ବ୍ରହ୍ମାକୁମାରୀସ୍ ଶାନ୍ତିକୁଣ୍ଡରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

youtube

ବ୍ରହ୍ମପୁର : ପ୍ରଜାପତି ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଶାନ୍ତିକୁଣ୍ଡ, ଗିରିରୋଡ ପ୍ରାଙ୍ଗଣରେ ଆଜି ପୂର୍ବ।ହ୍ନ 10 ଘଟିକା ସମୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ପୂର୍ବତନ ସବଜୋନ୍ ମୂଖ୍ୟ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗ୍ନୀ ମଞ୍ଜୁ ଦିଦିଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିବା ସ୍ଥାନରେ ନିର୍ମାଣାଧିନ ସ୍ମୃତି ସ୍ତମ୍ଭ “ପ୍ରଭୁ ମଞ୍ଜୁଳ ମିଳନ ଧାମ”ର ନକ୍ସା ପ୍ରସ୍ତୁତ କରିଥିବା ବ୍ରହ୍ମାକୁମାରୀସ୍ ଅନ୍ତଃରାଷ୍ଟ୍ରୀୟ ମୂଖ୍ୟାଳୟ ମାଉଣ୍ଟ ଆବୁର ନିର୍ମାଣ ବିଭାଗର ସମର୍ପିତ ଭ୍ରାତା ଇଞ୍ଜିନିୟର ଶିବ ପ୍ରସାଦ ଯୋଗଦେଇ ସାମ୍ବାଦିକମାନଙ୍କୁ ଉଦବୋଧନ ପ୍ରଦାନ କରି କହିଥିଲେ ଯେ ବ୍ରହ୍ମଲୋକ ନିବାସୀ ପରମାତ୍ମା ଶିବ ଏହି ଧରାପୃଷ୍ଠରେ ଆଜକୁ ଦୀର୍ଘ 90 ବର୍ଷ ଧରି ଦିବ୍ୟପରକାୟା ଅବତରଣ କରି ସହଜ ଈଶ୍ବରୀୟ ଜ୍ଞାନ ଏବଂ ରାଜଯୋଗ ମାଧ୍ୟମରେ ମନୁଷ୍ୟ ଆତ୍ମାଙ୍କୁ 5 ବିକାରରୁ ମୁକ୍ତି ପୂର୍ବକ ସମାଜକୁ ସକାରାତ୍ମକ ପବିତ୍ର ଦିଗଦର୍ଶନ ଦେଇ ଚାଲିଛନ୍ତି । ଏଣୁ ଏପରି କର୍ତ୍ତବ୍ୟରେ ଆମେ ସମସ୍ତେ ସହଯୋଗୀ ହୋଇ ନିଜର ତଥା ବିଶ୍ବର କଲ୍ୟାଣ କରିବା ଉଚିତ । ସେହିପରି ଅନ୍ତଃରାଷ୍ଟ୍ରୀୟ ମୂଖ୍ୟାଳୟର ଇଲକ୍ଟ୍ରୋନିକ୍ ଗଣମାଧ୍ୟମ ପ୍ରଭାଗର ସମର୍ପିତ ଭ୍ରାତା ଇଞ୍ଜିନିୟର ନରସିଂହ ଅନ୍ୟତମ ବକ୍ତାରୂପେ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ଅନ୍ତର୍ମୁଖୀ ହୋଇ ମନର ଏକାଗ୍ରତା ଦ୍ବାରା ବିଶ୍ବବାସୀ ନିଜ ଅନ୍ତର୍ନିହିତ ଗୁଣ-ପବିତ୍ରତା, ସୁଖ, ଶାନ୍ତି, ଶକ୍ତି, ଆନନ୍ଦ ଆଦି ଅନୁଭବ କରି ଏକ ଚିନ୍ତା, ଭୟ ଏବଂ ରୋଗ ମୁକ୍ତ ଜୀବନଯାପନ କରିପାରିବେ । ପରିଶେଷରେ ସବଜୋନ୍ ମୂଖ୍ୟ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗ୍ନୀ ମାଳା “ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟ”ର ସନ୍ଦେଶ ପ୍ରଦାନ ପୂର୍ବକ ରାଜଯୋଗର ଦୀର୍ଘ ସମୟର ଅଭ୍ୟାସ ଦ୍ବାରା ମନୁଷ୍ୟ କିପରି ଦେବତା ରୂପରେ ପରିବର୍ତ୍ତିତ ହୋଇପାରେ, ତାହା ବର୍ଣ୍ଣନା କରିଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସହରର ପ୍ରିଣ୍ଟ ମିଡିଆ, ଇଲକ୍ଟ୍ରୋନିକ୍ ମିଡିଆ, ୟୁଟ୍ୟୁବ ମିଡିଆ ଏବଂ ସୋସିଆଲ ମିଡିଆର ପ୍ରାୟ 30 ଜଣ ସାମ୍ବାଦିକ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.