍ତା ଆରଡି ବିଭାଗ ଅଧୀନରେ ଥିଲା କିନ୍ତୁ ଏହି ରାସ୍ତାର ମରାମତି ନିମନ୍ତେ ବିଭାଗ ଗୁଡାରି ଏନଏସିକୁ ଚିଠି ସଂଖ୍ୟା (୯୪୫/ ୧୬. ୭. ୨୦୨୪ )ରେ ଲେଖିଥିଲେ ବୋଲି ସୂଚନା ମିଳିଛି। ବର୍ଷା ଋତୁ ହୋଇଥିବା ଯୋଗୁଁ ଏହି ରାସ୍ତା ରେ ପାଣି ଜମି ଯାଉଥିବା ଯୋଗୁଁ ଗାତ ହୋଇ କାଦୁଅ ହୋଇଥିବାରୁ ଯାଆସରେ ବହୁତ ଅସୁବିଧା ହୋଇଥାଏ। ବର୍ତ୍ତମାନ ଏହି ରାସ୍ତାରେ ଚାଲି ଚାଲି ଯିବା ବି ଅସୁବିଧା ହୋଇଥାଏ। ଏହି ରାସ୍ତା ର ମରାମତି ନିମନ୍ତେ ଗୁଡାରି ସହରର “ୟୁଥ ଫର ଚେଞ୍ଜ” ଯୁବ ଗୋଷ୍ଠୀ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ୨ ଥର ଅଭିଯୋଗ କରିଥିଲେ। ପ୍ରତିଶୃତି ମିଳିଥିଲା କିନ୍ତୁ କିଛି ସୁଫଳ ମିଳିଲା ନାହିଁ। ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ଶୁଣାଣୀର ଉତ୍ତର ଦେଇ ଗୁଡାରି ଏନଏସି ର ଚିଠି ସଂଖ୍ୟା ୮୨୮/୨୦୨୫ ତାରିଖ ୧୮. ୬. ୨୦୨୫ ରେ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏହି ରାସ୍ତା ର ମରାମତି ନିମନ୍ତେ ୩, ୩୯,୫୧, ୦୦୦ କୋଟି ଟଙ୍କାର ପାଣ୍ଠି ଦେବା ନିମନ୍ତେ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ କୁ ଅନୁରୋଧ କରିଛନ୍ତି।
ଗୁଡାରି ରେ ମା ଠାକୁରାଣୀ ଙ୍କ ଘଟ ପର୍ବ ଯୋଗୁଁ ଗତ ଏପ୍ରିଲ ମାସରେ ଏନଏସି ପକ୍ଷରୁ ମୋରୁମ ପକେଇ ରାସ୍ତା ମରାମତି କରାଯାଇଥିଲା। ଏହି ରାସ୍ତା ର ଗୋଟିଏ ପାର୍ଶ୍ଵ ରେ ଝୋଲା ଥିବାରୁ ଯଦି ଦୁର୍ଘଟଣା ହେଲେ ଜୀବନ ଚାଲି ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଏପରିକି ରାସ୍ତା ରେ ଯିବା ସମୟରେ ଯେତେବେଳେ ଉଭୟ ପାର୍ଶ୍ଵ ରୁ ଗାଡି ଆସିଥାଏ ସେତେବେଳେ ଚାଳକ ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି। ରାସ୍ତା ରେ କାଦୁଅ ଖସଡ଼ା ହୋଇଥିବା ଯୋଗୁଁ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ହୋଇଥାଏ। ଏ ସମ୍ପର୍କ ରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାଢ଼ୀ କହିଛନ୍ତି ଯେ ବର୍ତ୍ତମାନ ଏହି ରାସ୍ତା ମରାମତି କରିବା ନିମନ୍ତେ ଆମକୁ ଆର ଡି ବିଭାଗ ଚିଠି କରିଛନ୍ତି ଏବଂ ମରାମତି ନିମନ୍ତେ ଆବଶ୍ୟକ ପାଣ୍ଠି ପାଇଁ ସରକାର ଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ କୁ ଚିଠି କରାଯାଇଛି। ପାଣ୍ଠି ଆସିବା ପରେ ଏହି ରାସ୍ତା ର ସ୍ଥାୟୀ ମରାମତି କରାଯିବା ସହ ଉଭୟ ପାର୍ଶ୍ୱରେ ଗାର୍ଡ ୱାଲ କରାଯିବ। ଖୁବ ଶୀଘ୍ର ଏହି ରାସ୍ତା ମରାମତି କରାନଗଲେ ଏହି ରାସ୍ତା ରେ ଧାରଣା ଦିଆଯିବ ବୋଲି ସିପିଆଇ (ଏମ ଏଲ) ଲିବରସେନ ନେତା ବୃନ୍ଦାବନ ବିଡ଼ିକା ସୂଚନା ଦେଇଛନ୍ତି। ଗୁଡାରି ଅଞ୍ଚଳ ବାସୀଙ୍କ ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ପ୍ରଶାସନ ତୁରନ୍ତ ଏହି ରାସ୍ତା ମରାମତି କରିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଦାବି ହେଉଛି ।