ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

youtube

ଛତ୍ରପୁର: ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା ସରକାରୀ ସେବାରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ସୋମବାର ଜିଲ୍ଲା ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତାଙ୍କ ପାଇଁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା।

ପୂର୍ବାହ୍ନରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଏବଂ ଅପରାହ୍ନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସଭାରେ ଉପସ୍ଥିତ କର୍ମଚାରୀମାନେ ଶ୍ରୀ ବେହେରାଙ୍କ କାର୍ଯ୍ୟଦକ୍ଷତା, କୁଶଳତା ଏବଂ ସହଯୋଗୀ ମନୋବୃତ୍ତିକୁ ଭୂୟସୀ ପ୍ରଶଂସା କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଜିଲ୍ଲା ପ୍ରଶାସନର ଖବର ଓ ବିଭିନ୍ନ ଜନହିତକର ଯୋଜନାକୁ ଗଣମାଧ୍ୟମ ଜରିଆରେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିଥିଲେ। ସମସ୍ତ ବିଭାଗ ସହିତ ଉତ୍ତମ ସମନ୍ୱୟ ରକ୍ଷା କରି ବିଭିନ୍ନ ଉତ୍ସବକୁ ସଫଳ କରିବାରେ ତାଙ୍କର ପ୍ରଚେଷ୍ଟା ପ୍ରଶଂସନୀୟ ଥିଲା ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ।

ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ସେ ଜିଲ୍ଲାର କଳା, କଳାକାରଙ୍କ ଉନ୍ନତି, ପାଠାଗାର ଏବଂ ଯୁବ ପାଠକମାନଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ତାଙ୍କର ଭୂମିକାକୁ ମଧ୍ୟ ସ୍ମରଣ କରାଯାଇଥିଲା। ଶ୍ରୀ ବେହେରା ଏକାଧାରରେ ଜଣେ ନାଟ୍ୟକାର, ସୁଲେଖକ ଓ କଳାକାର ଭାବେ ଗଞ୍ଜାମ ଜିଲ୍ଲାରେ ବେଶ୍ ଜଣାଶୁଣା।

ଏହି ଅବସରରେ ଗଞ୍ଜାମ ଜିଲ୍ଲାର ନୂତନ ଭାରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଶ୍ରୀମତୀ ରଶ୍ମିରାଣୀ ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିସହ ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀଙ୍କୁ ମଧ୍ୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉଭୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଅବସରପ୍ରାପ୍ତ ଅଧିକାରୀଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ।

Leave A Reply

Your email address will not be published.