
ଉମରକୋଟ : ନିର୍ମାଣର ମାତ୍ର ତିନି ମାସ ପରେ ହିଁ ଏକ ନୂଆ ରାସ୍ତା ଏଭଳି ଶୋଚନୀୟ ଭାବେ ଭାଙ୍ଗିଯିବ ବୋଲି ଗ୍ରାମବାସୀ କେବେ କଳ୍ପନା ମଧ୍ୟ କରିନଥିଲେ। ଚଳାଚଳ ଆରମ୍ଭ ହେବାର କିଛି ଦିନ ପରେ ହିଁ ରାସ୍ତାର ପିଚୁ ଅଂଶ ଦବିଯାଇଛି ଏବଂ ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇ ଭାଙ୍ଗିବା ଆରମ୍ଭ କରିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ବେହେଡ଼ା ପଞ୍ଚାୟତ ଅନ୍ତର୍ଗତ ସିରାଗୁଡ଼ା ଗ୍ରାମରୁ ଡାଇବେଡ଼ା ଗ୍ରାମକୁ ସଂଯୋଗ କରୁଥିବା ପ୍ରାୟ ୩ କିଲୋମିଟର ରାସ୍ତାରେ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭରୁ ହିଁ ଏହାର ମାନ ଓ ଗୁଣବତ୍ତାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିଲା। ଠିକାଦାର ଓ ସହକାରୀ ଯନ୍ତ୍ରୀ (ଜେ.ଇ)ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା କାମ ଏତେ ନିମ୍ନମାନର ହୋଇଛି ଯେ ତାହା ଖୁବ୍ ଶୀଘ୍ର ଭାଙ୍ଗିବାକୁ ଲାଗିଛି। ରାସ୍ତାର ମାଟି ଚାପିବା ଏବଂ ମୂଳଦୁଆ କାମ ସଠିକ୍ ଭାବରେ ହୋଇନଥିବା ନେଇ ଗ୍ରାମବାସୀ ଆରମ୍ଭରୁ ଅଭିଯୋଗ କରିଥିଲେ ମଧ୍ୟ ଠିକାଦାର ସେଥିପ୍ରତି କର୍ଣ୍ଣପାତ କରିନଥିଲେ।
ବର୍ତ୍ତମାନ ବର୍ଷା ଋତୁ ଆସୁଥିବାରୁ, ଯଦି ପୋଲ ନିକଟରେ ଏଭଳି ଭାବେ ରାସ୍ତା ଭାଙ୍ଗିବା ଜାରି ରହେ, ତେବେ ଆଗାମୀ କିଛି ଦିନ ମଧ୍ୟରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବାର ଆଶଙ୍କା କରି ଆଖପାଖ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ଏହାଦ୍ୱାରା ଅଞ୍ଚଳର ରୋଗୀଙ୍କୁ ଡାକ୍ତରଖାନା ନେବା, ଛାତ୍ରଛାତ୍ରୀଙ୍କ ସ୍କୁଲ ଯିବା ଏବଂ ଲୋକଙ୍କ ଦୈନନ୍ଦିନ କାର୍ଯ୍ୟରେ ବାଧା ସୃଷ୍ଟି ହେବା ସହ ଦୁର୍ଘଟଣାର ସମ୍ଭାବନା ମଧ୍ୟ ବଢ଼ିଯିବ।
ଗ୍ରାମବାସୀ ଓ ପଞ୍ଚାୟତ ପ୍ରତିନିଧିମାନେ ତୁରନ୍ତ ରାସ୍ତା ମରାମତି ଏବଂ ଏହି ଦୁର୍ନୀତିର ଏକ ନିରପେକ୍ଷ ତଦନ୍ତ ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି। ପ୍ରଶାସନ କେବେ ଏହି ଅଭିଯୋଗକୁ କର୍ଣ୍ଣପାତ କରି ପୋଲ ନିକଟରେ ଭାଙ୍ଗି ପଡ଼ିଥିବା ରାସ୍ତାର ମରାମତି କରୁଛି, ତାହାକୁ ହିଁ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।