ହେରା ପଞ୍ଚମୀ ପାଇଁ ହିଞ୍ଜିଳିକାଟୁ ଉତ୍ସବ ମୁଖର…

youtube

ଶ୍ରୀଜଗନ୍ନାଥଙ୍କ ନୃସିଂହ ଅବତାର
ହିଞ୍ଜିିଳିକାଟୁ : ରଥଯାତ୍ରାର ପଞ୍ଚମ ଦିବସ ମଙ୍ଗଳବାର ହେରା ପଞ୍ଚମୀର ଦର୍ଶନ ପାଇଁ ସ୍ଥାନୀୟ ଆଡପ ମଣ୍ଡପ ପରିସରରେ ଜନସମାଗମ ହୋଇଥିଲା । ଶ୍ରୀଜଗନ୍ନାଥ ମହାପ୍ରଭୁ , ଅଗ୍ରଜ ଭ୍ରାତା ବଳଭଦ୍ର ଓ ଭଗ୍ନି ଦେବୀ ସୁଭଦ୍ରାଙ୍କ ସହ ସ୍ୱତନ୍ତ୍ର ବେଶରେ ସଜ୍ଜିତ ହୋଇଥିଲେ । ମଙ୍ଗଳବାର ଦିନ ଦୁର୍ଲଭ ନୃସିଂହ ବେଶ ସାଙ୍ଗକୁ ସପ୍ତ ଆଳତି ଓ ୧୦୮ ଆଳତି ଦର୍ଶନ ପାଇଁ ପ୍ରବଳ ଭିଡ଼ ହୋଇଥିଲା । ଶ୍ରୀଜଗନ୍ନାଥ ସଂସ୍କୃତି ଓ ରୀତିନୀତି ଅନୁସାରେ ହିଞ୍ଜିଳିକାଟୁ ପାବନ ଶ୍ରୀକ୍ଷେତ୍ର,ରାଜବାଟି ଲକ୍ଷ୍ମୀ ନୃସିଂହ ମନ୍ଦିର ଓ ପାଟଣା ସାହି ଲକ୍ଷ୍ମୀ ନୃସିଂହ ଶ୍ରୀମନ୍ଦିରରେ ଅବସ୍ଥାନ କରୁଥିବା ମାତା ଲକ୍ଷ୍ମୀ ରାତି ଆଠଟା ବେଳକୁ ଷଡ଼ଚକ୍ର ଯାନ ରଥାରୂଢ ହୋଇ ବିଭିନ୍ନ ବାଦ୍ୟ ବାଜଣା ଓ ପଟୁଆରରେ ଆଡ଼ପ ମଣ୍ଡପକୁ ଆସିଥିଲେ । ସେଠାରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ଟେରାବାଡ଼ ଦ୍ୱାରା ଦେଢଶୁର ବଳଭଦ୍ରଙ୍କୁ ଆଢୁଆଳରେ ରହି ମହାପ୍ରଭୁଙ୍କ ସହ ବଚନିକା ମାଧ୍ୟମରେ ଝଗଡ଼ା କରିଥିଲେ । ଅଭିମାନିନୀ ପତ୍ନୀ ମହାଲକ୍ଷ୍ମୀଙ୍କୁ, ଶ୍ରୀଜଗନ୍ନାଥ ପ୍ରବୋଧନା ଦେଇ ଆଉ ମାତ୍ର ୪ ଦିନ ପରେ ସେ, ଶ୍ରୀମନ୍ଦିରକୁ ବାହୁଡ଼ାଯାତ୍ରା କରିବେ ବୋଲି ସୂଚନା ଦେଇଥିଲେ । ବଡ଼ଭାଇଙ୍କ ସହ ସେ ଜନ୍ମବେଦୀକୁ ଆସିଥିବାରୁ ଦେଢଶୁର ସହ ଲକ୍ଷ୍ମୀ ଆସିବା ବାରଣ ଥିବାରୁ ସେ ସୁଭଦ୍ରା ଭଉଣୀଙ୍କୁ ନେଇ ଆସିଛନ୍ତି । ତେଣୁ ରୋଷ ତ୍ୟାଗ କରି ସ୍ୱମନ୍ଦିରକୁ ମହାଲକ୍ଷ୍ମୀ ଭକ୍ତ ମାନଙ୍କ ଗହଣରେ ପ୍ରତ୍ତ୍ୟାବର୍ତ୍ତନ କରନ୍ତୁ ବୋଲି ଆଶ୍ୱାସନା ଦେଇଥିଲେ ।

ଶ୍ରୀଜଗନ୍ନାଥଙ୍କ ଏ ସ୍ୱଷ୍ଟିକରଣରେ ମହାଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଗଲାବେଳେ ନନ୍ଦିଘୋଷ ରଥ ନିକଟକୁ ଯାଇ ଏହାର ଏକ ଅଂଶ ଭଗ୍ନକରି ସନ୍ତକ ସ୍ୱରୁପ ନିଜର ବହୁମୂଲ୍ୟ ନାକଚଣାକୁ ରଥ ନିକଟରେ ପକାଇ ଦେଇ ଫେରି ଯାଇଥିଲେ । ପରେ ବିଜେ ପ୍ରତିମା ଶ୍ରୀ ମଦନମୋହନ ନାକଚଣାକୁ ଉଦ୍ଧାର କରି ନେଇ ଆସିଥିଲେ । ପ୍ରବଳ ଭିଡ଼ ସତ୍ତ୍ୱେ ମନ୍ଦିର ପ୍ରଶାସନସେବା, ଗୁଣ୍ଡିଚା ମଣ୍ଡପ କମିଟି, ରଥଯାତ୍ରା କମିଟି, ସ୍ୱେଛାସେବକ ଓ ପୋଲିସ ପ୍ରଶାସନଙ୍କ ସହଯୋଗରେ ଏହି ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିଲା ।ଏହି ଅବସରରେ ହିଞ୍ଜିଳିକାଟୁ ପାଟଣା ସାହି ସ୍ଥିତ ଅସ୍ଥାୟୀ ଆଡପମଣ୍ଡପ ସମ୍ମୁଖରେ ଶ୍ରୀ ଲକ୍ଷ୍ମୀନୃସିଂହ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭଜନ ସନ୍ଧ୍ୟା ରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀ ଡ଼ ଶ୍ରୀକାନ୍ତ ସାହୁଓ ଧର୍ମପତ୍ନୀ ଓ ହିଞ୍ଜିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷ ଆଃ ସୁଚିତ୍ରା ପଣ୍ଡାଯୋଗଦେଇ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ରିବନ କାଟିବା ସହ ପ୍ରଦିପ ପ୍ରଜ୍ଜ୍ୱଳନ କରି ଭଜନ ସନ୍ଧ୍ୟା ର ଉଦଘାଟନ କରିଥିଲେ।ଅନୁରୂପ ଭାବେ ସ୍ଥାନୀୟ ପୈରାଞ୍ଚଳର , ବଡରଙ୍ଗଣି ସାହି ସମେତ ସ୍ଥାନୀୟ ବ୍ଳକର ବୁରୁପୋଡ଼ା, ସାରୁ, କଞ୍ଚୁରୁ, ମକରଝୋଳ, ଦୁର୍ବନ୍ଧ,ଶାସନଆମ୍ବଗାଁ ସମେତ ନିକଟବର୍ତ୍ତୀ ବିଭିନ୍ନ ଗ୍ରାମର ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆଡପମଣ୍ଡପ ପରିସରରେ ଶ୍ରୀଜୀଉମାନଙ୍କୁ ନୃସିଂହ ବେଶରେ ସଜ୍ଜିତ କରାଯାଇ ହେରାପଞ୍ଚମୀ ନୀତି ସମ୍ପନ୍ନ କରାଯାଇଥିଲା।

Leave A Reply

Your email address will not be published.