ଡକ୍ଟର୍ସ ଫୋରମ ପକ୍ଷରୁ ଜାତୀୟ ଡାକ୍ତର ଦିବସ ପାଳିତ: ସ୍ୱାସ୍ଥ୍ୟ ଶିବିର ସହ ବିଶିଷ୍ଟ ବ୍ୟକ୍ତି ସମ୍ମାନିତ

youtube

ବ୍ରହ୍ମପୁର, ତା ୧/୭: ଡକ୍ଟର୍ସ ଫୋରମ ପକ୍ଷରୁ ଜାତୀୟ ଡାକ୍ତର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଜୁଲାଇ ୧ ତାରିଖରେ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ରୀଡ଼ା ପ୍ରାଙ୍ଗଣରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଫୋରମର ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଡାକ୍ତର ଯୋଗ ଦେଇଥିଲେ।

ଏହି ସ୍ୱାସ୍ଥ୍ୟ ଶିବିରରେ ୫୭ ଜଣ ରୋଗୀଙ୍କର ବିଭିନ୍ନ ପରୀକ୍ଷା କରାଯିବା ସହ ସେମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ପରାମର୍ଶ ଦିଆଯାଇଥିଲା। ଫୋରମର ସମ୍ପାଦକ ଡା. ଅତୁଲ୍ୟ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ଡା. ସମରେନ୍ଦ୍ର କୁମାର ସାହୁ, ଯୁଗ୍ମ ସମ୍ପାଦକ ଡା. ପ୍ରଶାନ୍ତ କୁମାର ପଣ୍ଡା, ଡା. କିରଣ କୁମାର ପାଣିଗ୍ରାହୀ, ଡା. ବିପିନ ବିହାରୀ ସାହୁ, ଡା. ରବୀନ୍ଦ୍ର କୁମାର ଗନ୍ତାୟତ, ଡା. ଗାନ୍ଧୀ ଚୌଧୁରୀ, ଡା. ସୁରଜିତ ପାଣିଗ୍ରାହୀ ଓ ଡା. ସୁଶ୍ରୀ ସଂସ୍କୃତି ସାହୁ ପ୍ରମୁଖ ଉପସ୍ଥିତ ରହି ରୋଗୀ ସେବା କରିଥିଲେ।

କାର୍ଯ୍ୟକ୍ରମରେ ବରିଷ୍ଠ ହୃଦରୋଗ ବିଶେଷଜ୍ଞ ପ୍ରଫେସର ଡା. ପ୍ରବୀଣ କୁମାର ରଥ, ବରିଷ୍ଠ ଡାକ୍ତର ତଥା ସମାଜସେବୀ ଡା. ଅଶୋକ କୁମାର ମିଶ୍ର, ଜିଲ୍ଲା ବିଜେପି ସଭାପତି ଶ୍ରୀ ସରୋଜ ସାବତ ଏବଂ ସାଂସଦଙ୍କ ପ୍ରତିନିଧି ଶ୍ରୀ ବାଳକୃଷ୍ଣ ସାମନ୍ତରାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଅପରାହ୍ନରେ ଡିଭାଇନ୍ ନର୍ସିଂହୋମର ସମ୍ମିଳନୀ କକ୍ଷରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶିଷ୍ଟ ଚିକିତ୍ସକ ଡା. ବିଧାନ ଚନ୍ଦ୍ର ରାୟଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରାଯିବା ସହ ବିଭିନ୍ନ ଜଟିଳ ରୋଗର ନିରାକରଣ ଓ ଆଧୁନିକ ଚିକିତ୍ସା ପଦ୍ଧତି ଉପରେ ଆଲୋଚନା ହୋଇଥିଲା। ଏହି ପରିପ୍ରେକ୍ଷୀରେ, ରୋଟାରୀ କ୍ଲବ୍ ପକ୍ଷରୁ ୨୧ ଜଣ ବିଶିଷ୍ଟ ଡାକ୍ତରଙ୍କୁ ସେମାନଙ୍କ ଉଲ୍ଲେଖନୀୟ ସେବା ପାଇଁ ସମ୍ମାନିତ କରାଯାଇଥିଲା।

ସଭାରେ ଦକ୍ଷିଣ ଓଡ଼ିଶାର ଏହି ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଡକ୍ଟର୍ସ ଫୋରମ”ର ଜନକଲ୍ୟାଣକାରୀ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଏକ ସ୍ଥାୟୀ କୋଠା ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ ପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା।

Leave A Reply

Your email address will not be published.