ଆସିକାରେ ପାଠ୍ୟପୁସ୍ତକ ବଣ୍ଟନରେ ଚରମ ଅବହେଳା, ଚିନ୍ତାରେ ଅଭିଭାବକ

add-all

ବ୍ରହ୍ମପୁର: ଶିକ୍ଷାବର୍ଷ ଆରମ୍ଭର ତିନି ମାସ ବିତିବାକୁ ବସିଲାଣି, ହେଲେ ଏଯାଏଁ ଛାତ୍ରଛାତ୍ରୀଙ୍କ ହାତରେ ପହଞ୍ଚିପାରିନି ନୂଆ ବହି। ଜୁନ ମାସ ସରି ଜୁଲାଇ ଆସିଲା, କିନ୍ତୁ ଆସିକା ବ୍ଲକର ଅଧିକାଂଶ ବିଦ୍ୟାଳୟରେ ପିଲାମାନେ ଏବେବି ପାଠ୍ୟପୁସ୍ତକକୁ ଚାହିଁ ବସିଛନ୍ତି। ଏପରି ସ୍ଥିତିରେ ଆସନ୍ତା ଜୁଲାଇ ପହିଲାରୁ ହେବାକୁ ଥିବା ପରୀକ୍ଷା ସେମାନେ କିପରି ଦେବେ, ତାହାକୁ ନେଇ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।

ସାଧାରଣତଃ ପ୍ରତିବର୍ଷ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ, ଅର୍ଥାତ୍ ମାର୍ଚ୍ଚ ମାସ ସୁଦ୍ଧା ସରକାରଙ୍କ ପକ୍ଷରୁ ବିଦ୍ୟାଳୟମାନଙ୍କୁ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଥାଏ। କିନ୍ତୁ ଚଳିତ ବର୍ଷ ଗଣଶିକ୍ଷା ବିଭାଗର ଚରମ ଅବହେଳା ଯୋଗୁଁ ଆସିକା ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବିଶେଷ କରି ଆଦର୍ଶ ବିଦ୍ୟାଳୟରେ ଜୁଲାଇ ପହିଲାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ପିଲାମାନେ ବିନା ବହିରେ କିପରି ପରୀକ୍ଷା ଦେବେ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନ୍ୟପଟେ, ଏହି ସମସ୍ୟା ନେଇ ଆସିକା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ବହି ବଣ୍ଟନ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଯୋଗାଯୋଗ କରାଯିବାରୁ, ସେ ବହି ବଣ୍ଟନ ସରିଯାଇଥିବା ନେଇ ଏକ ପ୍ରକାର ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି, ଯାହା ବାସ୍ତବ ସ୍ଥିତିଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ଏପରିକି ଆଦର୍ଶ ବିଦ୍ୟାଳୟକୁ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପାଇଁ କେବଳ ଓଡ଼ିଆ ବହି ଯୋଗାଇ ଦିଆଯାଇଥିଲେ ମଧ୍ୟ ତାହା ଏଯାଏଁ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇନାହିଁ ବୋଲି ଅଭିଭାବକମାନେ କହିଛନ୍ତି। ବିଭାଗୀୟ ଅଧିକାରୀଙ୍କ ଏଭଳି ଖାମଖିଆଲି ମନୋଭାବ ପାଇଁ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଉଛି। ତୁରନ୍ତ ଏହି ସମସ୍ୟାର ସମାଧାନ କରି ପରୀକ୍ଷା ପୂର୍ବରୁ ସମସ୍ତଙ୍କୁ ବହି ଯୋଗାଇ ଦେବାକୁ ଅଭିଭାବକ ମହଲରେ ଦୃଢ଼ ଦାବି ହୋଇଛି।

ad-week
Leave A Reply

Your email address will not be published.