
ଅପରାଧ ଦମନ ପାଇଁ ବ୍ରହ୍ମପୁର ପୁଲିସର ସ୍ୱତନ୍ତ୍ର ଡ୍ରାଇଭ୍, ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଏସପି
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବଢ଼ିଚାଲିଥିବା ଅପରାଧିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୁଲିସ ପକ୍ଷରୁ ଅପରାଧୀ ଦମନ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏହି କ୍ରମରେ ଗୋଳନ୍ଥରା ଥାନା ପୁଲିସ ଏକ ବଡ଼ ସଫଳତା ପାଇଛି। ପୁଲିସ ଚଢ଼ାଉ କରି ୫ ଜଣ ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪ଟି ବନ୍ଧୁକ ଏବଂ ୫ଟି ଜୀବନ୍ତ ଗୁଳି ଜବତ କରିଛି।
ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ.ପି. ଡା. ଶରବଣା ବିବେକ ଏମ୍. ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ୨ଟି ଦେଶୀ ବନ୍ଧୁକ ଓ ୨ଟି ପିସ୍ତଲ ରହିଛି। ଗିରଫ ହୋଇଥିବା ୫ ଜଣଙ୍କ ବ୍ୟତୀତ ଏହି ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ମଧ୍ୟ ଅଟକ ରଖାଯାଇଛି।
ପୁଲିସ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ଏକାଧିକ ଅପରାଧିକ ମାମଲା ରହିଛି। ସେମାନେ ନିକଟରେ ଜେଲରୁ ଜାମିନରେ ଆସିବା ପରେ ପୁଣିଥରେ ସକ୍ରିୟ ହୋଇଥିଲେ। ଦାଦାବଟି ଆଦାୟ କରିବା ସହ ଜଙ୍ଗଲରେ ଶିକାର କରିବା ପାଇଁ ସେମାନେ ଯୋଜନା କରୁଥିବା ନେଇ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହି ସୂଚନା ଆଧାରରେ ପୁଲିସ ଚଢ଼ାଉ କରି ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ ଗିରଫ କରିଥିଲା।
ଗିରଫ ଅଭିଯୁକ୍ତମାନେ ହେଲେ ପାଣ୍ଡା ଗୌଡ଼, ଦେବେନ୍ଦ୍ର ଗୌଡ଼ ଓରଫ ଚେରୁ, ମାଧବ ଗୌଡ଼ ଓରଫ ନୀଳମାଧବ, ନୀତିନ ବିଶୋଇ ଓରଫ ନିଟିକେସନ ଏବଂ ବୁଡୁ ଦାସ। ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।