ଭାରତୀୟ ମଜଦୂର ସଂଘର ୭୦ତମ ପ୍ରତିଷ୍ଠା ଦିବସ ରାୟଗଡ଼ାରେ ପାଳିତ: ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଅଣ-ରାଜନୈତିକ ବିଚାରଧାରା ଉପରେ ଗୁରୁତ୍ୱାରୋପ

ରାୟଗଡ଼ା: ଭାରତୀୟ ମଜଦୂର ସଂଘର ୭୦ତମ ପ୍ରତିଷ୍ଠା ଦିବସ ରାୟଗଡ଼ା ସ୍ଥିତ ଗାୟତ୍ରୀ ନଗର ବରିଷ୍ଠ ନାଗରିକ କାର୍ଯ୍ୟାଳୟରେ ମହାସମାରୋହରେ ପାଳିତ ହୋଇଯାଇଛି। ରାଜନୈତିକ ବିଚାରଧାରାରୁ ଊର୍ଦ୍ଧ୍ବରେ ରହି କେବଳ ଶ୍ରମିକଙ୍କ ହିତ ପାଇଁ କାର୍ଯ୍ୟ କରିବା ହିଁ ସଂଘର ମୂଳ ଲକ୍ଷ୍ୟ ବୋଲି ଏହି ଅବସରରେ ମତପ୍ରକାଶ ପାଇଥିଲା।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭଗବାନ ବିଶ୍ୱକର୍ମା, ଭାରତ ମାତା ଏବଂ ସଂଘର ପ୍ରତିଷ୍ଠାତା ଦତ୍ତୋପନ୍ତ ଠେଙ୍ଗଡ଼ିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏହାପରେ ଶ୍ରମିକ ଭାଇଭଉଣୀମାନଙ୍କ ଦ୍ୱାରା ସାମୂହିକ ଭାବେ ‘ଶ୍ରମିକ ଗୀତ’ ଗାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ନଗର କାର୍ଯ୍ୟବାହ ଶ୍ରୀ ବିଦ୍ୟାଭୂଷଣ ପଣ୍ଡା, ସମାଜସେବୀ ତଥା କର୍ମଜୀବୀ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଶ୍ରୀ ବାଦଲ କୁମାର ତା, ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ୱର ଦାସ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଅରୁଣ ଲେଙ୍କା ଯୋଗଦେଇଥିଲେ। ବକ୍ତାମାନେ କହିଥିଲେ ଯେ ସ୍ୱାଧୀନତା ପରେ ଅନେକ ଶ୍ରମିକ ସଂଗଠନ ରାଜନୈତିକ ଦଳର ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଥିବା ବେଳେ, ବିଏମ୍ଏସ୍ ଏକମାତ୍ର ଅଣ-ରାଜନୈତିକ ସଂଗଠନ ଭାବେ ଭାରତୀୟ ବିଚାରଧାରାକୁ ନେଇ ଶ୍ରମିକଙ୍କ ସମସ୍ୟା ସମାଧାନ କରିଆସୁଛି। ଏହି ନିଷ୍ଠା ଯୋଗୁଁ ଆଜି ଏହା ଦେଶର ସର୍ବବୃହତ ଶ୍ରମିକ ସଂଗଠନରେ ପରିଣତ ହୋଇପାରିଛି।
ଏହି ସମାବେଶରେ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ, ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ, ଜେ.କେ. ପେପର ମଜଦୂର ସଂଘ, ଉତ୍କଳ ଆଲୁମିନା ମଜଦୂର ସଂଘ, ଇମ୍ଫା ଠିକା ମଜଦୂର ସଂଘ ସମେତ ହୋଟେଲ କର୍ମଚାରୀ, ନିର୍ମାଣ ଶ୍ରମିକ, ଅଟୋ ଚାଳକ, ସଫେଇ କର୍ମଚାରୀ ଆଦି ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଯୋଗ ଦେଇଥିଲେ। ଏଥିସହ ଜିଲ୍ଲାର ୧୧ଟି ବ୍ଲକରୁ ମଧ୍ୟ କାର୍ଯ୍ୟକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ।
ଭାରତୀୟ ମଜଦୂର ସଂଘର ଜିଲ୍ଲା ସଭାପତି ଶ୍ରୀ ମୋହନ ରାଓ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଉପ-ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ ସଂଚାଳନା କରିଥିଲେ। ଉପସଭାପତି ଶ୍ରୀ ଦୂର୍ଗା ମାଧବ ଘୋଷ, କୋଷାଧ୍ୟକ୍ଷ ଶ୍ରୀମତୀ ଉଷାରାଣୀ ଦାସଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ପରିଚାଳନାରେ ସହଯୋଗ କରିଥିବା ବେଳେ ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।