ଜେସିବିରୁ ଟାୟାର ଚୋରୀ ଘଟଣା : ୩ ଗିରଫ, ୨ ଟାୟାର ସମେତ ଅଟୋ ଜବତ

youtube

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ପିତଳ ଛକରୁ ୧୮ ତାରିଖ ବିଳମ୍ବିତ ରାତିରେ ୫୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଏକ ଜେସିବିରୁ କେହି ଦୃବୁର୍ତ୍ତ ୨ଟି ଟାୟାର ଚୋରୀ କରି ନେଇଯାଇଥିଲେ। ଘଟଣା ନେଇ ଜେସିବି ମାଲିକ ହିଞ୍ଜିଳି ଥାନା ପିତଳ ଗ୍ରାମର ହରିହର ସ୍ବାଇଁ ୨୧ ତାରିଖରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନମ୍ବର- ୪୯୬/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତକାରୀ ଅଧିକାରୀ ତଥା ଥାନା ଏସଆଇ ରଶ୍ମିରଞ୍ଜନ ସାମଲ ଘଟଣାର ତଦନ୍ତ ଚଳାଇଥିଲେ । ନିକଟସ୍ଥ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ସହାୟତାରେ ପୁଲିସ ଘଟଣାର ତଦନ୍ତ କରି ରବିବାର ବିଳମ୍ବିତ ରାତିରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ୨ ଜଣ ଲୁଟେରା ଦିଗପହଣ୍ଡି ଥାନା ଜଗନ୍ନାଥପୁର ଗ୍ରାମର ବିକ୍ରମ କୁମାର ଚୌଧୁରୀ (୨୦) , ପଦ୍ମନାଭପୁର ଗ୍ରାମର ପିଙ୍କୁ ସାହୁ (୨୧) ଓ ଚୋରୀ ଟାୟାର କିଣିବା ଅଭିଯୋଗରେ ଅନ୍ୟ ଜଣଙ୍କୁ ଗିରଫ କରିଛି। ଗିରଫ ଜଣଙ୍କ ହେଲେ ଗ୍ୟାରେଜ ମାଲିକ ପାଟପୁର ଥାନା ଖଣ୍ଡଦେଉଳି ଗ୍ରାମର ସମିର ସେଠି (୨୩) ।‌ ଗିରଫ ଯୁବକଙ୍କ ଠାରୁ ଚୋରୀ ହୋଇଥିବା ୨ ଜେସିବି ଟାୟାର ସହ ଚୋରୀରେ ବ୍ୟବହୃତ ଏକ ମାଲ ପରିବହନକାରୀ ଅଟୋ (ଓଡି୦୭ଏଟି ୧୬୮୧)କୁ ଜବତ କରିଛି। ୨ ଲୁଟେରା ବିକ୍ରମ ଓ ପିଙ୍କୁ ଟାୟାର ଚୋରୀ କରିଥିବା ଓ ଗ୍ୟାରେଜ ମାଲିକ ସମିର ଚୋରୀ ଟାୟାର କିଣିଥିବା ନେଇ ପୁଲିସ ନିକଟରେ ସ୍ବୀକାର କରିଥିବା ପୁଲିସ କହିଛି। ଗିରଫ ୩ ଅଭିଯୁକ୍ତଙ୍କୁ ସୋମବାର ଶେରଗଡ କୋର୍ଟ ଚାଲାଣ କରାଯାଇଛି। ସ୍ଥାନୀୟ ଅଞ୍ଚଳରୁ ଅନ୍ୟ କିଛି ଗାଡିରୁ ଟାୟାର ଚୋରୀ ଘଟଣାରେ ସେମାନଙ୍କ ସଂପୃକ୍ତି ଅଛି କି ନାହିଁ, ସେ ନେଇ ପୁଲିସ ତଦନ୍ତ ଚଳାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି।
ପ୍ରକାଶ ଯେ, ଗତ ୧୮ ତାରିଖ ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ପିତଳ ଛକ ତଥା ୫୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ହରିହର ସ୍ବାଇଁଙ୍କ ଏକ ଜେସିବି ରହିଥିଲା।‌ ବିଳମ୍ବିତ ରାତିରେ ବିକ୍ରମ ଓ ପିଙ୍କୁ ସଂପୃକ୍ତ ସ୍ଥାନରେ ପହଞ୍ଚି ଜେସିବିରୁ ୨ଟି ଟାୟାର ଖୋଲି ଏକ ମାଲ ପରିବହନକାରୀ ଅଟୋରେ ନେଇ ଚମ୍ପଟ ମାରିଥିଲେ। ପ୍ରକାଶ ଥାଉକି ଗତ କିଛି ଦିନ ଧରି ହିଞ୍ଜିଳିକାଟୁ ନିକଟବର୍ତ୍ତୀ ଅଞ୍ଚଳର ରାସ୍ତା ପ୍ବାର୍ଶ୍ବରେ ରହିଥିବା କିଛି ଗାଡ଼ିରୁ ଟାୟାର ଚୋରୀ ଘଟିଥିବା ନଜିର ରହିଛି। ଗିରଫ ଅଭିଯୁକ୍ତ ମାନେ ଅନ୍ୟାନ୍ୟ ଟାୟାର ଚୋରୀ ଘଟଣାରେ ସଂପୃକ୍ତି ଅଛି କି ନାହିଁ ସେ ନେଇ ତଦନ୍ତ ଜାରୀ ରହିଛି ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି। ଚଢ଼ାଉରେ ଥାନା ଏସଆଇ ସିଦ୍ଧାର୍ଥ ଶଙ୍କର ଜେନା, ସୁରେଶ କୁମାର ସାହୁ, କନେଷ୍ଟବଳ ବସନ୍ତ ଉପାଧ୍ୟାୟ, କୈଳାଶ ମଲିକ, ଦଣ୍ଡପାଣି ମଲ୍ଲିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Leave A Reply

Your email address will not be published.