
ହିଞ୍ଜିଳିକାଟୁ : ପଶ୍ଚିମ ଆଫ୍ରିକା ମହାଦେଶର ମାଲି ଦେଶରେ ଆତଙ୍କବାଦୀ ମାନେ ଏକ ସିମେଣ୍ଟ କାରଖାନା ଉପରେ ହମଲା କରି ୩ ଜଣ ଭାରତୀୟ ନାଗରିକଙ୍କୁ ଅପହରଣ କରି ନେଇଛନ୍ତି । ଅପହୃତଙ୍କ ମଧ୍ୟରେ ଜଣେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସମରଝୋଳ ଗ୍ରାମର ପି. ଭେଙ୍କଟରମଣ(୨୮) ରହିଛନ୍ତି । ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ, ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ହିଞ୍ଜିଳି ବିଜେଡିର ଏକ ଟିମ୍ ଅପହୃତ ପରିବାର ସଦସ୍ୟଙ୍କୁ ସାକ୍ଷାତ କରି ସଂପୃକ୍ତ ବିବରଣୀ ନବୀନ ପଟ୍ଟନାରୟକଙ୍କ ନିକଟକୁ ପ୍ରେରଣ କରିଥିବା ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର କହିଛନ୍ତି । ଟିମରେ ବିଧାୟାକଙ୍କ ବ୍ଳକ ପ୍ରତିନିଧି ଏ. ସୁଦର୍ଶନ, ବ୍ଳକ ସଭାପତି ଦୁର୍ଗାମାଧବ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ବି. ଗିତାଞ୍ଜଳି, ସମିତିସଭ୍ୟା ନର୍ମଦା ଦେବୀ, ସରପଞ୍ଚ ବାବାରାଓ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରକାଶ ଥାଉକି, ବିଗତ ଦିନରେ ଗଲଫ ଦେଶରେ ଏଭଳି ଅପହରଣ ଘଟଣା ଘଟୁଥିବା ନଜିର ରହିଛି । ଏଭଳି ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳବିଳମ୍ବ ନକରି ପ୍ରଧାନମନ୍ତ୍ରୀ, ବୈଦଶିକ ମନ୍ତ୍ରୀ, ରାଷ୍ଟ୍ରଦୁତ ଓ କାର୍ଯ୍ୟସହ ବ୍ୟକ୍ତିଗତ ଭାବେ ଯୋଗାଯୋଗ କରିବା ସହ ତାଙ୍କ ପରିବାର ସହ ଯୋଗାଯୋଗ କରି ଅପହୃତଙ୍କୁ ଖଲାସ କରିବାକୁ ଅହରତ କାର୍ଯ୍ୟ କରିବା ସହ ଏକ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି ଦେଉଥିଲେ । ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ଅପହୃତ ପରିବାର ସହ ପ୍ରତ୍ୟେକ ମୁହୁର୍ତ୍ତ ଯୋଗାଯୋଗରେ ରହୁଥିଲେ । ଆଜି ବିଜେପି ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୟନ କରିବା ସହ ତାଙ୍କ ପରିବାରଙ୍କୁ ସରକାରଙ୍କ ତରଫରୁ ଯୋଗାଯୋଗ କରାଯାଇନାହିଁ କିମ୍ବା ବିଜେପି ପକ୍ଷରୁ କୌଣସି ଜନ ପ୍ରତିନିଧି ଅପହୃତ ପରିବାର ସହ ଯୋଗାଯୋଗ କରିନଥିବା ନେଇ ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ମହାପାତ୍ର କହିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ଘଟଣା ପ୍ରତି ଦୃଷ୍ଟି ପ୍ରଦାନ କରି ଅପହୃତ ଭେଙ୍କଟରମଣଙ୍କୁ ଆତଙ୍କବାଦୀ କବଳରୁ ମୁକ୍ତ କରି ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି ।