ମହାକାଶରେ ଉଡ଼ିବ ତ୍ରିରଙ୍ଗା: ୧୯୮୪ରୁ ୨୦୨୫.. ୪୧ ବର୍ଷ ପରେ ମହାକାଶ ଗଲେ ୨ୟ ଭାରତୀୟ

youtube

ନୂଆଦିଲ୍ଲୀ: ୧୯୮୪ ମସିହା, ଏକ ଶୀତୁଆ ସକାଳରେ ମହାକାଶ ଯାତ୍ରା ପାଇଁ ପ୍ରସ୍ତୁତ ହେଉଥିଲେ ଭାରତୀୟ ବାୟୁସେନା ଅଧିକାରୀ ରାକେଶ ଶର୍ମା । ସୋୟୁଜ୍ ଟି-୧୧ ଇଞ୍ଜିନର ଗର୍ଜନ ସହ ସେ ଉପରକୁ ଉଠିବାକୁ ଲାଗିଲେ ଆଉ କିଛି ସମୟ ପରେ ସେ ପୃଥିବୀକୁ ଅତିକ୍ରମ କରି ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେଟ୍ଟ ଏହି ଯାତ୍ରା ସହ ରାକେଶ ଶର୍ମା ବନିଗଲେ ପ୍ରଥମ ଭାରତୀୟ ମହାକାଶଚାରୀ । ବାସ୍ ତା ପରଠାରୁ ଦୀର୍ଘ ୪ ଦଶନ୍ଧି ହେଲା କୌଣସି ଜଣେ ବି ମହାକାଶଚାରୀ ଭାରତରୁ ବାହାରି ନଥିଲେ । ହେଲେ ଏବେ ସେହି ସମୟ ପୁଣି ଥରେ ଆସିଛି । ୧୯୮୪ ପରେ ୨୦୨୫ରେ ଭାରତ ଇତିହାସରେ ପୁଣି ଜଣେ ମହାକାଶଚାରୀଙ୍କ ନାମ ଯୋଡି ହୋଇ ଯାଇଛି ଆଉ ସିଏ ହେଉଛନ୍ତି ଶୁଭାଂଶୁ ଶୁକ୍ଳା । ଯିଏ ମହାକାଶ ପାଇଁ ଯାତ୍ରା ଆରମ୍ଭ କରି ସାରିଛନ୍ତି ।
୧୯୮୪ ମସିହାରେ ଯେବେ ରାକେଶ ଶର୍ମା ପ୍ରଥମ ଭାରତୀୟ ଭାବେ ମହାକାଶ ଯାତ୍ରା କରିଥିଲେ ତାର୍ ଠିକ୍ ବର୍ଷେ ପରେ ମାନେ ୧୯୮୫ରେ ଜନ୍ମ ହୋଇଥିଲେ ଶୁଭାଂଶୁ । ଆକାଶର ତାରାଙ୍କୁ ଦେଖି ଦେଖି ତାଙ୍କ ପିଲାବେଳ ଖାଲି କଟିନି ବରଂ ତାରଭର୍ତ୍ତି ଆକାଶକୁ ଭେଦି ମହାକାଶରେ ପହଞ୍ଚିବାକୁ ତାଙ୍କ କୁନି ଆଖି ବୋଧେ ସେବେଠୁ ସ୍ବପ୍ନ ଦେଖୁଥିଲା ଯାହା ୪୦ ବର୍ଷ ପରେ ସତ ହୋଇଛି । ଏହି ଯାତ୍ରା ସହ ଶୁଭାଂଶୁ ଶୁକ୍ଳା ପାଲଟିଛନ୍ତି ୨ୟ ଭାରତୀୟ । ଯିଏ ମହାକାଶକୁ ଯାତ୍ରା କରିଛନ୍ତି । ତେବେ ସଫଳ ଉତକ୍ଷେପଣ ପରେ ଯାତ୍ରା ମଝିରୁ ଭାରତ ପାଇଁ ବାର୍ତ୍ତା ଦେଇଛନ୍ତି ଶୁଭାଂଶୁ । ଭାରତୀୟଙ୍କୁ ନମସ୍କାର କହି ବାର୍ତ୍ତା ଦେଇଛନ୍ତି ।
ଶୁଭାଂଶୁ କହିଛନ୍ତି- ନମସ୍କାର, ମୋର ପ୍ରିୟ ଦେଶବାସୀ ! ଏହା ଏକ ଚମତ୍କାର ଯାତ୍ରା । ଭାରତ ୪୧ ବର୍ଷ ପରେ ପୁଣି ଥରେ ମହାକାଶକୁ ଫେରିଛି । ଆମେ ସେକେଣ୍ଡ ପ୍ରତି ୭.୫ କିଲୋମିଟର ବେଗରେ ପୃଥିବୀ ଚାରିପାଖରେ ଘୁରୁଛୁ । ମୋ କାନ୍ଧରେ ତ୍ରିରଙ୍ଗା ଲଗାଯାଇଛି, ଯାହା ମତେ କହୁଛି ଯେ ମୁଁ ତୁମ ସମସ୍ତଙ୍କ ସହିତ ଅଛି । ମୋର ଏହି ଯାତ୍ରା ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ ପାଇଁ ନୁହେଁ ବରଂ ଭାରତର ମାନବ ମହାକାଶ କାର୍ଯ୍ଯକ୍ରମ ପାଇଁ.. ମୁଁ ଚାହେଁ ସମସ୍ତେ ଏହି ଯାତ୍ରାର ଅଂଶ ହୁଅନ୍ତୁ । ସମସ୍ତଙ୍କ ଛାତି ଗର୍ବରେ ଫୁଲିଯାଉ.. ଜୟ ହିନ୍ଦ , ଜୟ ଭାରତ..
ଶୁଭାଂଶୁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଯେହେତୁ ଆମେ ୨୫ ତାରିଖ ସକାଳେ ଏହି ଗ୍ରହ ଛାଡିବାକୁ ଯୋଜନା କରିଛୁ, ତେଣୁ ମୁଁ ମିଶନରେ ସାମିଲ ସମସ୍ତ ଲୋକଙ୍କୁ ଧନ୍ୟବାଦ ଜଣାଉଛି। ଘରେ ଥିବା ସମସ୍ତ ଲୋକଙ୍କୁ ସେମାନଙ୍କ ଭଲ ପାଇବା ଏବଂ ଆଶୀର୍ବାଦ ପାଇଁ ମଧ୍ୟ ଧନ୍ୟବାଦ।
ଜଣେ ମହାନ ସାଥୀ ହେବା ପାଇଁ କାମନା (ସ୍ତ୍ରୀ)ଙ୍କୁ ମୁଁ ବିଶେଷ ଧନ୍ୟବାଦ ଜଣାଉଛି। କୌଣସି ବ୍ୟକ୍ତି ଏକା ମହାକାଶ ଯାତ୍ରା କରନ୍ତି ନାହିଁ। ଏହି ଯାତ୍ରା ପାଇଁ ଆମ ପାଖରେ ଅନେକ ଲୋକଙ୍କ ସାହାଯ୍ୟ ଓ ସମର୍ଥନ ରହିଥାଏ। ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞ। ଧନ୍ୟବାଦ।’ ଶୁଭାଂଶୁଙ୍କ ବାପା ପୁଅର ସଫଳତାକୁ ନେଇ କହିଛନ୍ତି, “ମୁଁ ମୋ ପିଲାର ଶୁଭକାମନା କରୁଛି। ଆଜି ମୋ ପିଲା ଏକ ମିଶନରେ ଯାଉଛି। ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସେ ଯେଉଁ ମିଶନ ନେଇ ଯାଉଛି ତାହାକୁ ସଫଳତାର ସହ ପୂରଣ କରୁ। ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଯେ ମୋ ପୁଅର ମିଶନ ନିଶ୍ଚିତ ଭାବରେ ସମାପ୍ତ ହେବ।’
ଏହି କ୍ରମରେ ଶୁଭାଂଶୁ ଶୁକ୍ଳାଙ୍କ ମାଆ କହିଛନ୍ତି, “ଆଜି ମୁଁ ବହୁତ ଖୁସି। ମୁଁ ମୋର ଖୁସିକୁ ଶବ୍ଦରେ ପ୍ରକାଶ କରିପାରିବି ନାହିଁ। ଆମେ ସମସ୍ତେ ଏହି ମୁହୂର୍ତ୍ତକୁ ଉତ୍ସାହର ସହିତ ଅପେକ୍ଷା କରିଥିଲୁ। ମୋ ପିଲା ମହାକାଶ ଅଭିମୁଖେ ଉଡ଼ୁଛି। ଆପଣମାନେ ତା୍ର ମିଶନର ସଫଳତା ପାଇଁ ପ୍ରାର୍ଥନା କରନ୍ତୁ।’
ଶୁଭାଂଶୁ ଶୁକ୍ଳାଙ୍କ ଭଉଣୀ ଶୁଚି ମିଶ୍ର ମଧ୍ୟ ତାଙ୍କ ଭାଇର ସଫଳତାରେ ଖୁସି ବ୍ୟକ୍ତ କରି କହିଛନ୍ତି, ‘ଭଗବାନଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା ସେ ଯେଉଁ ମିଶନରେ ଯାଇଛି, ଭଗବାନ ତାକୁ ଏଥିରେ ସଫଳତା ଦିଅନ୍ତୁ। କାରଣ ସେ ତାର ମିଶନ ପାଇଁ କଠିନ ପରିଶ୍ରମ କରିଛି।’

Leave A Reply

Your email address will not be published.