
ହିଞ୍ଜିଳିକାଟୁ : ପଶ୍ଚିମ ଆଫ୍ରିକା ମହାଦେଶର ମାଲି ଦେଶରେ ଆତଙ୍କବାଦୀ ମାନେ ୩ ଜଣ ଭାରତୀୟ ନାଗରିକଙ୍କୁ ଅପହରଣ କରି ନେଇଥିବା ଘଟଣା ସାରା ଭାରତ ବର୍ଷରେ ଚାଞ୍ଚଲ୍ୟ ଖେଳିଯାଇଛି । ୩ ଭାରତୀୟଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସମରଝୋଳ ଗ୍ରାମର ରହିଛନ୍ତି । ସେ ହେଉଛନ୍ତି ହିଞ୍ଜିଳି ଥାନା ସମରଝୋଳ ଗ୍ରାମର ସ୍ୱର୍ଗି ପି. ନାରାୟଣ ଓ ପି. ନାର୍ସାମାଙ୍କ ପୁତ୍ର ପି. ଭେଙ୍କଟରମଣ (୨୮) । ଘଟଣା ନେଇ ଅପହୃତଙ୍କ ମା ପି. ନାର୍ସାମା ଶନିବାର ରାତିରେ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମାଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ ।
ମିଳିଥିବା ସୂଚନା ପ୍ରକାରେ, ଅପହୃତ ଭେଙ୍କଟରମଣ ଗତ ନଭେମ୍ବର ମାସରେ ଏକ ଘରୋଇ କ୍ମପାନୀ ପକ୍ଷରୁ ପଶ୍ଚିମ ଆଫ୍ରିକା ମହାଦେଶର ମାଲି ଦେଶର ଏକ ଘରୋଇ ସିମେଣ୍ଟ କମ୍ପାନୀରେ ନିଯୁକ୍ତି ପାଇଥିଲେ । ଗତ ୩୦ତାରିଖରେ ଭେଙ୍କଟରମଣଙ୍କୁ ସେଠାକାର ପୁଲିସ ଗିରଫ କରିଥିବା ନେଇ ସଂପୃକ୍ତ କମ୍ପାନୀ ପକ୍ଷରୁ ପରିବାର ସଦସ୍ୟଙ୍କୁ ଫୋନ୍ ଯୋଗେ ଜଣାଯାଇଥିଲା । ପରିବାର ସଦସ୍ୟ ସଂପୃକ୍ତ ଫୋନ୍ କଲ୍ ପାଇବା ପରେ ଘଟଣାକୁ ସହଜରେ ଗ୍ରହଣ କରିପାରିନଥିଲେ । ପରବର୍ତ୍ତୀ ସମୟରେ ଆତଙ୍କବାଦୀ ମାନେ ସଂପୃକ୍ତ ସିମେଣ୍ଟ କାରଖାନା ଉପରେ ହାମଲା କରି ୩ ଜଣ ଭାରତୀୟଙ୍କୁ ଅପହରଣ କରି ନେଇଯାଇଥିବା ନେଇ ସାମାଜିକ ଗଣମାଧ୍ୟମରୁ ଦେଖିବାକୁ ପାଇଥିଲେ । ପରେ ପରେ ଟିଭି ଚ୍ୟାନେଲରୁ ଘଟଣା ଜାଣିପାରି ତାଙ୍କରି ପୁଅ ଅପହରଣ ହୋଇଥିବା ଜାଣିପାରି ଘଟଣା ନେଇ ଅପହୃତଙ୍କ ମା ପି. ନାର୍ସାମା ହିଞ୍ଜିଳି ଥାନାରେ ଅଭିଯୋଗ କରିବା ସହ ପୁଅକୁ ଫେରାଇ ଆଣିବାକୁ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି ।