
ହିଞ୍ଜିଳିକାଟୁ : ୫୯ ନମ୍ବର ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ଖଣ୍ଡରା ଛକ ନିକଟରେ ଏକ ସ୍କୁଟି (ଆରଜେ ୨୨ ଡିଏସ ୦୫୬୮) ଓ ବାଇକ୍ (ଓଡି୦୭ ଏକ୍ସ ୧୩୯୨)କୁ ଯାତ୍ରୀବାହୀ ଅଟୋ ଧକ୍କା ଦେଇଛି। ଦୂର୍ଘଟଣାରେ ବାଇକ୍ ଓ ସ୍କୁଟି ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହେଲେ ବାଇକ୍ ଚାଳକ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଇଞ୍ଜିନିୟରିଂ ସ୍କୁଲ ରୋଡ ପଣ୍ଡା କଲୋନୀର ସନ୍ତୋଷ କୁମାର ବେହେରା ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକେ ଆହତ ବାଇକ୍ ଚାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସ୍କୁଟି ଚାଳକ ସମ୍ପର୍କୀୟଙ୍କ ସହ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ଚାଲି ଯାଇଥିବାରୁ ପରିଚୟ ମିଳିପାରିନାହିଁ। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଦୂର୍ଘଟଣା ଘଟାଇ ଅଟୋ ଚାଳକ ଗାଡି ନେଇ ଘଟଣା ସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ଆହତ ସନ୍ତୋଷଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।