
ହିଞ୍ଜିଳିକାଟୁ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୨ ଯୁବକଙ୍କ ମିଳିତ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଥିଲେ। ସଂପୃକ୍ତ ଘଟଣାରେ ହିଞ୍ଜିଳି ପୁଲିସ ସୋମବାର ଜଣେ ଆକ୍ରମଣକାରୀଙ୍କୁ ଗିରଫ କରିଛି। ଗିରଫ ଜଣଙ୍କ ହେଲେ ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୌରାଞ୍ଚଳ ଆଙ୍କୋରଡା କାଳୁଆସାହିର ଟୁନା ସେଠି (୨୬) । ଅନ୍ୟ ଜଣେ ଆକ୍ରମଣକାରୀ ଯୁବକ ବର୍ତ୍ତମାନ ସୁଦ୍ଧା ଫେରାର ରହିଛନ୍ତି। ଫେରାର ଯୁବକ ଜଣଙ୍କ ହେଲେ ଗୈାଡପଲ୍ଲୀ ଗ୍ରାମର ବେଣୁ ସେଠି। ଗିରଫ ଯୁବକଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏସଆଇ ରଶ୍ମିରଞ୍ଜନ ସାମଲଙ୍କ ସୂତ୍ରରୁ ପ୍ରକାଶ।
ପ୍ରକାଶ ଯେ, ଶେରଗଡ଼ ଥାନା କୁରୁଳା ଗ୍ରାମର ନାରାୟଣ ମହାରଣାଙ୍କ ସହ ଟୁନା ଓ ବେଣୁଙ୍କ ସହ ପୂର୍ବରୁ ଶତୃତା ଲାଗି ରହିଥିଲା। ଚଳିତ ମାସ ୮ ତାରିଖରେ ନାରାୟଣ କୈାଣସି କାମରେ ହିଞ୍ଜିଳିକାଟୁ ଆସିଥିଲେ। ମଧ୍ୟାହ୍ନ ଭୋଜନ ପାଇଁ ସ୍ଥାନୀୟ ପୌରାଞ୍ଚଳର ଏକ ହୋଟେଲକୁ ଯାଉଥିବା ବେଳେ ହୋଟେଲ ସମ୍ମୁଖରେ ଟୁନା ଓ ବେଣୁ ମିଶି ମାରଣାସ୍ତ୍ରରେ ନାରାୟଣଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ନାରାୟଣ ଗୁରୁତର ଆହତ ହୋଇଥିଲେ। ଆକ୍ରମଣ ପରେ ଉଭୟ ଆକ୍ରମଣକାରୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ପ୍ରେମ ଘଟଣା ନେଇ ଆହତ ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନମ୍ବର- ୪୭୩/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା। ଟୁନା ରବିବାର ବେଙ୍ଗାଲୁରରୁ ଗାଁ କୁ ଫେରିଥିବା ଖବର ପାଇ ଚଢ଼ାଉ କରି ଗିରଫ କରିଥିଲା। ଫେରାର ବେଣୁ ସେଠିଙ୍କୁ ଯଥାଶୀଘ୍ର ଗିରଫ କରି କୋର୍ଟ ଚାଲାଣ କରାଯିବା ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି।