
ଉମରକୋଟ : “ଜ୍ୱର ପରେ ଶରୀର ଭଲ ହେଲା ଠାରୁ ମନ ଭଲ ହୁଏନି” – ଏହାର ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ଗୋଇରା ମାଳି ସାହିରେ ଘଟିଥିବା ଏକ ଲୋମହର୍ଷଣ କାରୀ ଘଟଣାରେ। ସୋମନାଥ ମାଝୀ ନାମକ ପ୍ରାୟ ୫୦ ବର୍ଷୀୟ ବ୍ୟକ୍ତି ନିଜ ବେକରେ ଛୁରୀ ଲଗାଇ ଆତ୍ମହତ୍ୟା ଚେଷ୍ଟା କରିଥିବା ଘଟଣା ଉପରେ ଏବେ ସମ୍ପୂର୍ଣ୍ଣ ଅଞ୍ଚଳରେ ଚର୍ଚ୍ଚା ଚାଲିଛି।
ସୂଚନା ଅନୁସାରେ,ସୋମନାଥ ମାଝୀ କିଛି ଦିନ ଧରି ଜ୍ୱରରେ ଭୋଗୁଥିଲେ। ପ୍ରଥମେ ସେ ତୋହରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଥିଲେ, ଯେଉଁଠାରେ ସ୍ୱାସ୍ଥ୍ୟର ଉନ୍ନତି ନ ହେବା ପରେ ତାଙ୍କୁ ଉମରକୋଟ ଜୋନାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରେଫର କରାଯାଇଥିଲା। କିଛି ଦିନ ଉମରକୋଟ ଜୋନାଲ ହସ୍ପିଟାଲରେ ରହି ଚିକିତ୍ସା ପରେ ସେ ରୋଗ ଭଲ ହୋଇ ଘରକୁ ଫେରିଆସିଥିଲେ।
କିନ୍ତୁ ଅନୁମାନ କରାଯାଉଛି ଜ୍ୱର ପରେ ସୋମନାଥଙ୍କର ମନସିକ ଅବସ୍ଥାରେ ଅସାଧାରଣ ପରିବର୍ତ୍ତନ ଆସିଥିଲା। ତାଙ୍କର ମନ ଭିତରେ ଅଶାନ୍ତି, ଭୟ ଓ ଅସ୍ଥିରତା ଜନ୍ମ ନେଇଥିଲା ବୋଲି ପରିବାର ଲୋକମାନେ କହୁଛନ୍ତି। ଗତକାଲି ସୋମନାଥ ହଠାତ୍ ପାଗଳଙ୍କ ପରି ବ୍ୟବହାର କରିବାକୁ ଲାଗିଥିଲେ। କିଛି ବୁଝିବା ପୂର୍ବରୁ ତାଙ୍କ ହାତରେ ଥିବା ଏକ ଛୁରୀରେ ନିଜ ବେକ କାଟିପକାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ।ଏହା ଦେଖି ପରିବାର ଲୋକମାନେ ବିଳମ୍ବ ନ କରି ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ ଏବଂ ସୋମନାଥଙ୍କୁ ଉମରକୋଟ ଜୋନାଲ ହସ୍ପିଟାଲକୁ ନେଇ ଆସିଥିଲେ। ସମୟରେ ଚିକିତ୍ସା ମିଳିବାରୁ ସେ ବର୍ତ୍ତମାନ ବିପଦ ମୁକ୍ତ ଅଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ତାଙ୍କ ଚିକିତ୍ସା ଚାଲିଛି ଏବଂ ଦୂର୍ବଳ ଶରୀରୀକ ଅବସ୍ଥାରୁ ଧୀରେ ଧୀରେ ସୁଧାର ଆସୁଛି।
ପରିବାର ଲୋକଙ୍କ କହିବା ଅନୁସାରେ, ସୋମନାଥ ପୂର୍ବରୁ ଅତ୍ୟନ୍ତ ଶାନ୍ତ ସ୍ଵଭାବର ଥିଲେ ଏବଂ ପରିବାର ପ୍ରତି ଅନେକ ଦାୟିତ୍ୱବାନ୍ ଥିଲେ। କିନ୍ତୁ ଜ୍ୱର ପରେ ତାଙ୍କ ମନସିକ ସ୍ଥିତି ଅସ୍ଥିର ହୋଇଗଲା ବୋଲି ସେମାନେ ଆଶଙ୍କା କରୁଛନ୍ତି। ତୋହରା ଗ୍ରାମର ବୁଦ୍ଧିଜୀବୀମାନେ ଏହାକୁ ଗଭୀର ଚିନ୍ତାର ବିଷୟ ବୋଲି କହିଛନ୍ତି। ସେମାନେ କହୁଛନ୍ତି ଯେ ଶରୀରୀକ ରୋଗ ପରେ ବେଳେବେଳେ ମନସିକ ଅବସାଦ ବା ଅନ୍ୟାନ୍ୟ ମାନସିକ ସମସ୍ୟା ଜନ୍ମ ନେଇପାରେ, ଯାହା ରୋଗୀଙ୍କୁ ଆତ୍ମହତ୍ୟା ପର୍ଯ୍ୟନ୍ତ ଓ ନେଇଯାଇପାରେ। ଗ୍ରାମବାସୀ ଏହାକୁ ଦୁର୍ଭାଗ୍ୟଜନକ ଘଟଣା ବୋଲି ଅଭିହିତ କରିଛନ୍ତି ଏବଂ ସୋମନାଥ ସୁସ୍ଥ ହେବା ପରେ ଘଟଣାର ପଛରେ ଥିବା ପ୍ରକୃତ କାରଣ ଖୋଲାସା ହେବ ବୋଲି କହିଛନ୍ତି।ଏହି ଘଟଣା ପୁନଃ ଏହାକୁ ସ୍ପଷ୍ଟ କରିଦେଉଛି ଯେ, ଶରୀରୀକ ସ୍ୱାସ୍ଥ୍ୟ ସହ ମାନସିକ ସ୍ୱାସ୍ଥ୍ୟକୁ ସମାନ ଗୁରୁତ୍ୱ ଦେବା ଆବଶ୍ୟକ। ଡାକ୍ତରମାନଙ୍କ ମତାନୁସାରେ ଯେତେବେଳେ ରୋଗୀ ଗୁରୁତ୍ୱପୂର୍ଣ୍ଣ ରୋଗରୁ ସୁସ୍ଥ ହୁଏ, ସେତେବେଳେ ତାଙ୍କର ମନସିକ ସ୍ଥିତିକୁ ମଧ୍ୟ ମୁଲ୍ୟାଙ୍କନ କରି ସମୟ ପରେ ସମୟ ଚିକିତ୍ସା ଦେବା ଆବଶ୍ୟକ। ଏହା ଭବିଷ୍ୟତରେ ଏପରି ଦୁଃଖଦ ଓ ଅପ୍ରତ୍ୟାଶିତ ଘଟଣା ରୋକିବାରେ ସାହାଯ୍ୟ କରିପାରିବ।