ଜିଲ୍ଲାପାଳଙ୍କ ଅଫିସକୁ ଧସେଇ ପଶିବା ଘଟଣା : ଖ୍ରୀଷ୍ଟିୟାନ ସମୁଦାୟଙ୍କ ଶୋଭାଯାତ୍ରାରେ ସାମିଲ ୨୫ ଜଣଙ୍କ ନାମରେ ରୁଜୁ ହେଲା ମାମଲା

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଖ୍ରୀଷ୍ଟିୟାନ ମଞ୍ଚ ପକ୍ଷରୁ ଗତକାଲି ଏକ ବିଶାଳ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିବା ବେଳେ ଏହି କାର୍ଯ୍ୟକ୍ରମର ଅନୁମତି ନନେଇ ଜୋର ଜବରଦସ୍ତ ସରକାରୀ କାର୍ଯ୍ୟଳୟ ମଧ୍ୟକୁ ଧସେଇ ପଶିବା ଭଳି ଅନେକ ଅଭିଯୋଗ କରି ୨୫ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ମାଲକାନଗିରି ଆଦର୍ଶ ଥାନା ପୋଲିସ ନିଜ ଆଡୁ ଏହି ମାମଲା ରୁଜୁ କରିଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି। ସୂଚନା ଅନୁଯାୟୀ ଗତ ଜୁନ ୨୧ ତାରିଖରେ ଜିଲ୍ଲାର କତାମାଟେରୁ ଠାରେ ଦୁଇ ଗୋଷ୍ଟି ମଧ୍ୟରେ ଗଣ୍ଡୋଗୋଳ ଯୋଗୁଁ ପ୍ରାୟ ୩୦ ଜଣ ବ୍ୟକତି ଆହତ ହୋଇଥିଲେ। ଆହତ ବ୍ୟକ୍ତି ମାନେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ହୋଇଥିବା ବେଳେ ଏହାକୁ ନେଇ ଜିଲ୍ଲା ଖ୍ରୀଷ୍ଟିୟାନ ମଞ୍ଚ ମାଲକାନଗିରି ଆଦର୍ଶ ଥାନାରେ ମାମଲା ରୁଜୁ କରିବାର ଅନେକ ଦିନ ବୀତି ଯାଇଥିବା ବେଳେ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ନେଇ ନଥିବାରୁ ଗତ କାଲି ଜିଲ୍ଲା ଖ୍ରୀଷ୍ଟିୟାନ ମଞ୍ଚ ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ରା କରଯାଇଥିଲା। ଏଥିରେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ଵ ଲୋକେ ସାମିଲ ରହିଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗେ ଏହି ଶୋଭାଯାତ୍ରା ପହଞ୍ଚିଥିଲା। ତେବେ ସେଠାରେ ଦାବିପତ୍ର ଗ୍ରହଣ କରିବା ପାଇଁ ଅଧିକାରୀ ମାନେ ବାହାରକୁ ଆସିବାରେ ବିଳମ୍ବ ହେଉଥିବାରୁ ଏହାକୁ ନେଇ ହୋ ହଲ୍ଲା ହୋଇଥିଲା। ଏହି ସମୟରେ କିଛି ସମୟ ପାଇଁ ସାମାନ୍ୟ ଉତ୍ତେଜନା ମୂଳକ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ଅନୁମତି ନନେଇ ସରକରୀ କାର୍ଯ୍ୟଳୟରେ ଧସେଇ ପଶିବା ସହ ସରକରୀ ଅଧିକାରୀଙ୍କୁ ଦୁର୍ବ୍ୟବାହାର ଭଳି ଅନେକ ଧାରା ଦେଇ ପୋଲିସ ନିଜ ଆଡୁ ଏକ ମାମଲା ରୁଜ୍ଜୁ କରିଛି। ଏହି ଶୋଭାଯାତ୍ରାରେ ସାମିଲ ଥିବା ୨୫ ଜଣଙ୍କ ନାମରେ ପୋଲିସ ମାମଲା ରୁଜ୍ଜୁ କରିଥିବା ସହ ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ପକ୍ଷରୁ ସୂଚନା ଦିଆଯାଇଛି।