ଗୋରୁ ବୋଝେଇ ଗାଡ଼ି ଜବତ, ୪ ଗୋରୁ ଉଦ୍ଧାର, ଜଣେ ଗିରଫ

add-all


ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଅଞ୍ଚଳରୁ ବେଆଇନ ଭାବେ ଗାଇଗୋରୁ ଚାଲାଣ କରାଯାଉଥିବା ବେଳେ ରବିବାର ଭୋର ସମୟରେ ସ୍ଥାନୀୟ ଥାନା ତଥା ହିଞ୍ଜିଳି ଥାନା ପୋଚିଲିମା ଆଇଟିଆଇ ରାସ୍ତା ନିକଟରୁ ଏକ ଗୋରୁ ବୋଝେଇ ଟାଟା ଏସିଇ(ଓଡ଼ି୦୭ କେ ୫୯୭୦)କୁ ହିଞ୍ଜିଳି ପୁଲିସ ଜବତ କରିଛି । ବାଳକଙ୍କ ସମେତ ଜଣେ ଗୋଚାଲାଣକାରୀ ଜଣଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ହିଞ୍ଜିଳି ଥାନା ଭେଙ୍କଟରାୟପଲ୍ଲୀ ଗ୍ରାମର ଟି. କିଶୋର (୩୫) ଓ ଖରିଡା ଗ୍ରାମର ସୁଦାମ ଗୈାଡ (୨୨) । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୫୩୩/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇବା ସହ ଉଦ୍ଧାର ୪ ଗୋରୁକୁ ମହୁଡା ଗୋଶାଳାକୁ ସ୍ଥାନାନ୍ତରିତ କରାଯାଇଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏଏସଆଇ ମନୋଜ ସେନାପତିଙ୍କ ସୁତ୍ରରୁ ପ୍ରକାଶ ।
ପ୍ରକାଶ ଯେ, ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳରେ ପ୍ରତି ଶନିବାର ଦିନ ସାପ୍ତାହିକ ହାଟ ଅନୁଷ୍ଠିତ ହୋଇ ଆସୁଥିଲା । ସ୍ଥାନୀୟ ପୌରାଞ୍ଚଳ ନିୟନ୍ତ୍ରିତ ବଜାର ପରିସରରେ ଗୋରୁ ହାଟ ବସୁଥିଲା । ନିୟନ୍ତ୍ରିତ ବଜାର ପରିସରରେ ଉପଖଣ୍ଡ ଚିକିତ୍ସାଳୟ ସ୍ଥାପିତ ହେବା ପରେ ସ୍ଥାନୀୟ ବ୍ଳକ ରାଳବ ଗ୍ରାମକୁ ଗୋରୁ ହାଟ ସ୍ଥାନାନ୍ତରିତ କରଯାଇଥିଲା । ଗତ କିଛି ବର୍ଷ ପୂର୍ବେ ଗାଇଗୋରୁଙ୍କ ଦେହରେ ଚର୍ମବିଣ୍ଡି ରୋଗର ଲକ୍ଷଣ ଦେଖା ଯିବା ପରେ ସ୍ଥାନୀୟ ଅଞ୍ଚଳରୁ ଗୋରୁ ହାଟ ସମ୍ପୁର୍ଣ୍ଣ ବନ୍ଦ କରାଯାଇଥିଲା । ଗୋରୁ ହାଟ ବନ୍ଦ ହୋଇଯିବା ପରେ ସ୍ଥାନୀୟ ଅଞ୍ଚଳର ବହୁ ଗୋ ଦଲାଲ ସକ୍ରିୟ ହେବା ସହ ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳ ବୁଲି ଗାଇଗୋରୁ ମାନଙ୍କୁ କିଣି ପଡୋଶୀ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, କଲିକତା ଅଞ୍ଚଳକୁ ଗୋମାସଂ ସକାଶେ ରପ୍ତାନି କରାଯାଉଥିବା ଜଣାପଡ଼ିଛି । ରବିବାର ଭୋରରେ ଜଣେ ଗୋଦଲାଲ ସ୍ଥାନୀୟ ଅଞ୍ଚଳର ନିରିହ ଗୋପାଳକ ମାନଙ୍କୁ ପ୍ରଲୋଭିତ କରାଇ ୪ଟି ଗୋରକୁ କିଣି କାଞ୍ଚିଲି ଅଭିମୁଖେ ନେଉଥିଲେ । କୌଣସି ସୁତ୍ରରୁ ଖବର ପାଇ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ନିର୍ଦ୍ଦେଶରେ ଏଏସଆଇ ବୈକୁଣ୍ଠନାଥ ଜେନା, କନେଷ୍ଟବଳ ବସନ୍ତ ଉପାଧ୍ୟାୟ , ଦଣ୍ଡପାଣି ମଲ୍ଲିକ, ସୁଶାନ୍ତ ନାୟକ ପ୍ରମୁଖ ହିଞ୍ଜିଳି ଥାନା ପୋଚିଲିମା ଆଇଟିଆଇ ନିକଟରୁ ଗୋଚାଲାଣ ହେଉଥିବା ଗାଡ଼ିକୁ ଜବତ କରିଥିଲେ । କିଛି ଦିନର ବ୍ୟବଧାନ ପରେ ପୁଲିସ ପ୍ରଶାସନ ପକ୍ଷରୁ ଗୋ ଚାଲାଣ ଉପରେ ଚଢାଉ କରାଯିବା ପରେ ସ୍ଥାନୀୟ ଅଞ୍ଚଳର ଗୋ ଦଲାଲଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଆଗାମୀ ଦିନରେ ଚଢାଉ ଜାରି ରହିବା ସହ ଗୋ ଚାଲାଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଆଇଆଇସି ସେଠି କହିଛନ୍ତି ।

ad-week
Leave A Reply

Your email address will not be published.